ନୂଆଦିଲ୍ଲୀ: ନୂଆଦିଲ୍ଲୀର ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ରେ ଆସନ୍ତା ଅଗଷ୍ଟ ୧୭ରୁ ୨୩ ତାରିଖ ପର୍ୟ୍ୟନ୍ତ ବିଶ୍ୱ ବ୍ୟାଡମିଣ୍ଟନ୍ ଚାମ୍ପିଅନ୍ସିପ ଆୟୋଜିତ ହେବ । ଏହି ଗୁରୁତ୍ୱପୂର୍ଣ୍ଣ ଟୁର୍ନାମେଣ୍ଟ ପାଇଁ ବିଶ୍ୱ ବ୍ୟାଡମିଣ୍ଟନ୍ ମହାସଂଘ ପକ୍ଷରୁ ଖେଳାଳିଙ୍କ ସୀଡିଂ ତାଲିକା ପ୍ରକାଶ ପାଇଛି । ଦୁଇଥରର ଅଲିମ୍ପିକ୍ସ ପଦକ ବିଜେତା ପି.ଭି. ସିନ୍ଧୁଙ୍କୁ ମହିଳା ସିଙ୍ଗଲ୍ସରେ ୯ମ ସୀଡିଂ ମିଳିଥିବା ବେଳେ ଭାରତର ତାରକା ପୁରୁଷ ଡବଲ୍ସ ଯୋଡ଼ି ସାତ୍ତ୍ୱିକସାଇରାଜ୍ ରଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟୀଙ୍କୁ ୫ମ ସୀଡିଂ ପ୍ରଦାନ କରାଯାଇଛି । ଭାରତ ଚାମ୍ପିଅନ୍ସିପ୍ର ସମସ୍ତ ୫ଟି ବର୍ଗରେ ଦୁଇଟି ଲେଖାଏଁ ଏଣ୍ଟ୍ରି ହାସଲ କରିଛି, ଯେଉଁଥିରୁ ୪ଟି ବର୍ଗରେ ଭାରତୀୟ ଖେଳାଳିମାନେ ସୀଡିଂ ପାଇଛନ୍ତି । ପୂର୍ବତନ ବିଶ୍ୱ ଚାମ୍ପିଅନ୍ସିପ କାଂସ୍ୟ ପଦକ ବିଜେତା ଲକ୍ଷ୍ୟ ସେନ୍ଙ୍କୁ ୧୪, ମିକ୍ସଡ୍ ଡବଲ୍ସ ଯୋଡ଼ି ଧ୍ରୁବ କପିଲା ଏବଂ ତନୀଷା କ୍ରାଷ୍ଟୋ ଯୋଡ଼ିଙ୍କୁ ୧୫ଶ ସୀଡିଂ ପାଇଛନ୍ତି । ଗତମାସରେ ଜାପାନ ଓପନ୍ ଜିତି ସିନ୍ଧୁ ଇତିହାସ ରଚିଥିଲେ ଏବଂ ପ୍ରଥମ ଭାରତୀୟ ଭାବେ ଏହି ଟାଇଟଲ୍ ହାସଲ କରିଥିଲେ । ସେହିପରି ସାତ୍ତ୍ୱିକ୍-ଚିରାଗ ୨୦୨୨ ଏସିଆନ୍ ଗେମ୍ସର ସ୍ୱର୍ଣ୍ଣ ପଦକ ବିଜେତା ଅଟନ୍ତି ।
ଟପ ସୀଡ୍ ଖେଳାଳିଙ୍କ ତାଲିକା-ପୁରୁଷ ସିଙ୍ଗଲ୍ସ: ଚୀନ୍ର ବିଶ୍ୱ ଚାମ୍ପିଅନ୍ ଶୀ ୟୁକୀ (ପ୍ରଥମ ସୀଡ୍) । ମହିଳା ସିଙ୍ଗଲ୍ସ: ଦକ୍ଷିଣ କୋରିଆର ଏନ୍ ସେ ୟଙ୍ଗ୍ (ପ୍ରଥମ ସୀଡ୍) ଏବଂ ଜାପାନର ଅକାନେ ୟାମାଗୁଚି (ଦ୍ୱିତୀୟ ସୀଡ୍) । ପୁରୁଷ ଡବଲ୍ସ: ଦକ୍ଷିଣ କୋରିଆର କିମ୍ ୱୋନ୍ ହୋ ଓ ସିଓ ସେଉଙ୍ଗ୍ ଜେ (ପ୍ରଥମ ସୀଡ୍) । ମହିଳା ଡବଲ୍ସ: ଚୀନ୍ର ଲିୟୁ ଶେଙ୍ଗ୍ ଶୂ ଓ ଟ୍ୟାନ୍ ନିଙ୍ଗ୍ (ପ୍ରଥମ ସୀଡ୍) । ମିକ୍ସଡ୍ ଡବଲ୍ସ: ଚୀନ୍ର ଫେଙ୍ଗ୍ ୟାନ୍ ଝେ ଓ ହୁଆଙ୍ଗ୍ ଡୋଙ୍ଗ୍ ପିଙ୍ଗ୍ (ପ୍ରଥମ ସୀଡ୍) । ଏହି ଚାମ୍ପିଅନ୍ସିପ୍ ପାଇଁ ବୁଧବାର ଦିଲ୍ଲୀଠାରେ ଅଫିସିଆଲ୍ ଡ୍ର ଘୋଷଣା କରାଯିବ । ଡ୍ର ପୂର୍ବରୁ ଯଦି କୌଣସି ସୀଡେଡ୍ ଖେଳାଳି ଓହରିଯାଆନ୍ତି, ତେବେ ଅନ୍ତିମ ସୀଡିଂ ତାଲିକାରେ ପରିବର୍ତ୍ତନ ହୋଇପାରେ ।