ନୂଆଦିଲ୍ଲୀ:ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ତାରିଖ ଓ ସ୍ଥାନ ଚୂଡ଼ାନ୍ତ ହୋଇଛି । ଆଫଗାନିସ୍ତାନ କ୍ରିକେଟ୍ ବୋର୍ଡ ସୋମବାର ଏହାର ବାଣିଜ୍ୟିକ ଭାଗିଦାରୀମାନଙ୍କୁ ପତ୍ର ଲେଖି ଏହି ସୂଚୀ ବିଷୟରେ ଆନୁଷ୍ଠାନିକ ଭାବେ ଅବଗତ କରାଇଛି । ଉଭୟ ବୋର୍ଡ ଏ ନେଇ ସହମତ ହୋଇଛନ୍ତି । ଏହି ସିରିଜ୍ କାରଣରୁ ଭାରତର ଆଗାମୀ ବାଂଲାଦେଶ ଗସ୍ତ ବାତିଲ ହେବା ସମ୍ଭାବନା ଆହୁରି ବଢ଼ିଯାଇଛି । ସେପ୍ଟେମ୍ବର ୧୩, ୧୫ ଏବଂ ୧୭ ତାରିଖରେ ମ୍ୟାଚଗୁଡିକ ଖେଳାଯିବ । ସମସ୍ତ ମ୍ୟାଚ ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଆୟୋଜିତ ହେବ ।
ଦ୍ୱିପାକ୍ଷିକ ସିରିଜ୍ରେ ଆଫଗାନିସ୍ତାନ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ଭାରତର ଆତିଥେୟତା ଗ୍ରହଣ କରିବ । ସେପ୍ଟେମ୍ବର ୧୩ ରେ ବାଂଲାଦେଶ ବିପକ୍ଷ ଶେଷ ଟି୨୦ଓ ଏବଂ ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି୨୦ମ୍ୟାଚର ତାରିଖ ସମାନ ରହିଥିବାରୁ, ଭାରତର ବାଂଲାଦେଶ ଗସ୍ତ ପ୍ରାୟ ଅସମ୍ଭବ ହୋଇପଡ଼ିଛି । ଏହି ସିରିଜର ଡିଜିଟାଲ୍ ପ୍ରସାରଣ ଅଧିକାର ଫ୍ୟାନ୍କୋଡ ପାଖରେ ଥିବା ବେଳେ ଟିଭି ପ୍ରସାରଣ ଅଧିକାର ପାଇଁ ଆଲୋଚନା ଜାରି ରହିଛି ।
