Latest Odisha News

BREAKING NEWS

ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦ ସମାଧାନ ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ଦିନରୁ ଚାଲି ଆସୁଥିବା ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ବଡ ଅପଡେଟ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସେ କହିଛନ୍ତି ଆସନ୍ତା ଦୀପାବଳି ସୁଦ୍ଧା ମହାନଦୀ ଜଳ ବିବାଦର ସମାଧାନ ନେଇ ଲକ୍ଷ୍ୟ ରଖାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ କହିବାନୁସାରେ, ଆସନ୍ତା ୩ ମାସ ମଧ୍ୟରେ ମହାନଦୀ ଜଳ ବଣ୍ଟନ ଓ ପରିଚାଳନାକୁ ନେଇ ରହିଥିବା ବିବାଦର ଏକ ଗ୍ରହଣଯୋଗ୍ୟ ଏବଂ ସ୍ଥାୟୀ ସମାଧାନ ବାହାର କରିବା ପାଇଁ ଉଭୟ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବେ । ଏଥିପାଇଁ ଆଲୋଚନାର ପ୍ରକ୍ରିୟାକୁ ଆଗକୁ ବଢ଼ାଇବା ସହ ସମନ୍ୱିତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି. ଆର୍. ପାଟିଲଙ୍କ ଅଧ୍ୟକ୍ଷତା ଏବଂ କେନ୍ଦ୍ର ଜଳଶକ୍ତି ରାଜ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ପ୍ରଥମ ଥର ପାଇଁ ସାମ୍ନାସାମ୍ନି ବସି ପ୍ରାୟ ୧ ଘଣ୍ଟା ଧରି ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଛନ୍ତି ।

ଏହି ଚର୍ଚ୍ଚା ବେଳେ ଓଡ଼ିଶାର ସ୍ବାର୍ଥ, ରାଜ୍ୟର ଜଳସମ୍ପଦ ସୁରକ୍ଷା ଏବଂ ଚାଷୀକୁଳଙ୍କ ଭବିଷ୍ୟତକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାର ପକ୍ଷ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ । ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ମଧ୍ୟରେ ପାରସ୍ପରିକ ସହଯୋଗ ଓ ଆପୋଷ ଆଲୋଚନା ଜରିଆରେ ଏହି ଜଟିଳ ସମସ୍ୟାର ସ୍ଥାୟୀ ସମାଧାନ ନେଇ ୨ ରାଜ୍ୟ ମଧ୍ୟରେ ସହମତି ପ୍ରକାଶ ପାଇଛି ।

Leave A Reply

Your email address will not be published.