Latest Odisha News

BREAKING NEWS

ଦେଶରେ ପ୍ରତି ୩ ଜଣରେ ଜଣେ ଓକିଲ ଜାଲ୍! ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ୍

ନୂଆଦିଲ୍ଲୀ: ଦେଶରେ ଜାଲ୍ କିମ୍ବା ଫେକ୍ ଓକିଲଙ୍କ ବିରୋଧରେ ଏବେ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି। ଜାଲ୍ ଓକିଲଙ୍କ ବିରୋଧରେ ସିବିଆଇ ତଦନ୍ତ ଦାବି କରି ଆଗତ ଏକ ଆବେଦନ ଉପରେ ମଙ୍ଗଳବାର ଦିନ ସୁପ୍ରିମକୋର୍ଟ କେନ୍ଦ୍ର ସରକାର ଓ ସିବିଆଇକୁ ନୋଟିସ୍ ଜାରି କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଏହାକୁ ଏକ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ବୋଲି ଅଭିହିତ କରିଛନ୍ତି। ଆଇନ ପେସା ଭଳି ଏକ ସମ୍ମାନଜନକ କ୍ଷେତ୍ରରେ ଜାଲ୍ ଲୋକଙ୍କ ଅନୁପ୍ରବେଶ ବିଚାର ବ୍ୟବସ୍ଥାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରୁଛି ବୋଲି ଖଣ୍ଡପୀଠ ଉଦବେଗ ପ୍ରକାଶ କରିଛନ୍ତି।

ଓକିଲ ରାଜା ଚୌଧୁରୀଙ୍କ ଦ୍ୱାରା ଦାୟର କରାଯାଇଥିବା ଏହି ପିଟିସନରେ ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ଏକ ରିପୋର୍ଟକୁ ଉଲ୍ଲେଖ କରାଯାଇଛି। ବିସିଆଇର ତଥ୍ୟ ଅନୁଯାୟୀ, ଦେଶରେ ଏବେ ପ୍ରାୟ ୨୦ ଲକ୍ଷରୁ ଅଧିକ ପଞ୍ଜିକୃତ ଓକିଲ ଅଛନ୍ତି, ଯେଉଁଥିରୁ ୩୦ ରୁ ୪୦ ପ୍ରତିଶତ ଓକିଲ ଜାଲ୍। ଅର୍ଥାତ୍ ଦେଶରେ କାର୍ଯ୍ୟରତ ପ୍ରତି ୩ ଜଣ ଓକିଲଙ୍କ ମଧ୍ୟରୁ ଜଣେ ନକଲି ସାର୍ଟିଫିକେଟ୍ ଧରି କୋର୍ଟରେ ଠକେଇ କରୁଛନ୍ତି। ଯେଉଁମାନେ ପ୍ରକୃତରେ ଓକିଲ ନୁହଁନ୍ତି, ସେମାନେ ଆଇନର ଭୟ ଦେଖାଇ ଲୋକଙ୍କଠାରୁ ବଟି ଆଦାୟ କରୁଛନ୍ତି।

ଆବେଦନକାରୀ ଦର୍ଶାଇଛନ୍ତି ଯେ, କେବଳ ଆହ୍ଲାବାଦ ବାର୍ ଆସୋସିଏସନରେ ହଜାରେରୁ ଅଧିକ ଜାଲ୍ ଓକିଲ ରହିଛନ୍ତି। ନିକଟରେ ଆହ୍ଲାବାଦ ହାଇକୋର୍ଟ ମଧ୍ୟ ଏହି ପ୍ରସଙ୍ଗରେ ଚିନ୍ତା ବ୍ୟକ୍ତ କରି ଓକିଲାତି ପେସାରେ ମାଫିଆମାନେ ପଶିଯାଇଛନ୍ତି ବୋଲି ଟିପ୍ପଣୀ ଦେଇଥିଲେ। ଏହାପରେ ଉତ୍ତରପ୍ରଦେଶରେ ଏଭଳି ନକଲି ଓକିଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ଏବଂ ପ୍ରାୟ ୬୮ ଜଣଙ୍କ ନାମରେ ଏଫଆଇଆର୍ ରୁଜୁ କରାଯାଇଛି। ଅନ୍ୟ ରାଜ୍ୟମାନଙ୍କରେ ମଧ୍ୟ ସମାନ ସ୍ଥିତି ଉପୁଜିଥିବା ଅନୁମାନ କରାଯାଉଛି।

ବାର୍ କାଉନସିଲ୍ ଅଫ୍ ଇଣ୍ଡିଆର ନିୟମ ଅନୁସାରେ ପ୍ରତି ୫ ବର୍ଷରେ ଥରେ ଓକିଲମାନଙ୍କର ପ୍ରାକ୍ଟିସ୍ ଏବଂ ପ୍ରମାଣପତ୍ରର ଯାଞ୍ଚ କରାଯାଉଥିଲେ ସୁଦ୍ଧା ନକଲି ଓକିଲଙ୍କ ସଂଖ୍ୟା ବଢ଼ିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେଣୁ ସାରା ଦେଶରେ ଏହି ସମସ୍ୟାର ମୂଳୋତ୍ପାଟନ ତଥା ପାରଦର୍ଶିତା ଆଣିବା ପାଇଁ ସୁପ୍ରିମକୋର୍ଟ ସିବିଆଇ ତଦନ୍ତର ଆବଶ୍ୟକତା ଉପରେ କେନ୍ଦ୍ର ସରକାରଙ୍କଠାରୁ ଜବାବ ତଲବ କରିଛନ୍ତି।

Leave A Reply

Your email address will not be published.