ନୂଆଦିଲ୍ଲୀ:କଲମ୍ବିଆରେ ଭୟଙ୍କର ଭୂମିକମ୍ପ । କଲମ୍ବିଆରେ ଭୂକମ୍ପର ଶକ୍ତିଶାଳୀ ଝଟକା ଅନୁଭୂତ ହୋଇଛି। ୭.୪ ତୀବ୍ରତା ବିଶିଷ୍ଟ ଏହି ଭୂକମ୍ପ ଯୋଗୁଁ ଅନେକ କୋଠାବାଡ଼ି କ୍ଷତିଗ୍ରସ୍ତ ହୋଇଛି ଏବଂ ଏହି ଭୂକମ୍ପରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୟୁରୋପୀୟ-ମେଦିଟେରେନିଆନ୍ ସେଇସ୍ମୋଲୋଜିକାଲ୍ ସେଣ୍ଟର (EMSC) ଅନୁଯାୟୀ, ଭୂକମ୍ପର ପ୍ରାରମ୍ଭିକ ତୀବ୍ରତା ୭.୪ ଥିଲା ଏବଂ ଏହାର କେନ୍ଦ୍ରସ୍ଥଳ ୧୧୫ କିଲୋମିଟର ଗଭୀରତାରେ ରହିଥିଲା।
ଏହି ସମୟରେ, କଲମ୍ବିଆର ଭୂ-ତାତ୍ତ୍ୱିକ ସେବା ବିଭାଗ (Colombian Geological Service) ଏହାର ପ୍ରାରମ୍ଭିକ ତୀବ୍ରତା ୬.୭ ବୋଲି ରିପୋର୍ଟ କରିଛି। ଶକ୍ତିଶାଳୀ ଭୂକମ୍ପ ଝଟକା ଯୋଗୁଁ ଲୋକମାନେ ନିଜ ଘର ଓ କୋଠାବାଡ଼ି ଛାଡ଼ି ବାହାରକୁ ଚାଲିଯିବାକୁ ବାଧ୍ୟ ହୋଇଥିଲେ। ରାଜଧାନୀ ବୋଗୋଟା ସହିତ ପଡ଼ୋଶୀ ଦେଶ ଭେନେଜୁଏଲା ଏବଂ ଇକ୍ୱାଡୋରରେ ମଧ୍ୟ ଏହି ଭୂକମ୍ପ ଅନୁଭୂତ ହୋଇଥିଲା।
ଭୂକମ୍ପର କେନ୍ଦ୍ରସ୍ଥଳ ବୋଗୋଟାଠାରୁ ପ୍ରାୟ ୪୦୦ କିଲୋମିଟର ପଶ୍ଚିମ ଦିଗରେ ଥିବା ସାନ୍ ଜୋସେ ଡେଲ୍ ପାଲ୍ମାର୍ ନିକଟରେ ଥିଲା। କଲମ୍ବିଆର ‘ଜାତୀୟ ବିପର୍ଯ୍ୟୟ ସଙ୍କଟ ପରିଚାଳନା ବିଭାଗ’ (National Unit for Disaster Risk Management) ଏହି ଭୂକମ୍ପର ତୀବ୍ରତା ୭.୪ ବୋଲି ରିପୋର୍ଟ କରିବା ସହ ଏହା ୭୯ କିଲୋମିଟର ଗଭୀରତାରେ ସଂଘଠିତ ହୋଇଥିବା ଜଣାଇଛି।
ଚୋକୋ (Chocó) ପ୍ରଦେଶର ରାଜଧାନୀ କ୍ୱିବଡୋ (Quibdó) ରେ ଲୋକମାନେ ଆହତ ହୋଇଥିବା ଏବଂ ବିଭିନ୍ନ କୋଠାବାଡ଼ିର ବ୍ୟାପକ କ୍ଷୟକ୍ଷତି ହୋଇଥିବା ବିଷୟରେ ପ୍ରଦେଶର ରାଜ୍ୟପାଳ ନୁବିଆ କାରୋଲିନା କୋର୍ଡୋବା-କୁରି ସୂଚନା ଦେଇଛନ୍ତି; ସେପଟେ ଅଧିକାରୀମାନେ ବର୍ତ୍ତମାନ କ୍ଷୟକ୍ଷତିର ପରିମାଣ ଆକଳନ କରୁଛନ୍ତି ।
