Latest Odisha News

BREAKING NEWS

କପିଳ ଦେବଙ୍କ ରେକର୍ଡ ଭାଙ୍ଗିବା ଆଶାରେ ମିଚେଲ ଷ୍ଟାର୍କ

ଡାର୍ୱିନ୍: ଅଷ୍ଟ୍ରେଲିଆ ଏବଂ ବାଂଲାଦେଶ ମଧ୍ୟରେ ଅଗଷ୍ଟ ୧୩ ରୁ ଆରମ୍ଭ ହେବାକୁ ଯାଉଥିବା ୨ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ କ୍ରିକେଟ୍ ରେକର୍ଡ ଦୃଷ୍ଟିରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି । ବିଶ୍ୱର ଅନ୍ୟତମ ଘାତକ ବୋଲର ମିଚେଲ ଷ୍ଟାର୍କ ନିଜ ଟେଷ୍ଟ କ୍ୟାରିୟରର ୪୩୪ତମ ୱିକେଟ୍‌ର ନିକଟତର ହୋଇଛନ୍ତି । ପ୍ରଥମ ଟେଷ୍ଟରେ ଷ୍ଟାର୍କ ୨ଟି ୱିକେଟ୍ ହାସଲ କଲେ, ସେ ଭାରତର ମହାନ ଅଲରାଉଣ୍ଡର କପିଳ ଦେବ (୪୩୪ ୱିକେଟ୍) ଙ୍କୁ ପଛରେ ପକାଇବେ । ବାଂଲାଦେଶ ଦଳ ଦୀର୍ଘ ୨୩ ବର୍ଷ ପରେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ୍ ଖେଳିବାକୁ ପହଞ୍ଚିଛି । ଷ୍ଟାର୍କ ଏପର୍ଯ୍ୟନ୍ତ ୧୦୫ଟି ଟେଷ୍ଟ ମ୍ୟାଚ୍‌ରୁ ୪୩୩ଟି ୱିକେଟ୍ ନେଇଛନ୍ତି । ଅନ୍ୟପଟେ କପିଳ ଦେବ ୧୩୧ଟି ଟେଷ୍ଟରେ ୪୩୪ଟି ୱିକେଟ୍ ହାସଲ କରିଥିଲେ । ତେଣୁ କପିଳଙ୍କ ସମକକ୍ଷ ହେବାକୁ ଷ୍ଟାର୍କଙ୍କୁ ମାତ୍ର ୧ଟି ୱିକେଟ୍ ଆବଶ୍ୟକ ଥିବାବେଳେ, ତାଙ୍କୁ ଟପିବା ପାଇଁ ୨ଟି ୱିକେଟ୍ ଦରକାର ।

ୱିକେଟ୍ ସଂଖ୍ୟାରେ ଷ୍ଟାର୍କ ଆଗେଇ ପାରନ୍ତି, ମାତ୍ର ଗୋଟିଏ ଇନିଂସରେ ୫ଟି ୱିକେଟ୍ ନେବା ମାମଲାରେ କପିଳ ଦେବ ବହୁ ଆଗରେ ଅଛନ୍ତି । ନିଜ କ୍ୟାରିୟରରେ କପିଳ ୨୩ ଥର ୫-ୱିକେଟ ହାସଲ କରିଥିବା ବେଳେ ଷ୍ଟାର୍କଙ୍କ ନାମରେ ଏର୍ଯ୍ୟନ୍ତ ୧୮ ଥର ଏହି ସଫଳତା ରହିଛି । ଟେଷ୍ଟ କ୍ରିକେଟ୍‌ରେ ବ୍ୟାଟରଙ୍କ ଉପରେ ଚାପ ସୃଷ୍ଟି କରିବାରେ କପିଲ ଦେବ ସିଦ୍ଧହସ୍ତ ଥିଲେ । କପିଲ ନିଜ କ୍ୟାରିୟରରେ ୧୦୬୦ଟି ମେଡେନ୍ ଓଭର ପକାଇଥିବା ବେଳେ ଷ୍ଟାର୍କ ଏପର‌୍ୟ୍ୟନ୍ତ ୬୨୨ଟି ମେଡେନ୍ ଓଭର ପକାଇଛନ୍ତି ।  କପିଲ ଦେବ କେବଳ ଜଣେ ବୋଲର ନଥିଲେ, ବରଂ ବିଶ୍ୱର ଅନ୍ୟତମ ମହାନ ଅଲରାଉଣ୍ଡର ଥିଲେ । ସେ ୪୩୪ ୱିକେଟ୍ ନେବା ସହ ଟେଷ୍ଟରେ ୫୨୪୮ ରନ୍ (ସମସ୍ତ ଫର୍ମାଟରେ ୧୨୮୬୭ ରନ୍) ସଂଗ୍ରହ କରିଥିଲେ । ଷ୍ଟାର୍କ ଜଣେ ଉପଯୋଗୀ ନିମ୍ନକ୍ରମ ବ୍ୟାଟର ହୋଇଥିଲେ ବି ବ୍ୟାଟିଂ କ୍ଷେତ୍ରରେ କପିଲ ଦେବଙ୍କ ଉପଲବ୍ଧିର ପାଖାପାଖି ହୋଇପାରିନାହାନ୍ତି ।

Leave A Reply

Your email address will not be published.