Latest Odisha News

BREAKING NEWS

ବିନା ଓଟିପି, ବିନା ଲିଙ୍କ୍‌ରେ ଖାଲି ହେଲା ଆକାଉଣ୍ଟ: ଫୋନ୍ ଉଠାଇବା ମାତ୍ରେ ଠକେଇର ଶିକାର ହେଲେ ଭୁବନେଶ୍ୱରର ଯୁବକ

ଭୁବନେଶ୍ୱର: ସାଇବର ଅପରାଧୀମାନେ ଏବେ ସାଧାରଣ ଲୋକଙ୍କୁ ଲୁଟିବା ପାଇଁ ନୂଆ ଏବଂ ଭୟଙ୍କର କୌଶଳ ଆପଣାଇଲେଣି। ପୂର୍ବରୁ କୌଣସି ଅଜଣା ଲିଙ୍କରେ କ୍ଲିକ୍ କଲେ ବା ନିଜର ଓଟିପି ସେୟାର କଲେ ବ୍ୟାଙ୍କ ଖାତା ଖାଲି ହେଉଥିଲା। ମାତ୍ର ଏବେ କେବଳ ଗୋଟିଏ ଅଜଣା ନମ୍ବରରୁ ଆସିଥିବା ଫୋନ୍ କଲ୍ ରିସିଭ୍ କରିବା ମାତ୍ରେ ଆକାଉଣ୍ଟରୁ ଟଙ୍କା ଗାଏବ ହୋଇଯାଉଛି। ରାଜଧାନୀ ଭୁବନେଶ୍ୱରରୁ ଏଭଳି ଏକ ଚାଞ୍ଚଲ୍ୟକର ତଥା ଅଭିନବ ସାଇବର ଠକେଇର ମାମଲା ସାମ୍ନାକୁ ଆସିଛି, ଯାହା ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ନିଦ ହଜାଇ ଦେଇଛି।

 

ପ୍ରାପ୍ତ ସୂଚନା ଅନୁଯାୟୀ, ଭୁବନେଶ୍ୱରର ମଞ୍ଚେଶ୍ୱର ଅଞ୍ଚଳରେ ରହୁଥିବା ତୁଷାର ପଟ୍ଟନାୟକ ଏହି ନୂତନ ଧରଣର ସାଇବର ଲୁଟ୍‌ର ଶିକାର ହୋଇଛନ୍ତି। ମଙ୍ଗଳବାର ଦିନ ତାଙ୍କ ସହ ଏହି ଘଟଣା ଘଟିବା ପରେ ସେ ତୁରନ୍ତ ରାଜଧାନୀର ସାଇବର ଥାନାର ଦ୍ୱାରସ୍ଥ ହୋଇ ଏକ ଲିଖିତ ଅଭିଯୋଗ କରିଛନ୍ତି।

 

ତାଙ୍କ ଅଭିଯୋଗ ଅନୁଯାୟୀ, ଠକେଇର ଏହି ଶୈଳୀ ବା ‘ମୋଡସ୍ ଅପରେଣ୍ଡି’ ସମ୍ପୂର୍ଣ୍ଣ ଅଲଗା ଥିଲା। ପ୍ରଥମେ ତୁଷାରଙ୍କ ମୋବାଇଲକୁ ଏକ ଘରୋଇ କମ୍ପାନୀ ନାମରେ ଋଣ (ଲୋନ୍) ପ୍ରଦାନ କରାଯିବା ନେଇ ଏକ ଟେକ୍ସଟ୍ ମେସେଜ୍ ଆସିଥିଲା। ଏହି ମେସେଜ୍ ଆସିବାର କିଛି ସମୟ ପରେ ତାଙ୍କ ପାଖକୁ ସାଇବର ଠକଙ୍କର ଏକ ଫୋନ୍ କଲ୍ ଆସିଥିଲା। ସେ କେବଳ ସେହି ଫୋନ୍‌ଟିକୁ ରିସିଭ୍ କରିଥିଲେ। ଆଶ୍ଚର୍ଯ୍ୟଜନକ ଭାବେ, କଲ୍ ଉଠାଇବାର କିଛି କ୍ଷଣ ପରେ ହିଁ ତାଙ୍କ ବ୍ୟାଙ୍କ ଖାତାରୁ ଟଙ୍କା ଉଡ଼ିଯାଇଥିଲା।

 

ସବୁଠାରୁ ବଡ଼ କଥା ହେଉଛି, ଏହି ସମୟ ମଧ୍ୟରେ ତାଙ୍କ ଫୋନ୍‌କୁ କୌଣସି ଓଟିପି ଆସିନଥିଲା କିମ୍ବା ସେ କୌଣସି ଅଜଣା ଲିଙ୍କରେ ମଧ୍ୟ କ୍ଲିକ୍ କରିନଥିଲେ। ଏପରିକି ସେ ନିଜ ଫୋନରେ କୌଣସି ସ୍କ୍ରିନ୍-ସେୟାରିଂ ଆପ୍ ମଧ୍ୟ ଡାଉନଲୋଡ୍ କରିନଥିଲେ ବୋଲି ସେ ଦାବି କରିଛନ୍ତି। ବିନା କୌଣସି ପ୍ରକ୍ରିୟାରେ କେବଳ ଫୋନ୍ ଉଠାଇବା ଦ୍ୱାରା ଟଙ୍କା କଟିବା ଘଟଣା ପୋଲିସ ଓ ସାଇବର ବିଶେଷଜ୍ଞଙ୍କ ପାଇଁ ମଧ୍ୟ ଏକ ଚିନ୍ତାର କାରଣ ପାଲଟିଛି।

 

ନିଜ ଆକାଉଣ୍ଟରୁ ଟଙ୍କା ହରାଇବା ପରେ ତୁଷାର ସାଧାରଣ ଜନତା ଏବଂ ବିଶେଷ କରି ଯୁବପିଢ଼ିଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସାଇବର ଅପରାଧୀଙ୍କ ଏଭଳି ନୂଆ ଚାଲ୍ ପ୍ରତି ସାବଧାନ ନ ରହିଲେ ଯେକେହି ବି ସର୍ବସ୍ୱାନ୍ତ ହୋଇପାରନ୍ତି ବୋଲି ସେ ଚେତାଇ ଦେଇଛନ୍ତି।

 

ଅନ୍ୟପକ୍ଷରେ, ସାଇବର ପୋଲିସ ଏହି ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ କରିଥିଲେ ସୁଦ୍ଧା, ଏହି ଖବର ଲେଖାଯିବା ସୁଦ୍ଧା ପୋଲିସ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ବା ବିବୃତ୍ତି ମିଳିପାରି ନାହିଁ।

Leave A Reply

Your email address will not be published.