ପୁରୀ:ପୁରୀରେ ତୀର୍ଥ ପୁଷ୍କରିଣୀରେ ଅଘଟଣ । ପୁରୀର ଶେତ୍ବଗଙ୍ଗା ପୁଷ୍କରିଣୀରେ ଗାଧୋଉଥିବା ବେଳେ ବୁଡ଼ିଯାଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱର ସତ୍ୟଭାମାପୁରର ସମ୍ବିତ ପ୍ରଧାନ।
ସମ୍ବିତ ନିଜ ସାଙ୍ଗମାନଙ୍କ ସହ ପୁରୀ ବୁଲିବାକୁ ଆସିଥିଲେ । ଏହି ସମୟରେ ସେ ଶ୍ୱେତଗଙ୍ଗା ପୁଷ୍କରିଣୀରେ ସାଙ୍ଗମାନଙ୍କ ସହ ଗାଧୋଇଥିବାବେଳେ ଅସାବଧାନତାବଶତଃ ପାଣିରେ ବୁଡ଼ି ଯାଇଥିଲେ । ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି।
ତେବେ ଏହି ଘଟଣା ପରେ ପର୍ଯ୍ୟଟକଙ୍କ ସୁରକ୍ଷା ପ୍ରତି ପୁଣି ପ୍ରଶ୍ନ ଉଠିଛି । ପୁରୀରେ ଥିବା ତୀର୍ଥ ପୁଷ୍କରିଣୀ ଗୁଡ଼ିକରେ ପର୍ଯ୍ୟଟକଙ୍କ ସୁରକ୍ଷିତ ସ୍ନାନ ନେଇ ବ୍ୟାରିକେଡ଼ ବ୍ୟବସ୍ଥା ନାହିଁ ଓ ଲାଇଫ ଗାର୍ଡ ମଧ୍ୟ ମୁତୟନ ରହୁନାହାନ୍ତି । କେବଳ ପର୍ବ ପର୍ବାଣୀରେ ଅଗ୍ନିଶମ ବାହିନୀକୁ ସୁରକ୍ଷା ଦାୟିତ୍ୱ ଦିଆଯାଉଛି ।
