Latest Odisha News

BREAKING NEWS

ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଉପରେ ଗୁରୁତ୍ବ: ୧୫ ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମର ଦିଆଯିବ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନରେ ୧୫ ଅତିରିକ୍ତ ହସ୍ତଶିଳ୍ପ ପାଠ୍ୟକ୍ରମର ଦିଆଯିବ ପ୍ରଶିକ୍ଷଣ । ଏନେଇ ଆଜି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଭାଗୀୟ ମନ୍ତ୍ରୀ ପ୍ରଦିପ ବଳ ସାମନ୍ତଙ୍କ ଉପସ୍ଥିତିରେ କମିଶନର-ତଥା ଶାସନ ସଚିବ ଗୁହାପୁନମ ତାପସ କୁମାର ଅଧ୍ୟକ୍ଷତା କରିଥିଲେ ।

ବୈଠକରେ ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ, ଦକ୍ଷ କାରିଗର ସୃଷ୍ଟି ଏବଂ ରୋଜଗାରମୁଖୀ କୌଶଳ ବିକାଶକୁ ଦୃଷ୍ଟିରେ ରଖି ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ (SIDAC) ପକ୍ଷରୁ ପ୍ରଶିକ୍ଷଣ ପାଇଁ ଅତିରିକ୍ତ ୧୫ଟି ହସ୍ତଶିଳ୍ପ ଚିହ୍ନଟ ଓ ହସ୍ତଶିଳ୍ପଗୁଡ଼ିକ ପାଇଁ ଏକ ସୁସଂଗଠିତ ଏବଂ ମାନକ ପାଠ୍ୟକ୍ରମ (Structured Syllabus) ଓ ପ୍ରଶିକ୍ଷଣ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଏହା ଆଧାରରେ ଖୁବଶୀଘ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ କରାଯିବ ।

ସୂଚନାଯୋଗ୍ୟଯେ, ଓଡିଶାରେ ୬୪ଟି ସ୍ୱୀକୃତିପ୍ରାପ୍ତ ହସ୍ତଶିଳ୍ପ ରହିଛି । ତନ୍ମଧ୍ୟରୁ ବର୍ତ୍ତମାନ ସିଡ଼ାକରେ ଆପ୍ଲିକ (ଚାନ୍ଦୁଆ), ଟେରାକୋଟା , ପଟ୍ଟଚିତ୍ର, ତାଳପତ୍ର ଖୋଦେଇ, ପଥର ଖୋଦେଇ ଏବଂ କାଠ ଖୋଦେଇ ଭଳି ୬ଟି ହସ୍ତଶିଳ୍ପରେ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ସଫଳତାର ସହ ପରିଚାଳିତ ହେଉଛି । ୧୫ଟି ହସ୍ତଶିଳ୍ପକୁ ପ୍ରଶିକ୍ଷଣ ପରିସରରେ ସାମିଲ କରିବା ପାଇଁ ପଦକ୍ଷେପ ନିଆଯାଇଛି ।

ପ୍ରସ୍ତାବିତ ୧୫ଟି ହସ୍ତଶିଳ୍ପ ମଧ୍ୟରେ ନଡ଼ିଆ କତା କାରିଗରୀ, ଝୋଟ କାରିଗରୀ, ସୋଲ କାରିଗରୀ, ନଡ଼ିଆ ଖୋଳ କାରିଗରୀ, ଲାଖ କାରିଗରୀ, ବାଉଁଶ କାରିଗରୀ, ବାଟିକ ପ୍ରିଣ୍ଟିଂଗ, ଆଦିବାସୀ ଗହଣା, ତାଳପତ୍ର ସାଜସଜ୍ଜା କାରିଗରୀ, ରୂପା ତରକସି, କଂସା ଓ ପିତ୍ତଳ ବାସନ, ଶାମୁକା କାରିଗରୀ, କାଗଜ ମଣ୍ଡ କାରିଗରୀ, ସଉରା ଚିତ୍ରଶିଳ୍ପ ଏବଂ ଗଣ୍ଡ ଚିତ୍ରଶିଳ୍ପ ରହିଛି ।

୧୫୦୦ ଘଣ୍ଟାର ଏହି ଶିକ୍ଷାଦାନ କାର୍ଯ୍ୟକ୍ରମରେ ୧୪୫୦ ଘଣ୍ଟା ପାକ୍ଟିକାଲ ଟ୍ରେନିଂ ଓ ୫୦ ଘଣ୍ଟା ଥିଓରୀ ଟ୍ରେନିଂ ଦିଆଯିବାର ବ୍ୟବସ୍ଥା କରାଯାଇଛି। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟରେ ଅଧିକ ସଂଖ୍ୟକ ଦକ୍ଷ କାରିଗର ସୃଷ୍ଟି, ପାରମ୍ପରିକ ହସ୍ତଶିଳ୍ପର ସଂରକ୍ଷଣ, ଉତ୍ପାଦର ଗୁଣବତ୍ତା ବୃଦ୍ଧି, ଉଦ୍ୟୋଗୀକରଣର ପ୍ରୋତ୍ସାହନ ଏବଂ ହସ୍ତଶିଳ୍ପୀଙ୍କ ପାଇଁ ବଜାର ସଂଯୋଗ ଓ ରୋଜଗାର ସୁଯୋଗ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି ।

Leave A Reply

Your email address will not be published.