Imran Khan: କ’ଣ ଆଉ ସତରେ ନାହାନ୍ତି ଇମ୍ରାନ ଖାନ? ମୃତ୍ୟୁ ନେଇ ପାକିସ୍ତାନୀ ସାମ୍ବାଦିକଙ୍କ ଖୁଲାସା ପରେ PTIର ବଡ଼ ଦାବି
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପାକିସ୍ତାନ ତେହରିକ୍-ଇ-ଇନସାଫ୍ (PTI) ପ୍ରତିଷ୍ଠାତା ଇମ୍ରାନ ଖାନଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ପାକିସ୍ତାନର ବରିଷ୍ଠ ସାମ୍ବାଦିକ ୱଜାହତ୍ ଏସ୍. ଖାନ, ଜେଲରେ ଇମ୍ରାନ ଖାନଙ୍କ ମୃତ୍ୟୁ ହୋଇଥିବା ଦାବି କରିବା ପରେ ରାଜନୈତିକ ମହଲରେ ହଇଚଇ ସୃଷ୍ଟି ହୋଇଛି। ତେବେ ଏହି ଦାବିକୁ ସ୍ୱାଧୀନ ଭାବେ ସ୍ପଷ୍ଟ କରାଯାଇନାହିଁ। ସାମ୍ବାଦିକ ୱଜାହତ୍ ଏସ୍. ଖାନ ପାକିସ୍ତାନ ସରକାର ଏବଂ ସେନାରେ ଥିବା ତାଙ୍କ ସୂତ୍ରକୁ ଆଧାର କରି ଇମ୍ରାନଙ୍କ ହେପାଜତରେ ମୃତ୍ୟୁ ହୋଇଥିବା ଦାବି କରିଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ ଇମ୍ରାନଙ୍କ ସମର୍ଥକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ଏହି ଦାବି ପରେ PTIର ସେଣ୍ଟ୍ରାଲ ମିଡିଆ ବିଭାଗ Xରେ ଏକ ପୋଷ୍ଟ କରି ଇମ୍ରାନଙ୍କ ସ୍ୱାସ୍ଥ୍ୟକୁ ନେଇ ଲଗାତାର ଆସୁଥିବା ‘ଚିନ୍ତାଜନକ ଖବର’ ଉପରେ ଗଭୀର ଉଦବେଗ ପ୍ରକାଶ କରିଛି। ଦଳ କହିଛି, ଇମ୍ରାନ ଖାନ ସାଧାରଣ ରାଜନୈତିକ କର୍ମୀ ନୁହନ୍ତି। ସେ ଲକ୍ଷ ଲକ୍ଷ ପାକିସ୍ତାନୀଙ୍କ ଲୋକପ୍ରିୟ ରାଜନୈତିକ ନେତା। ତେଣୁ ତାଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ସମ୍ପର୍କରେ ଜନତାଙ୍କୁ ଅବଗତ କରାଇବା ସରକାରଙ୍କ ଦାୟିତ୍ୱ।
PTI ଦାବି କରିଛି ଯେ ସରକାର ତୁରନ୍ତ ଇମ୍ରାନଙ୍କ ପରିବାର ସଦସ୍ୟ, ବ୍ୟକ୍ତିଗତ ଡାକ୍ତର, ଓକିଲ ଏବଂ ଦଳର ଦାୟିତ୍ୱବାନ ନେତାଙ୍କୁ ତାଙ୍କ ସହ ଦେଖା କରିବାକୁ ଅନୁମତି ଦେଉ। ଏଥିସହ ତାଙ୍କର ସମ୍ପୂର୍ଣ୍ଣ ମେଡିକାଲ ଚେକଅପ୍ ଓ ଆବଶ୍ୟକ ଚିକିତ୍ସା କରାଯାଉ। ଏହି ପ୍ରକ୍ରିୟାରେ ପରିବାର ଓ ବ୍ୟକ୍ତିଗତ ଡାକ୍ତରଙ୍କୁ ସାମିଲ କରି ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖାଯାଉ ବୋଲି ଦଳ ଦାବି କରିଛି।
ସୂଚନା ଅନୁସାରେ, ଇମ୍ରାନ ଖାନ ୨୦୨୩ ଅଗଷ୍ଟରୁ ଜେଲରେ ଅଛନ୍ତି। ବର୍ତ୍ତମାନ ସେ ୧୯୦ ମିଲିୟନ ପାଉଣ୍ଡ ଦୁର୍ନୀତି ମାମଲାରେ ଅଦିଆଲା ଜେଲରେ ଦଣ୍ଡ ଭୋଗୁଛନ୍ତି। ଏହାବ୍ୟତୀତ ୨୦୨୩ ମେ’ ୯ ତାରିଖର ହିଂସାତ୍ମକ ବିକ୍ଷୋଭ ସହ ଜଡ଼ିତ ମାମଲା ମଧ୍ୟ ତାଙ୍କ ବିରୋଧରେ ଚାଲିଛି।
ତେବେ ସାମ୍ବାଦିକଙ୍କ ମୃତ୍ୟୁ ଦାବିର ସତ୍ୟତା ଏବେ ବି ସ୍ପଷ୍ଟ ହୋଇନାହିଁ। ଇମ୍ରାନଙ୍କ ପ୍ରକୃତ ସ୍ଥିତି ସମ୍ପର୍କରେ ସରକାର କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ଆସିବା ପରେ ହିଁ ଘଟଣାର ସତ୍ୟତା ଜଣାପଡ଼ିବ।
