Latest Odisha News

BREAKING NEWS

ରାଜ୍ୟରେ ବନ୍ୟା ସ୍ଥିତି ସଙ୍ଗୀନ, ସରକାରଙ୍କ ଉପରେ ବର୍ଷିଲା ବିଜେଡି

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ମୁକାବିଲା ଓ ପରିଚାଳନାକୁ ନେଇ ବିଜୁ ଜନତା ଦଳ (ବିଜେଡି) ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି। ଦଳ ଅଭିଯୋଗ କରିଛି ଯେ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ବନ୍ୟା ସ୍ଥିତି ସଙ୍ଗୀନ ହୋଇପଡ଼ିଛି ଏବଂ ପ୍ରଭାବିତ ଲୋକଙ୍କୁ ସଠିକ୍ ସହାୟତା ମିଳୁନାହିଁ। କମିଥିବା କେନ୍ଦ୍ରୀୟ ଅନୁଦାନକୁ ଲୁଚାଇବା ପାଇଁ ବନ୍ୟା ସହାୟତାକୁ ବିଜେପି ପ୍ରଚାର କରୁଛି। ଦୁଇ ବର୍ଷରେ ପ୍ରମୁଖ ବିକାଶ ଯୋଜନାରେ ୪,୫୦୦ କୋଟିର ହ୍ରାସ ପାଇଛି। ଆବାସ, ପାନୀୟ ଜଳ, ଗ୍ରାମୀଣ ସଡ଼କ ଓ କୃଷି ଯୋଜନାରେ ମଧ୍ୟ ପ୍ରଭାବିତ ହୋଇଛି। ଅନୁଦାନ ହ୍ରାସ ତଥ୍ୟ ଲୁଚାଇ ବନ୍ୟା ମୁକାବିଲା ଅନୁଦାନର ପ୍ରଚାର କରାଯାଉଛି ବୋଲି କହି ବିଜେଡି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି।

ରାଜ୍ୟରେ ବନ୍ୟାର ମୁକାବିଲା ପାଇଁ କେନ୍ଦ୍ର ସରକାର ୫୦୦ କୋଟି ଟଙ୍କା ଅନୁଦାନ ଘୋଷଣା କରିଥିବାକୁ ନେଇ ରାଜ୍ୟ ସରକାର ଓ ବିଜେପି ତରଫରୁ ଏହାକୁ ବିଶେଷ ପ୍ରଚାର କରାଯାଉଛି। କିନ୍ତୁ, ଏହି ଅନୁଦାନ କିଛି ବିଶେଷ ଅନୁଦାନ ନୁହେଁ, ବନ୍ୟା ବା ଅନ୍ୟ କୌଣସି ପ୍ରାକୃତିକ ବିପର୍ଯ୍ୟୟ ଘଟିଲେ ରାଜ୍ୟକୁ କେନ୍ଦ୍ରର ଅନୁଦାନ ମିଳିଥାଏ । ତେଣୁ ଏଥିପାଇଁ ବିଶେଷ ଉଲ୍ଲସିତ ହେବାର କୌଣସି କାରଣ ନାହିଁ ବୋଲି ବିଜେଡି କହିଛି। ବିଜେଡି ମୁଖପାତ୍ର ଡ଼ ଲେନିନ ମହାନ୍ତି କହିଛନ୍ତି, ଓଡ଼ିଶାରେ ଡବଲ୍ ଇଞ୍ଜିନ୍ ସରକାର ଗଠନ ହେଲେ ରାଜ୍ୟକୁ କେନ୍ଦ୍ରରୁ ଅଧିକ ଅର୍ଥ ଓ ବିକାଶ ମିଳିବ ବୋଲି ବିଜେପି ଯେଉଁ ବଡ଼ ବଡ଼ ପ୍ରତିଶ୍ରୁତି ଦେଇଥିଲା, ଦୁଇ ବର୍ଷର ତଥ୍ୟ ଦେଖିଲେ କେନ୍ଦ୍ର ଅନୁଦାନ ବଢିବା ପରିବର୍ତ୍ତେ କମିଛି। ରାଜ୍ୟର ବିଜେପି ନେତାମାନେ ବାସ୍ତବ ଚିତ୍ରକୁ ଲୁଚାଇବା ଉଦ୍ୟେଶରେ ବନ୍ୟା ମୁକାବିଲା ପାଇଁ ମିଳିଥିବା ସହାୟତାକୁ ପ୍ରଚାର କରୁଛନ୍ତି।

ପ୍ରମୁଖ ବିକାଶମୂଳକ ଯୋଜନାଗୁଡ଼ିକରେ ଓଡ଼ିଶାକୁ ମିଳୁଥିବା କେନ୍ଦ୍ରୀୟ ଅନୁଦାନ ୨୦୨୩–୨୪ରେ ୨୧,୫୦୦ କୋଟିରୁ ୨୦୨୪–୨୫ରେ ୧୭,୦୦୦ କୋଟିକୁ ହ୍ରାସ ପାଇଛି । ଅର୍ଥାତ୍ ୨ ବର୍ଷ ମଧ୍ୟରେ ପ୍ରାୟ ୪,୫୦୦ କୋଟି ବା ୧୮.୧୯ ପ୍ରତିଶତ ହ୍ରାସ ପାଇଛି। ଏହା କେବଳ ଏକ ଅର୍ଥନୈତିକ ହିସାବ ନୁହେଁ; ଏହାର ସିଧାସଳଖ ପ୍ରଭାବ ଓଡ଼ିଶାର ଗରିବ, କୃଷକ ଓ ଗ୍ରାମାଞ୍ଚଳର ଲୋକଙ୍କ ଉପରେ ପଡ଼ିବ। ଗ୍ରାମାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶାକୁ ମିଳୁଥିବା ଅନୁଦାନ ୪,୩୧୦ କୋଟିରୁ ୮୨୫ କୋଟିକୁ ଖସିଆସିଛି, ଅର୍ଥାତ୍ ପ୍ରାୟ ୩,୫୦୦ କୋଟି ହ୍ରାସ ଘଟିଛି । ସେହିପରି ସହାରାଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ମିଳିଥିବା ଅନୁଦାନ ୨୯୬ କୋଟିରୁ ୦.୭୩ କୋଟିକୁ ହ୍ରାସ ପାଇଛି, ଅର୍ଥାତ୍ ପ୍ରାୟ ୨୯୫ କୋଟି ହ୍ରାସ ପାଇଛି । ଅନୁରୂପ ଭାବେ ଜଳ ଜୀବନ ମିଶନରେ ମଧ୍ୟ ଓଡ଼ିଶାକୁ ମିଳୁଥିବା ଅନୁଦାନ ୧,୫୮୧ କୋଟିରୁ ୩୬୮ କୋଟିକୁ ହ୍ରାସ ପାଇଛି। ଅର୍ଥାତ୍ ୧,୨୦୦ କୋଟିରୁ ଅଧିକ ହ୍ରାସ।

ନିର୍ବାଚନ ପୂର୍ବରୁ ବିଜେପି ଡବଲ୍ ଇଞ୍ଜିନ୍ ସରକାର ଡବଲ ବିକାଶ ନାରା ଦେଇଥିଲା। କିନ୍ତୁ ଉପଲବ୍ଧ ତଥ୍ୟ ଅନୁସାରେ ଗରିବଙ୍କ ଘର, ପାନୀୟ ଜଳ, ଗ୍ରାମୀଣ ସଡ଼କ, କୃଷି ଓ ଜଳସେଚନ ଭଳି ମୌଳିକ କ୍ଷେତ୍ରରେ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଇଛି। ତେଣୁ ସ୍ୱାଭାବିକ ଭାବେ ପ୍ରଶ୍ନ ଉଠେ ଯେ, ଡବଲ୍ ଇଞ୍ଜିନ୍ ସରକାରର ଦୁଇ ବର୍ଷ ପରେ ଡବଲ୍ ଇଞ୍ଜିନରେ ଓଡ଼ିଶାକୁ ଗତି ମିଳିଲା, ନା ୱିକାଶରେ ବ୍ରେକ୍ ଲାଗିଲା ବୋଲି ରାଜ୍ୟ ସରକାରଙ୍କୁ ବିଜେଡି ପ୍ରଶ୍ନ କରିଛି।

Leave A Reply

Your email address will not be published.