ଗ୍ଲାସଗୋ: ତ୍ରିପୁରାର ୨୩ ବର୍ଷୀୟା ଜୁଡୋକା ଅସ୍ମିତା ଡେ କମନୱେଲଥ ଗେମ୍ସରେ ଇତିହାସ ରଚିଛନ୍ତି । ମହିଳା ୪୮ କିଲୋଗ୍ରାମ ବର୍ଗର ଫାଇନାଲ ମୁକାବିଲାରେ କାନାଡାର ହେଡି କ୍ୱାଚଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ପଦକ ନିଜ ନାମରେ କରିଛନ୍ତି । ଏହା ସହିତ କମନୱେଲଥ ଗେମ୍ସ ଇତିହାସରେ ଜୁଡୋ ଖେଳରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ ପଦକ ଦେଇଥିବା ଖେଳାଳି ହୋଇପାରିଛନ୍ତି । ଅସ୍ମିତାଙ୍କ ପରେ ପୁରୁଷ ୬୦ କିଗ୍ରା ବିଭାଗରେ ହର୍ଷ ସିଂ ଆଉ ଏକ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି । ୨୩ ବର୍ଷୀୟ ହର୍ଷ ଅଷ୍ଟ୍ରେଲିଆର ଜୋଶୁଆ କାଟଜଙ୍କୁ ୧୦-୦ରେ ମାତ ଦେଇଥିଲେ । ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋ ଖେଳରେ ଭାରତ ଐତିହାସିକ ପ୍ରଦର୍ଶନ କରିଛି । ଫାଇନାଲ ମୁକାବିଲାର ଆରମ୍ଭ ଅସ୍ମିତାଙ୍କ ପାଇଁ ବେଶ ଚ୍ୟାଲେଞ୍ଜିଂ ଥିଲା। କାନାଡା ପ୍ରତିଦ୍ୱନ୍ଦ୍ୱୀ ହେଡି କ୍ୱାଚ ଆରମ୍ଭରୁ ଗୋଟିଏ ୟୁକୋ ପଏଣ୍ଟ ହାସଲ କରିନେଇଥିଲେ ଏବଂ ଅସ୍ମିତାଙ୍କୁ ଗୋଟିଏ ପେନାଲ୍ଟି ମଧ୍ୟ ସହିବାକୁ ପଡ଼ିଥିଲା ।
ଅସ୍ମିତା ଆକ୍ରାମକ ଆଭିମୁଖ୍ୟ ଆପଣାଇ ନିର୍ଦ୍ଧାରିତ ସମୟର ମଝିରେ ୧-୧ ସମାନତାରେ ପହଞ୍ଚିଥିଲେ । ମୁକାବିଲା ଗୋଲଡେନ୍ ସ୍କୋରକୁ ଯାଇଥିଲା। ଅସ୍ମିତା ନିଜର ଏକାଗ୍ରତା ବଜାୟ ରଖିଥିଲେ ଏବଂ ସଠିକ୍ ସୁଯୋଗକୁ ଅପେକ୍ଷା କରିଥିଲେ । ଏକ ଚମତ୍କାର ଓ ସଠିକ୍ ଆକ୍ରମଣ କରି ଅସ୍ମିତା ଦ୍ୱିତୀୟ ୟୁକୋ ପଏଣ୍ଟ ହାସଲ କରି ମ୍ୟାଚ୍ ସହ ସ୍ୱର୍ଣ୍ଣ ପଦକ ଜିତି ନେଇଥିଲେ । ଏହା ପୂର୍ବରୁ ସେ ସ୍କଟଲ୍ୟାଣ୍ଡର ଇଭା ଇଭିଂ ଏବଂ ସମର ଶଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ଅସ୍ମିତା ଡେଙ୍କ ଏହି ଐତିହାସିକ ସଫଳତା କମନୱେଲଥ ଗେମ୍ସରେ ଭାରତୀୟ ଜୁଡୋ ଦଳ ପାଇଁ ଏକ ନୂତନ ଅଧ୍ୟାୟର ଶୁଭାରମ୍ଭ କରିଛି ।