ସୌର ଶକ୍ତି ଆଡ଼କୁ ଦକ୍ଷିଣ ଓଡ଼ିଶା: ମାତ୍ର ୧୮୭୫ ଟଙ୍କାରେ ମିଳୁଛି ସୌର ପ୍ୟାନେଲ୍, ବ୍ୟାପକ ସବସିଡି ସାଜିଛି ସଞ୍ଜିବନୀ
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାରେ ଏବେ ‘ପିଏମ୍ ସୂର୍ଯ୍ୟ ଘର: ଫ୍ରି ବିଜୁଳି ଯୋଜନା’କୁ ନେଇ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ମହଙ୍ଗା ବିଜୁଳି ବିଲରୁ ବର୍ତ୍ତିବା ପାଇଁ ଲୋକେ ଏବେ ନିଜ ଘର ଛାତ ଉପରେ ସୌର ପ୍ୟାନେଲ ଲଗାଇବାକୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଟିପି ସଦର୍ଣ୍ଣ ଓଡିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ (ଟିପିଏସ୍ଓଡିଏଲ୍)ର ନିରନ୍ତର ସଚେତନତା ଓ ପ୍ରୟାସ ଫଳରେ ଏହି ସ୍ୱଚ୍ଛ ଶକ୍ତି ଯୋଜନା ଏବେ ବ୍ୟାପକ ସଫଳତା ହାସଲ କରିଛି।
ରିପୋର୍ଟ ଅନୁଯାୟୀ, ଅଦ୍ୟାବଧି ଟିପିଏସ୍ଓଡିଏଲ୍ ଅଧୀନରେ ୫୪,୩୯୦ ପରିବାର ଏହି ଯୋଜନା ପାଇଁ ଆବେଦନ କରିଥିବା ବେଳେ ସେଥିମଧ୍ୟରୁ ୨୨,୨୪୨ ଘରେ ସଫଳତାର ସହ ସୌର ପ୍ୟାନେଲ ଲାଗିସାରିଲାଣି। ଏହି ସଫଳତାରେ ଗଞ୍ଜାମ ଜିଲ୍ଲା ସର୍ବାଗ୍ରେ ରହିଛି। ଗଞ୍ଜାମରେ ସର୍ବାଧିକ ୧୪,୨୭୮ଟି ସୌର ପ୍ୟାନେଲ ସ୍ଥାପନ ହୋଇ ସମଗ୍ର ରାଜ୍ୟରେ ଏହା ଦ୍ୱିତୀୟ ସ୍ଥାନ ଅଧିକାର କରିଛି। ସେହିପରି ଗଜପତିରେ ୧୪୯୨, ରାୟଗଡ଼ାରେ ୧୪୫୨, ନବରଙ୍ଗପୁରରେ ୧୩୨୮, କୋରାପୁଟରେ ୧୧୬୯ ଏବଂ ବୌଦ୍ଧ, ମାଲକାନଗିରି ଓ କନ୍ଧମାଳ ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ମଧ୍ୟ ଲୋକେ ଏହାକୁ ତତ୍ପରତାର ସହ ଆପଣାଉଛନ୍ତି।
ଟିପିଏସ୍ଓଡିଏଲର ‘ୟୁଏଲ୍ଏ’ (ULA- ୟୁଟିଲିଟି ଲେଡ୍ ଏଗ୍ରିଗେସନ୍) ମଡେଲ ମାଧ୍ୟମରେ ଏହି ପ୍ରକ୍ରିୟା ଖୁବ୍ ସହଜ ହୋଇପାରିଛି। ଗ୍ରାହକମାନେ ୧ କିଲୋୱାଟର ସୌର ପ୍ୟାନେଲ ନିମନ୍ତେ ମାତ୍ର ୧୮୭୫ ଟଙ୍କା ଖର୍ଚ୍ଚ କରୁଛନ୍ତି। ଅନ୍ୟପକ୍ଷରେ ୨ କିଲୋୱାଟ ପାଇଁ ୧ ଲକ୍ଷ ୧୦ ହଜାର ଏବଂ ୩ କିଲୋୱାଟ ପାଇଁ ୧ ଲକ୍ଷ ୩୮ ହଜାର ଟଙ୍କାର ମୋଟା ଅଙ୍କର ସରକାରୀ ସବସିଡି (କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ) ମିଳୁଛି।
ଏହି ଯୋଜନାର ଲାଭାର୍ଥୀ ରଞ୍ଜିତା ସେଠୀଙ୍କ କହିବା ଅନୁଯାୟୀ, ଟିପିଏସ୍ଓଡିଏଲ୍ ସହାୟତାରେ ପ୍ୟାନେଲ ଲଗାଇବା ପରେ ତାଙ୍କ ବଡ଼ ଯୌଥ ପରିବାରର ବିଦ୍ୟୁତ ଖର୍ଚ୍ଚ ଯଥେଷ୍ଟ କମିଯାଇଛି ଏବଂ ସଠିକ୍ ସମୟରେ ସବସିଡି ମଧ୍ୟ ମିଳିପାରିଛି । ସେହିପରି ଟିପିଏସ୍ଓଡିଏଲ୍ ସିଇଓ ଅମିତ କୁମାର ଗର୍ଗ ଏହି ସଫଳତା ନେଇ ସନ୍ତୋଷ ପ୍ରକାଶ କରିବା ସହ କହିଛନ୍ତି ଯେ, ଏହା କେବଳ ସ୍ୱଚ୍ଛ ଶକ୍ତି ନୁହେଁ, ବରଂ ଗ୍ରାହକଙ୍କ ଆର୍ଥିକ ସଞ୍ଚୟର ଏକ ସ୍ମାର୍ଟ ମାଧ୍ୟମ। ଆଗକୁ ଦକ୍ଷିଣ ଓଡ଼ିଶାରେ ସବୁଜ ଶକ୍ତି ବିପ୍ଳବକୁ ଆହୁରି ସରଳ ଓ ସୁଲଭ କରାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ।
