ନୂଆଦିଲ୍ଲୀ: ଦୁଲୀପ ଟ୍ରଫିର ୨୦୨୬-୨୭ ସିଜନ୍ ପାଇଁ ଇଷ୍ଟ ଜୋନ ଟିମ ଘୋଷଣା କରାଯାଇଛି । ଷ୍ଟାର ୱିକେଟକିପର-ବ୍ୟାଟର ଇଶାନ କିଷାନଙ୍କୁ ଟିମ୍ର ଅଧିନାୟକ କରାଯାଇଥିବା ବେଳେ ୧୫ ବର୍ଷୀୟ ଯୁବ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ୟ୍ୟବଂଶୀଙ୍କୁ ଉପ-ଅଧିନାୟକ ଦାୟିତ୍ୱ ଦିଆଯାଇଛି । ବୈଭବ ଏପର୍ୟ୍ୟନ୍ତ ୮ଟି ଫାର୍ଷ୍ଟ-କ୍ଲାସ୍ ମ୍ୟାଚ୍ ଖେଳି ୧୭.୨୫ ହାରରେ ୨୦୭ ରନ୍ ସଂଗ୍ରହ କରିଛନ୍ତି । ତାଙ୍କର ସର୍ବଶ୍ରେଷ୍ଠ ସ୍କୋର୍ ୯୩ ରନ୍। ସେ ଭାରତୀୟ ଅଣ୍ଡର-୧୯ ଟିମ୍ ପାଇଁ ମଧ୍ୟ ୟୁଥ୍ ଟେଷ୍ଟ୍ ଖେଳିସାରିଛନ୍ତି । ମହମ୍ମଦ ଶାମି ଏବଂ ମୁକେଶ କୁମାରଙ୍କ ଭଳି ଟେଷ୍ଟ ଅଭିଜ୍ଞତା ଥିବା ବୋଲରଙ୍କୁ ଦଳରେ ସାମିଲ କରାଯାଇଛି । ଝାଡ଼ଖଣ୍ଡର ଭିରାଟ ସିଂହ, କୁମାର କୁଶାଗ୍ର (ଦ୍ୱିତୀୟ ୱିକେଟକିପର) ଏବଂ ଓଡ଼ିଶାର ଶୁଭ୍ରାଂଶୂୁ ସେନାପତିଙ୍କୁ ଦଳରେ ସ୍ଥାନ ମିଳିଛି ।
ପିଠି ଅସ୍ତ୍ରୋପଚାରରୁ ସୁସ୍ଥ ହେଉଥିବା ଆକାଶ ଦୀପ ଏବଂ କାନ୍ଧ ଅସ୍ତ୍ରୋପଚାର କରାଇଥିବା ରିୟାନ ପରାଗ ଏବେ ରିହ୍ୟାବରେ ଥିବାରୁ ଦଳରୁ ବାଦ୍ ପଡ଼ିଛନ୍ତି । ବୈଭବଙ୍କ ସହ ବଙ୍ଗଳାର ଅଭିଜ୍ଞ ବ୍ୟାଟର ଅଭିମନ୍ୟୁ ଈଶ୍ୱରନ ପାରି ଆରମ୍ଭ କରିବେ । ଶିଖର ମୋହନଙ୍କୁ ରିଜର୍ଭ ଓପନର୍ ଭାବେ ରଖାଯାଇଛି । ଇଷ୍ଟ ଜୋନ୍ ଟିମ୍ : ଇଶାନ କିଷାନ (ଅଧିନାୟକ), ବୈଭବ ସୂର୍ୟ୍ୟବଂଶୀ (ଉପଅଧିନାୟକ), ଅଭିମନ୍ୟୁ ଈଶ୍ୱରନ, ସୁଦୀପ ଘରାମୀ,ମହମ୍ମଦ ଶାମି,ମୁକେଶ କୁମାର,ଶାହବାଜ ଅହମ୍ମଦ,ସୂରଜ ଜାଇସୱାଲ,ଭିରାଟ ସିଂହ,କୁମାର କୁଶାଗ୍ର,ଶିଖର ମୋହନ,ସୁଭ୍ରାଂଶୁ ସେନାପତି ,ଅଭିଜିତ୍ ସରକାର,ଅନୁକୂଳ ରୋୟ,ଡେନିଶ୍ ଦାସ ।