Latest Odisha News

BREAKING NEWS

ବନ୍ୟା ମୁକାବିଲା ଓ କ୍ଷତିପୂରଣ ପ୍ରଦାନରେ ସରକାର ସମ୍ପୂର୍ଣ୍ଣ ବିଫଳ: ଓଡ଼ିଶା ଜନତା କଂଗ୍ରେସ

ଭୁବନେଶ୍ୱର: ରାଜ୍ୟରେ ବନ୍ୟା ପରିଚାଳନା, ରିଲିଫ ବଣ୍ଟନ, କ୍ଷୟକ୍ଷତିର ଆକଳନ ଏବଂ କ୍ଷତିପୂରଣ ଘୋଷଣା କ୍ଷେତ୍ରରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଥିବା ଓଡ଼ିଶା ଜନତା କଂଗ୍ରେସ (ଓଜେସି) ପକ୍ଷରୁ ଅଭିଯୋଗ କରାଯାଇଛି। ଭୁବନେଶ୍ୱର ସ୍ଥିତ ଦଳୀୟ ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କୃଷକ ଜନତା କଂଗ୍ରେସର ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ଏହି ଅଭିଯୋଗ ଆଣିଛନ୍ତି।

ବନ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ସରକାରଙ୍କର ଆଦୌ କୌଣସି ପୂର୍ବ ପ୍ରସ୍ତୁତି ନଥିଲା ବୋଲି ଶ୍ରୀ ମାଝୀ ପ୍ରକାଶ କରିଛନ୍ତି। ରାଜ୍ୟରେ ବନ୍ୟାର ପ୍ରକୋପ ବୃଦ୍ଧି ପାଉଥିବା ବେଳେ ମୁଖ୍ୟମନ୍ତ୍ରୀ ତଥା ସାଂସଦମାନେ ନୂଆଦିଲ୍ଲୀରେ ଦଳୀୟ ରାଜନୀତିରେ ମାତିଥିଲେ ବୋଲି ସେ ସମାଲୋଚନା କରିଛନ୍ତି। ପ୍ରଭାବିତ ଜିଲ୍ଲା ସଂଖ୍ୟାକୁ ନେଇ ସରକାର ପ୍ରଥମେ ୩, ପରେ ୭, ୧୦ ଓ ୧୫ଟି ଜିଲ୍ଲା କହିବା ପରେ ଶେଷରେ ପ୍ରକୃତରେ ୨୨ଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବା ସ୍ପଷ୍ଟ ହୋଇଥିଲା। ପୂର୍ବତନ ବିଜେଡି ସରକାରଙ୍କ ଅପାରଗତା କାରଣରୁ ଛତିଶଗଡ଼ ମନମାନି କରି ବଡ଼ ବ୍ୟାରେଜ ଓ ଚେକଡ୍ୟାମ ମାଧ୍ୟମରେ ମହାନଦୀ ଜଳକୁ ଅଟକାଇ ରଖିଥିଲା।

ବର୍ତ୍ତମାନ ଛତିଶଗଡ଼, ଓଡ଼ିଶା ଏବଂ କେନ୍ଦ୍ରରେ ବିଜେପି ସରକାର ରହିଥିଲେ ସୁଦ୍ଧା ମହାନଦୀର ଉପରମୁଣ୍ଡରୁ କେତେ ଜଳ ଆସିବ ସେ ନେଇ କୌଣସି ଆଗୁଆ ସୂଚନା ଦିଆଯାଉ ନାହିଁ। ଜଳ ପରିଚାଳନାରେ ସମନ୍ୱୟର ଅଭାବ ଯୋଗୁଁ ଓଡ଼ିଶାରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହେବା ସହ ଲକ୍ଷ ଲକ୍ଷ ଲୋକ ଦୁର୍ଦ୍ଦଶା ଭୋଗିଥିବା ସେ କହିଛନ୍ତି।

ବନ୍ୟା ବିପନ୍ନମାନଙ୍କୁ ରିଲିଫ୍, ଶୁଖିଲା କିମ୍ବା ରନ୍ଧା ଖାଦ୍ୟ ଏବଂ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ଯୋଗାଇବାରେ ସରକାର ଅବହେଳା କରିଥିବା ହେତୁ ରାଜ୍ୟରେ ୬ ଜଣଙ୍କର ମୂଲ୍ୟବାନ ଜୀବନ ଯାଇଛି ଓ ଏଥିପାଇଁ ସରକାର ହିଁ ଦାୟୀ ବୋଲି ଓଜେସି ଦାବି କରିଛି। ବନ୍ୟା ପରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟର ଯୋଗେ ଯେଉଁ ଗସ୍ତ କଲେ, ତାହା କ୍ଷୟକ୍ଷତିର ଆକଳନ ପାଇଁ ଥିଲା ନା କେବଳ ଏକ ଲୋକଦେଖାଣିଆ ପ୍ରହସନ ଥିଲା ବୋଲି ଦଳ ପ୍ରଶ୍ନ କରିଛି।

ସରକାର ଯେଉଁ କ୍ଷତିପୂରଣ ରାଶି ଘୋଷଣା କରିଛନ୍ତି ତାହା ‘ସମୁଦ୍ରକୁ ଶଙ୍ଖେ’ ସଦୃଶ ଅଟେ। ୨୦୧୮ ମସିହାରେ ବିଧାନସଭାରେ ପାରିତ ସର୍ବଦଳୀୟ ପ୍ରସ୍ତାବ ଆଧାରରେ ପ୍ରତି କ୍ୱିଣ୍ଟାଲ ଧାନ ଉତ୍ପାଦନ ଖର୍ଚ୍ଚ ୨୩୪୪ ଟଙ୍କା ଧାର୍ଯ୍ୟ ହୋଇଥିଲା। ଏହି ହିସାବରେ ହେକ୍ଟର ପିଛା ଧାନ ଚାଷ ଖର୍ଚ୍ଚ ଅତିକମରେ ୯୦ ହଜାର ଟଙ୍କା ହେଉଥିବା ବେଳେ, ସରକାର ଜଳସେଚିତ ଜମି ପାଇଁ ମାତ୍ର ୧୭ ହଜାର ଏବଂ ଅଣଜଳସେଚିତ ଜମି ପାଇଁ ୮,୫୦୦ ଟଙ୍କାର ସହାୟତା ଘୋଷଣା କରି ଚାଷୀମାନଙ୍କୁ ଉପହାସ କରିଛନ୍ତି।

ବିଶେଷକରି ପନିପରିବା ଚାଷ କରିଥିବା ଚାଷୀମାନେ ସମ୍ପୂର୍ଣ୍ଣ ରୂପେ ବରବାଦ ହୋଇଯାଇଛନ୍ତି। ‘ଡବଲ ଇଞ୍ଜିନ’ ସରକାର ରଙ୍ଗବୋଳିବା ଏବଂ ସରକାରୀ ଉତ୍ସବ ପାଳନରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ବନ୍ୟାରେ ପ୍ରାଣ ହରାଇଥିବା ଚାଷୀଙ୍କ ପାଇଁ ମାତ୍ର ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା ସରକାରଙ୍କ ସମ୍ବେଦନହୀନ ମନୋଭାବକୁ ଦର୍ଶାଉଛି ବୋଲି ଶ୍ରୀ ମାଝୀ କହିଛନ୍ତି। ପୁରୁଣା ଏସଡିଆରଏଫ୍ (SDRF) ନିୟମ ଅନୁସାରେ ଭଙ୍ଗା ଗୁହାଳ ଘର ପାଇଁ ୩ ହଜାର, କୁଡ଼ିଆ ଘର ପାଇଁ ୮ ହଜାର ଏବଂ ଆଂଶିକ ଛାତଘର ମରାମତି ପାଇଁ ୬୫୦୦ ଟଙ୍କା ସହାୟତା ଆଦୌ ଯଥେଷ୍ଟ ନୁହେଁ, ତେଣୁ ବର୍ତ୍ତମାନର ଦରଦାମ ଅନୁସାରେ କ୍ଷତିପୂରଣ ଦେବାକୁ ସେ ଦୃଢ଼ ଦାବି ଜଣାଇଛନ୍ତି।

ଓଜେସି କୃଷକ ମୋର୍ଚ୍ଚା ପକ୍ଷରୁ ଏହି ପ୍ରସଙ୍ଗରେ ୯ ଦଫା ସମ୍ବଳିତ ଏକ ଦାବି ଉପସ୍ଥାପନ କରାଯାଇଛି। ଚାଷଜମି କ୍ଷୟକ୍ଷତି ସହାୟତା ରାଶିକୁ ପରିବର୍ତ୍ତନ କରି ହେକ୍ଟର ପିଛା ସର୍ବନିମ୍ନ ୮୦ ହଜାର ଟଙ୍କା ପ୍ରଦାନ କରିବା ଏବଂ ଧାନ ସମେତ ପନିପରିବା ଚାଷର ମଧ୍ୟ ଆକଳନ କରି କ୍ଷତି ଭରଣା କରିବାକୁ ଦଳ ଦାବି କରିଛି। ଏଥିସହ ବନ୍ୟା କ୍ଷତିଗ୍ରସ୍ତ ଚାଷୀମାନଙ୍କର ଋଣ ତୁରନ୍ତ ଛାଡ଼ କରିବା ସହିତ ପରବର୍ତ୍ତୀ ଚାଷ କାର୍ଯ୍ୟ ପାଇଁ ସେମାନଙ୍କୁ ମାଗଣାରେ ସାର ଓ ବିହନ ଯୋଗାଇ ଦେବାକୁ ଆହ୍ୱାନ ଦିଆଯାଇଛି।

ଗୋ-ପାଳକ, ମତ୍ସ୍ୟ ଏବଂ କୁକୁଡ଼ା ଚାଷୀମାନଙ୍କର ମଧ୍ୟ ତୁରନ୍ତ କ୍ଷୟକ୍ଷତି ଆକଳନ କରାଯାଇ ସହାୟତା ପ୍ରଦାନ କରିବା ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି। ବନ୍ୟାରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଘର ପାଇଁ ଅତିକମରେ ଅଢ଼େଇ ଲକ୍ଷ ଟଙ୍କା ଏବଂ ମୃତକଙ୍କ ପରିବାରକୁ ୪ ଲକ୍ଷ ବଦଳରେ ୧୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ମୋର୍ଚ୍ଚା ଦାବି ରଖିଛି। ବନ୍ୟା ପ୍ଳାବିତ ଅଞ୍ଚଳରେ ଡାଇରିଆ ଓ ଅନ୍ୟାନ୍ୟ ଜଳବାହିତ ରୋଗର ନିରାକରଣ ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଦଳ ପଠାଇବା, ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱକୁ ଉଠି ନିରପେକ୍ଷ ଭାବେ କ୍ଷୟକ୍ଷତି ଆକଳନ କରିବା ଏବଂ ନଦୀବନ୍ଧ ଘାଇ ଯୋଗୁଁ ଚାଷଜମିରେ ମାଡିଯାଇଥିବା ବାଲିକୁ ତୁରନ୍ତ ଉଦ୍ଧାର କରିବା ପାଇଁ ସରକାରୀ ସ୍ତରରେ ତ୍ୱରିତ ପଦକ୍ଷେପ ନେବାକୁ ସଂଗଠନ ଦାବି କରିଛି।

Leave A Reply

Your email address will not be published.