Latest Odisha News

BREAKING NEWS

ସିଏମଓରୁ କୁଆଡ଼େ ଗଲା କମିଶନ ଫାଇଲ? ନବୀନଙ୍କୁ ଦାୟୀ କରିବାକୁ ନେଇ ଗର୍ଜିଲା ବିଜେଡି, କହିଲା ‘ସରକାର ନିଜ କାମ କରୁ ନାହାଁନ୍ତି’

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟାକାଣ୍ଡର ତଦନ୍ତ କମିଶନ ଫାଇଲ୍ ନିଖୋଜ ହେବା ଘଟଣା ଏବେ ରାଜ୍ୟ ରାଜନୀତିରେ ଉଷ୍ମତା ବଢ଼ାଇଛି। ଏହି ଘଟଣାରେ ବିଜେପି ନେତାମାନେ ସିଧାସଳଖ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜୁ ଜନତା ଦଳକୁ ଦାୟୀ କରିବା ପରେ, ଏବେ ବିଜେଡି ପକ୍ଷରୁ ମଧ୍ୟ କଡ଼ା ପ୍ରତିକ୍ରିୟା ଆସିଛି। ରାଜ୍ୟର ନୂଆ ବିଜେପି ସରକାରଙ୍କୁ ଟାର୍ଗେଟ୍ କରି ବିଜେଡି କହିଛି ଯେ ନିଜ କାମ ନକରି ପୂର୍ବ ସରକାର ଉପରେ ଦୋଷ ଲଦିବା ଏକ ବିରାଟ ଦୁର୍ଭାଗ୍ୟଜନକ କଥା।

 

ଏହି ପ୍ରସଙ୍ଗରେ ବିଜେଡି ବିଧାୟକ ରମେଶ ବେହେରା ଏକ ବିବୃତ୍ତି ଦେଇ ବିଜେପିର ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ, “ନବୀନ ପଟ୍ଟନାୟକଙ୍କୁ ଦାୟୀ କରିବାରେ କୌଣସି ପ୍ରାସଙ୍ଗିକତା ନାହିଁ। ସରକାର ଆସିବେ ଓ ଯିବେ, ମାତ୍ର ଯେକୌଣସି ସରକାରୀ ଫାଇଲର ପ୍ରକୃତ କଷ୍ଟୋଡିଆନ୍ (ରକ୍ଷକ) ହେଉଛନ୍ତି ସରକାରୀ କର୍ମଚାରୀ ଏବଂ ବିଭାଗୀୟ ଅଧିକାରୀମାନେ। ସରକାର ବଦଳିଲେ ନୂଆ ସରକାର କହିବେ ଯେ ପୂର୍ବ ସମୟରେ ଏମିତି ହୋଇଥିଲା, ଏହା ଏକ ସାଧାରଣ ପ୍ରକ୍ରିୟା। ମାତ୍ର ଏଥିପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ଅତ୍ୟନ୍ତ ଅବାସ୍ତବ ଅଟେ।”

 

ବିଧାୟକ ରମେଶ ବେହେରା ଆହୁରି ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନର ବିଜେପି ସରକାର ହାତରେ ସମ୍ପୂର୍ଣ୍ଣ ପ୍ରଶାସନିକ କ୍ଷମତା (ମେକାନିଜିମ୍) ରହିଛି। “ଏବେ ଛୁରୀ ତାଙ୍କ ହାତରେ ଏବଂ କାକୁଡ଼ି ବି ତାଙ୍କ ହାତରେ। ଯଦି ଫାଇଲ ଗାୟବ ହୋଇଛି, ତେବେ ସେମାନେ ନିଜସ୍ୱ ତଦନ୍ତ କରି କଠୋର ପଦକ୍ଷେପ ନେଇପାରିବେ, ସେଥିପାଇଁ ତ କେହି ମନା କରିନାହାଁନ୍ତି।” ଏହା ସହିତ ସେ ଆଶ୍ଚର୍ଯ୍ୟ ପ୍ରକଟ କରି କହିଥିଲେ ଯେ ସରକାରରେ ଥାଇ ମଧ୍ୟ ଶାସକ ଦଳ କେବଳ ବିରୋଧୀଙ୍କୁ ଆକ୍ଷେପ କରୁଛି। ଯେଉଁ ଦଳ ଏବେ କ୍ଷମତାରେ ନାହିଁ ତା’ ଉପରେ ଦୋଷ ଲଦିବା ଏବଂ ନିଜ ପ୍ରଶାସନିକ ଦାୟିତ୍ୱରୁ ଖସିଯିବାକୁ ଚେଷ୍ଟା କରିବାଠାରୁ ବଳି ଆଉ ଦୁର୍ଭାଗ୍ୟର ବିଷୟ କିଛି ହୋଇନପାରେ ବୋଲି ସେ କହିଛନ୍ତି।

 

ଅନ୍ୟପକ୍ଷରେ, ସିଏମଓରୁ ଫାଇଲ୍ ନିଖୋଜ ହେବା ମାମଲାରେ ପୋଲିସ୍ ତଦନ୍ତ ଜାରି ରଖିଛି। ଏହି ଘଟଣାରେ ପୂର୍ବତନ ଆଇଏଏସ୍ ଅଧିକାରୀ ରାଜେଶ ବର୍ମାଙ୍କୁ କ୍ୟାପିଟାଲ୍ ଥାନା ପକ୍ଷରୁ ହାଜର ହେବା ପାଇଁ ନୋଟିସ୍ କରାଯାଇଥିଲା। ମାତ୍ର ନିର୍ଦ୍ଧାରିତ ସମୟ ସୀମା ଶେଷ ହୋଇଥିଲେ ସୁଦ୍ଧା ସେ ଥାନାରେ ହାଜର ହୋଇନଥିବା ଜଣାପଡିଛି। ଏହା ପୂର୍ବରୁ ଆଇଟି ସଚିବ ଭାବରେ କାର୍ଯ୍ୟ କରିଥିବା ମନୋଜ ମିଶ୍ର ଅନ୍ୟ ଜଣେ ଅଧିକାରୀଙ୍କୁ ମଧ୍ୟ ପଚରାଉଚରା କରାଯାଇଥିଲା। ଏହି ହାଇ-ପ୍ରୋଫାଇଲ୍ ମାମଲାରେ ସସ୍ପେନ୍ସ ବଢ଼ିବାରେ ଲାଗିଥିବାବେଳେ, ସରକାର କେବେ ପ୍ରକୃତ ସତ୍ୟ ସାମ୍ନାକୁ ଆଣିବେ ତାହା ଦେଖିବା ବାକି ରହିଲା।

Leave A Reply

Your email address will not be published.