ଜଳେଶ୍ବର:ଭୋଜି ଖାଇବା ପରେ ଆରମ୍ଭ ହେଲା ଝାଡ଼ାବାନ୍ତି । ବାଲେଶ୍ବରର ଜଳେଶ୍ୱର ବ୍ଲକ ଅନ୍ତର୍ଗତ ଖରିଦା ଗ୍ରାମରେ ଘର ପ୍ରତିଷ୍ଠା ଉତ୍ସବ ଭୋଜି ଖାଇ ୭୦ରୁ ଅଧିକ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୫୦ ରୁ ଅଧିକ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ଆକ୍ରାନ୍ତ ମାନଙ୍କ ମଧ୍ୟରେ ୩୦ ରୁ ଅଧିକ ଶିଶୁ ରହିଥିବା ସୂଚନା ମିଳିଛି।
ଖରିଦା ଗ୍ରାମର ଜଣଙ୍କ ଘର ପ୍ରତିଷ୍ଠା ଉପଲକ୍ଷେ ବୁଧବାର ରାତିରେ ଏକ ଭୋଜିର ଆୟୋଜନ କରା ଯାଇଥିଲା।ବହୁ ସଂଖ୍ୟକ ଗ୍ରାମବାସୀ ଭୋଜି ଖାଇଥିଲେ। ଆଜି ସକାଳୁ ଜଣକ ପରେ ଜଣେ ଲୋକଙ୍କର ବାନ୍ତି ଓ ଝାଡ଼ା ଆରମ୍ଭ ହୋଇଥିଲା।
ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତୁରନ୍ତ ସେମାନଙ୍କୁ ଜଳେଶ୍ୱର ସ୍ଥିତ ଜି.କେ. ଭଟ୍ଟର ହସ୍ପିଟାଲକୁ ନେଇଥିଲେ। ଗୁରୁତର ରୋଗୀଙ୍କୁ ସାଲାଇନ ଓ ଆବଶ୍ୟକ ଔଷଧ ଦିଆଯାଉଛି। ପ୍ରାଥମିକ ଭାବେ ଫୁଡ୍ ପଏଜନିଂ ଯୋଗୁଁ ହୋଇଥିବା ବୋଲି ସନ୍ଦେହ କରାଯାଉଛି।
