‘Har Ghar Tiranga’ Campaign: ଅଗଷ୍ଟ ୯ରୁ ୧୭ ତାରିଖ ଯାଏଁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ
ଭୁବନେଶ୍ବର:ଚଳିତ ବର୍ଷ ସ୍ୱାଧୀନତା ଦିବସ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ଅଗଷ୍ଟ ୯ ତାରିଖରୁ ରାଜ୍ୟବ୍ୟାପୀ ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମ ଆୟୋଜନ
ହେବ । ୧୭ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସାମ୍ବାଦିକ ସମ୍ମିଳନୀରେ ଶନିବାର ଏହି ସୂଚନା ଦେଇଛନ୍ତି।
ରାଜଧାନୀ ଭୁବନେଶ୍ୱର ଠାରୁ ଆରମ୍ଭ କରି ବ୍ଲକ ଓ ପଞ୍ଚାୟତ ସ୍ତରରେ ଯାଏଁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ବହୁ ଆଡ଼ମ୍ବର ସହକାରେ ପାଳନ କରାଯିବ। ଘରେ ଘରେ ତ୍ରିରଙ୍ଗା ଅଭିଯାନ କାର୍ଯ୍ୟକ୍ରମକୁ ସଫଳତାର ସହ ଆୟୋଜନ କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାକୁ ୧୦ ଲକ୍ଷ ଟଙ୍କାର ଆର୍ଥିକ ରାଶି ପ୍ରଦାନ କରାଯାଇଛି।
ଅଗଷ୍ଟ ୯ ତାରିଖରେ କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ “ତ୍ରିରଙ୍ଗା ରାଲି” ଆୟୋଜିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦେବେ। ହାତୀଆସୁଣୀ ଗ୍ରାଉଣ୍ଡ ଠାରୁ ଲୁମ୍ବିନୀ ବିହାର ରୋଡ଼ ପର୍ଯ୍ୟନ୍ତ ତ୍ରିରଙ୍ଗା ରାଲି ଆୟୋଜିତ ହେବ। ଜାତୀୟ ଗୀତ ଓ ଜାତୀୟ ସଙ୍ଗୀତ ଗାନ କରାଯିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ। ତ୍ରିରଙ୍ଗା ରାଲିରେ ସମସ୍ତ ସରକାରୀ ଅଧିକାରୀ, ଯୁବ ବର୍ଗ, ସ୍ୱେଚ୍ଛାସେବୀ ସଂଗଠନ, କ୍ରୀଡ଼ାବିତ୍, ଛାତ୍ରଛାତ୍ରୀ, ଏନସିସି ଓ ଏନଏସଏସ ସ୍ୱେଚ୍ଛାସେବୀଙ୍କ ସମେତ ଓଡ଼ିଶାର ସମସ୍ତ ଜନସାଧାରଣ ଯୋଗଦେବେ । ସେହିପରି ଭାବେ ଜିଲ୍ଲା ସ୍ତରରେ ମଧ୍ୟ ତ୍ରିରଙ୍ଗା ରାଲିର ଆୟୋଜନ କରାଯିବ।
ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ରାଜ୍ୟ ସରକାରଙ୍କ “ମିଶନ ଶକ୍ତି” ବିଭାଗ ଅଧୀନରେ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ୬୦ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରାଯାଇ ସମସ୍ତ ଜିଲ୍ଲାମାନଙ୍କୁ ବଣ୍ଟନ କରାଯିବ।
ଅଗଷ୍ଟ ୧୪ ତାରିଖରେ ଓଡ଼ିଶା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଜୟଦେବ ଭବନ ଠାରେ ରାଜ୍ୟ ସ୍ତରୀୟ ବିଭାଜନ ବିଭୀଷିକା ସ୍ମୃତି ଦିବସ ପାଳନ କରାଯିବ। ସମସ୍ତ ଜିଲ୍ଲାରେ ମଧ୍ୟ ଏହି ସ୍ମୃତି ଦିବସ ପାଳନ କରାଯିବ। ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମରେ ବିଭାଜନ ବିଭୀଷିକା ସ୍ମୃତିକୁ ଆଧାର କରି ଫଟୋଚିତ୍ର ପ୍ରଦର୍ଶନୀ, କ୍ଷୁଦ୍ର ଚଳଚ୍ଚିତ୍ର ପ୍ରଦର୍ଶନ ହେବା ସହ ନାଟକ ପରିବେଷଣ କରାଯିବ। ବିଭାଜନ ସମୟରେ ପ୍ରଭାବିତ ପରିବାର ବର୍ଗଙ୍କୁ ନିମନ୍ତ୍ରଣ କରାଯାଇ ସେମାନଙ୍କର ଅନୁଭୂତି ଶୁଣିବା ସହ ସେମାନଙ୍କୁ ସମ୍ମାନିତ କରାଯିବ। ସଭାକାର୍ଯ୍ୟ ଶେଷରେ ଉପସ୍ଥିତ ସମସ୍ତ ଅତିଥି ଓ ଜନସାଧାରଣଙ୍କୁ ନେଇ ନୀରବ କ୍ୟାଲେଣ୍ଡର ଶୋଭାଯାତ୍ରାର ଆୟୋଜନ କରାଯିବ।
ଅଗଷ୍ଟ ୧୫ ତାରିଖରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରାଯିବ। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରବିନ୍ଦ୍ର ମଣ୍ଡପରେ ଦେଶାତ୍ମବୋଧକ ସଙ୍ଗୀତ କାର୍ଯ୍ୟକ୍ରମ “ଭାରତୀୟମ୍”ର ଆୟୋଜନ କରାଯିବ। ଏଥିସହ “ବନ୍ଦେ ମାତରମ୍”ର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ କନସର୍ଟର ଆୟୋଜନ କରାଯିବ। ବାଲୁକା କଳା, ବିଶାଳ ରଙ୍ଗୋଲି ପ୍ରଦର୍ଶନୀ ସହ “Selfie with Tiranga” ବୁଥ୍ ସ୍ଥାପନ କରାଯିବ।
ସେ କହିଛନ୍ତି, ଅଗଷ୍ଟ ୯ରୁ ୧୭ ତାରିଖ ପର୍ଯ୍ୟନ୍ତ ସମସ୍ତ ଜନସାଧାରଣ ତ୍ରିରଙ୍ଗା ସହ ନିଜର ସେଲ୍ଫି ଉଠାଇ (Selfie with Tiranga) ନିଜର ଫଟୋକୁ harghartiranga.com ୱେବ୍ସାଇଟରେ ଅପଲୋଡ଼ କରି ନିଜର ଡିଜିଟାଲ ପ୍ରମାଣପତ୍ର ଡ଼ାଉନଲୋଡ଼ କରିପାରିବେ। ଏଥିସହ My Gov ପୋର୍ଟାଲରେ ମଧ୍ୟ ଅନଲାଇନ୍ କୁଇଜ ପ୍ରତିଯୋଗିତାର ଆୟୋଜନ କରାଯିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ହର ଘର ତ୍ରିରଙ୍ଗା ଅଭିଯାନରେ ସାମିଲ ହେବା ସହ ଅନଲାଇନ କୁଇଜ୍ରେ ଅଂଶଗ୍ରହଣ କରିବେ।
