Latest Odisha News

BREAKING NEWS

ଷ୍ଟେଟ୍ ବ୍ୟାଙ୍କରେ ୧୫୩୮ କ୍ଲର୍କ ପଦବୀ ପାଇଁ ବିଜ୍ଞପ୍ତି ଜାରି, ଓଡ଼ିଶାରେ ରହିଛି ୧୧୧ ସିଟ୍

ଭୁବନେଶ୍ୱର: ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ସରକାରୀ ଚାକିରି କରିବାକୁ ସ୍ୱପ୍ନ ଦେଖୁଥିବା ପ୍ରାର୍ଥୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ଜୁନିୟର ଆସୋସିଏଟ୍ (କ୍ଲର୍କ) ପଦବୀ ନିମନ୍ତେ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସ୍ୱତନ୍ତ୍ର ନିଯୁକ୍ତି ଅଭିଯାନ ମାଧ୍ୟମରେ ସର୍ବମୋଟ ୧୫୩୮ଟି ବ୍ୟାକଲଗ୍ ଖାଲି ପଦବୀ ପୂରଣ କରାଯିବ। ବିଶେଷ କରି ପଛୁଆ ବର୍ଗ ପାଇଁ ୧୧୨ଟି, ଅନୁସୂଚିତ ଜାତି ପାଇଁ ୨୦୭ଟି ଏବଂ ଅନୁସୂଚିତ ଜନଜାତି ପାଇଁ ୧୨୧୯ଟି ପଦବୀ ସଂରକ୍ଷିତ ରହିଛି। ତେବେ ଖୁସିର ବିଷୟ ହେଉଛି, ଏହି ନିଯୁକ୍ତି ପ୍ରକ୍ରିୟାରେ ଓଡ଼ିଶା ସର୍କଲ୍ ପାଇଁ ୧୧୧ଟି ସିଟ୍ ରହିଛି।

ଏସବିଆଇର ଅଫିସିଆଲ୍ ୱେବସାଇଟରେ ଗତ ଅଗଷ୍ଟ ୭ ତାରିଖରୁ ଅନ୍‌ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ଅଗଷ୍ଟ ୨୭ ତାରିଖ ହେଉଛି ଆବେଦନର ଶେଷ ତାରିଖ। ଏହି ପଦବୀ ପାଇଁ ଆବେଦନ କରିବାକୁ ହେଲେ ପ୍ରାର୍ଥୀ ଯେକୌଣସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଶେଷ ବର୍ଷର ଛାତ୍ରଛାତ୍ରୀ ମଧ୍ୟ ସର୍ତ୍ତମୂଳକ ଭାବେ ଆବେଦନ କରିପାରିବେ। ସେହିପରି ପ୍ରାର୍ଥୀଙ୍କ ବୟସ ସୀମା ୨୦ରୁ ୨୮ ବର୍ଷ ମଧ୍ୟରେ (ଜନ୍ମ ଏପ୍ରିଲ ୨, ୧୯୯୮ ରୁ ଏପ୍ରିଲ ୧, ୨୦୦୬ ମଧ୍ୟରେ) ହୋଇଥିବା ଦରକାର। ସରକାରୀ ନିୟମ ଅନୁଯାୟୀ ବୟସ ସୀମାରେ କୋହଳ ବ୍ୟବସ୍ଥା ମଧ୍ୟ ରହିଛି।

ପ୍ରାର୍ଥୀମାନଙ୍କୁ ପ୍ରିଲିମିନାରୀ, ମେନ୍ସ ଏବଂ ସ୍ଥାନୀୟ ଭାଷା ପରୀକ୍ଷା ଦେଇ ଗତି କରିବାକୁ ପଡ଼ିବ। ଯେଉଁମାନେ ଦଶମ ବା ଦ୍ୱାଦଶ ଶ୍ରେଣୀରେ ନିଜ ସ୍ଥାନୀୟ ଭାଷା ପଢ଼ିଥିବେ, ସେମାନଙ୍କୁ ଭାଷା ପରୀକ୍ଷା ଦେବାକୁ ପଡ଼ିବ ନାହିଁ। ଆସନ୍ତା ସେପ୍ଟେମ୍ବର ମାସରେ ପ୍ରିଲିମିନାରୀ ପରୀକ୍ଷା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି। ନିଯୁକ୍ତି ପାଇବା ପରେ ପ୍ରାର୍ଥୀଙ୍କୁ ସମସ୍ତ ଭତ୍ତା ମିଶାଇ ପ୍ରାରମ୍ଭିକ ପର୍ଯ୍ୟାୟରେ ପ୍ରାୟ ୪୬ ହଜାର ଟଙ୍କା ପର୍ଯ୍ୟନ୍ତ ଦରମା ମିଳିପାରିବ।

ଇଚ୍ଛୁକ ପ୍ରାର୍ଥୀମାନେ ଏସବିଆଇର କ୍ୟାରିୟର୍ ପୋର୍ଟାଲ୍ (sbi.co.in/careers) କୁ ଯାଇ ନିଜର ପଞ୍ଜୀକରଣ କରିପାରିବେ। ଆବେଦନ ଫି’ ବାବଦକୁ ଓବିସି ପ୍ରାର୍ଥୀଙ୍କୁ ୭୫୦ ଟଙ୍କା ଦେବାକୁ ପଡ଼ିବ। ମାତ୍ର SC/ST ଏବଂ ଭିନ୍ନକ୍ଷମ ପ୍ରାର୍ଥୀଙ୍କ ପାଇଁ ଏହାକୁ ସମ୍ପୂର୍ଣ୍ଣ ମାଗଣା ରଖାଯାଇଛି। ତେଣୁ ଯୋଗ୍ୟ ପ୍ରାର୍ଥୀମାନେ ବିଳମ୍ବ ନକରି ତୁରନ୍ତ ନିଜର ଆବେଦନ ପ୍ରକ୍ରିୟା ଶେଷ କରିନେବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.