Latest Odisha News

BREAKING NEWS

କେୱାଇସି ନାଁରେ ମୋବାଇଲକୁ ଆସୁଛି ଫେକ୍ ମେସେଜ୍: ଲିଙ୍କ୍ କ୍ଲିକ୍ କଲେ ଖାଲି ହୋଇଯିବ ବ୍ୟାଙ୍କ ଆକାଉଣ୍ଟ

ନୂଆଦିଲ୍ଲୀ: ଆଜିକାଲି ସାଇବର ଠକେଇ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଠକମାନେ ଲୋକଙ୍କୁ ଲୁଟିବା ପାଇଁ ନୂଆ ନୂଆ ଉପାୟ ଆପଣାଉଛନ୍ତି। ନିକଟରେ ବ୍ୟାଙ୍କ ଅଫ୍ ଇଣ୍ଡିଆ ଗ୍ରାହକଙ୍କ ମୋବାଇଲକୁ କେୱାଇସି ଅପଡେଟ୍ କରିବା ନେଇ ଏକ ମେସେଜ୍ ବହୁଳ ମାତ୍ରାରେ ଆସୁଛି। ଏହି ମେସେଜରେ ଲେଖାଯାଇଛି ଯେ, ଯଦି ଗ୍ରାହକ ତୁରନ୍ତ ନିଜର ପ୍ୟାନ୍ କାର୍ଡ ଓ ଅନ୍ୟାନ୍ୟ କେୱାଇସି ତଥ୍ୟ ଅପଡେଟ୍ ନକରନ୍ତି, ତେବେ ଆସନ୍ତାକାଲି ଠାରୁ ତାଙ୍କ ଆକାଉଣ୍ଟକୁ ବ୍ଲକ୍ କରିଦିଆଯିବ। ମେସେଜ୍ ସହିତ ଅପଡେଟ୍ କରିବା ପାଇଁ ଏକ ଲିଙ୍କ୍ ମଧ୍ୟ ଦିଆଯାଇଛି ।

ଏହି ମେସେଜ୍ ଭାଇରାଲ୍ ହେବା ପରେ କେନ୍ଦ୍ର ସରକାରଙ୍କ ପ୍ରେସ୍ ଇନଫର୍ମେସନ୍ ବ୍ୟୁରୋର ଫ୍ୟାକ୍ଟ ଚେକ୍ ଟିମ୍ ଏହାର ତନାଘନା କରିଥିଲା। ପିଆଇବି ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ବ୍ୟାଙ୍କ ଅଫ୍ ଇଣ୍ଡିଆ ନାମରେ ଆସୁଥିବା ଏହି ମେସେଜ୍ ସମ୍ପୂର୍ଣ୍ଣ ରୂପେ ନକଲି। ବ୍ୟାଙ୍କ କେବେହେଲେ ଏଭଳି କୌଣସି ଲିଙ୍କ୍ ପଠାଇ ଗ୍ରାହକଙ୍କୁ କେୱାଇସି ଅପଡେଟ୍ କରିବାକୁ କହିନଥାଏ କିମ୍ବା ଆକାଉଣ୍ଟ ବନ୍ଦ ହେବାର ଧମକ ଦିଏ ନାହିଁ ।

ସାଇବର ବିଶେଷଜ୍ଞଙ୍କ ମତରେ, ଏହା ହେଉଛି ଅନଲାଇନ୍ ଲୁଟେରାଙ୍କର ଏକ ନୂଆ ଚାଲ୍। ଗ୍ରାହକମାନେ ଆକାଉଣ୍ଟ ବନ୍ଦ ହେବା ଭୟରେ ସେହି ଅଜଣା ଲିଙ୍କ୍ ଉପରେ କ୍ଲିକ୍ କଲେ, ଏକ ନକଲି ୱେବସାଇଟ୍ ଖୋଲିଥାଏ। ସେଠାରେ ବ୍ୟାଙ୍କ ଆକାଉଣ୍ଟ ନମ୍ବର, ପାସ୍‌ୱାର୍ଡ, ଏବଂ ଓଟିପି ଭଳି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେବା ମାତ୍ରେ ସେକେଣ୍ଡକ ଭିତରେ ଠକମାନେ ଖାତାରୁ ସମସ୍ତ ଟଙ୍କା ଉଡ଼ାଇ ନିଅନ୍ତି ।

ତେଣୁ ପିଆଇବି ଏବଂ ବ୍ୟାଙ୍କ ପକ୍ଷରୁ ସମସ୍ତ ଗ୍ରାହକଙ୍କୁ ସତର୍କ କରାଯାଇଛି ଯେ, କୌଣସି ଅଜଣା ନମ୍ବରରୁ ଆସିଥିବା ଏଭଳି ଲିଙ୍କ୍ ଉପରେ ଆଦୌ କ୍ଲିକ୍ କରନ୍ତୁ ନାହିଁ। ଫୋନ୍ କଲ୍ କିମ୍ବା ଏସଏମଏସ ମାଧ୍ୟମରେ କାହାକୁ ବି ନିଜର ବ୍ୟାଙ୍କ ତଥ୍ୟ ସେୟାର କରନ୍ତୁ ନାହିଁ। ଯଦି ପ୍ରକୃତରେ ଆପଣଙ୍କୁ କେୱାଇସି ଅପଡେଟ୍ କରିବାର ଅଛି, ତେବେ ସିଧାସଳଖ ନିଜ ନିକଟସ୍ଥ ବ୍ୟାଙ୍କ ଶାଖାକୁ ଯାଆନ୍ତୁ କିମ୍ବା ବ୍ୟାଙ୍କର ଅଫିସିଆଲ୍ ଆପ୍ ବ୍ୟବହାର କରନ୍ତୁ।

Leave A Reply

Your email address will not be published.