ଝାରସୁଗୁଡ଼ାରେ ହ୍ରାସ ପାଉଛି ଡେଙ୍ଗୁ ସଂକ୍ରମଣ: ସପ୍ତାହକୁ ୪ ଦିନ ‘ଡ୍ରାଏ ଡେ’ ପାଳନ ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ୱତନ୍ତ୍ର ୱାର୍ଡ
ଝାରସୁଗୁଡ଼ା: ଜିଲ୍ଲାରେ ଡେଙ୍ଗୁ ଏବଂ ଅନ୍ୟାନ୍ୟ ମଶାବାହିତ ରୋଗର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ତଥା ପ୍ରତିରୋଧ ପାଇଁ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ରାଷ୍ଟ୍ରୀୟ ଭେକ୍ଟର ବୋର୍ଣ୍ଣ ଡିଜିଜ୍ କଣ୍ଟ୍ରୋଲ ପ୍ରୋଗ୍ରାମ ଅଧୀନରେ ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ୨୦୨୬-୨୭ ବର୍ଷ ପାଇଁ ଜିଲ୍ଲାସ୍ତରୀୟ ଆନ୍ତଃ-ବିଭାଗୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଜିଲ୍ଲାରେ ଡେଙ୍ଗୁ ସଂକ୍ରମଣ ଯଥେଷ୍ଟ ହ୍ରାସ ପାଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ରୂପେ ରୋକିବା ପାଇଁ ବ୍ୟାପକ ସଚେତନତା ଅଭିଯାନ ହାତକୁ ନିଆଯାଇଛି।
ପ୍ରଶାସନିକ ତଥ୍ୟ ଅନୁଯାୟୀ, ଜିଲ୍ଲାରେ ପୂର୍ବ ବର୍ଷଗୁଡ଼ିକ ତୁଳନାରେ ଡେଙ୍ଗୁ ସଂକ୍ରମଣ ସଂଖ୍ୟା କମିଛି । ୨୦୨୪ ମସିହାରେ ୧୪୫୬ ଜଣଙ୍କ ରକ୍ତ ପରୀକ୍ଷା କରାଯାଇ ୬୮ ଜଣ ଡେଙ୍ଗୁ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୦୨୫ରେ ୧୦୬୧ ଜଣଙ୍କ ପରୀକ୍ଷାରୁ ୧୬ ଜଣ ପଜିଟିଭ୍ ବାହାରିଥିଲେ। ତେବେ ଚଳିତ ୨୦୨୬ ବର୍ଷରେ ଜୁଲାଇ ମାସ ସୁଦ୍ଧା ୩୨୭ ଜଣଙ୍କର ପରୀକ୍ଷା କରାଯାଇ ମାତ୍ର ଜଣେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହି ସଫଳତାକୁ ବଜାୟ ରଖିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ଓ ପ୍ରଶାସନ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି ।
ଡେଙ୍ଗୁ ବଂଶବୃଦ୍ଧି ରୋକିବା ପାଇଁ ଜିଲ୍ଲାପାଳ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତି ସପ୍ତାହର ୪ ଦିନ ସ୍ୱତନ୍ତ୍ର ଭାବେ ଶିକ୍ଷାନୁଷ୍ଠାନ, ସରକାରୀ କାର୍ଯ୍ୟାଳୟ, ଶିଳ୍ପାଞ୍ଚଳ ଏବଂ ବିଭିନ୍ନ ଜନବସତିଗୁଡ଼ିକରେ “ଡ୍ରାଏ ଡେ” ଭାବେ ପାଳନ କରାଯିବ। ଏହି ସମୟରେ ପରିତ୍ୟକ୍ତ ଟାୟାର, ସ୍କ୍ରାପ୍ ଓ ଜଳାଶୟ ଗୁଡ଼ିକରେ ମଶା ଉତ୍ପତ୍ତି ସ୍ଥଳ ଚିହ୍ନଟ କରି ସେଗୁଡ଼ିକୁ ନଷ୍ଟ କରାଯିବ । ଏହାସହ ସହରାଞ୍ଚଳରେ ମଶା ବଂଶବୃଦ୍ଧି ରୋକିବା ପାଇଁ ସ୍ୱଚ୍ଛସେବୀଙ୍କୁ ନିୟୋଜିତ କରାଯିବା ସହ ଆଶା କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି।
ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୪ ବେଡ୍ ବିଶିଷ୍ଟ ଏକ ସ୍ୱତନ୍ତ୍ର ଡେଙ୍ଗୁ ୱାର୍ଡ ପ୍ରସ୍ତୁତ କରି ରଖାଯାଇଛି। ଏହା ବ୍ୟତୀତ ଚଳିତ ମୌସୁମୀ ଋତୁକୁ ଦୃଷ୍ଟିରେ ରଖି ପ୍ରତ୍ୟେକ ବେସରକାରୀ ହସ୍ପିଟାଲକୁ ମଧ୍ୟ ୨ଟି ଲେଖାଁଏ ବେଡ୍ ସଂରକ୍ଷିତ ରଖିବାକୁ କୁହାଯାଇଛି।