Latest Odisha News

BREAKING NEWS

ଓଡ଼ିଶାର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟ୍‌କୁ ଅନୁମୋଦନ

ଭୁବନେଶ୍ୱର: ଓଡ଼ିଶାରେ ଡିପ୍ଲୋମା ଡିଏନବି ସିଟ୍‌କୁ ମିଳିଲା ଅନୁମୋଦନ। ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୧୧ଟି ପୋଷ୍ଟ ପାଇଁ ମିଳିଛି ଅନୁମୋଦନ। ପ୍ରଥମ ଥର ପାଇଁ ଏହି ସିଟ୍ ଗୁଡିକରେ ଓଡ଼ିଶାରେ ହେବ କାଉନସିଲିଂ। ଏହି ଅନୁମୋଦନ ଦ୍ୱାରା ଡବଲ ଇଞ୍ଜିନ ସରକାରରେ ପିଏଚସି ସ୍ତରରେ ସେବା ଯୋଗାଇବେ ସ୍ପେସିଆଲିଷ୍ଟ ଡାକ୍ତର। ନୂଆଦିଲ୍ଲୀସ୍ଥିତ ନେସନାଲ ବୋର୍ଡ ଅଫ ଏଗଜାମଇନନେସନ ଇନ ମେଡ଼ିକାଲ ସାଇନ୍ସ (NBEMS) ପକ୍ଷରୁ ରାଜ୍ୟର ୩ଟି ସରକାରୀ ମେଡିକାଲ କଲେଜରେ ୫ଟି ବ୍ରଡ୍ ସ୍ପେସିଆଲିଟିରେ ମୋଟ ୧୧ଟି ପୋଷ୍ଟ-ଡିପ୍ଲୋମା ଡିଏନବି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି ।

ଏହି ମାନ୍ୟତାପ୍ରାପ୍ତ ସିଟ୍‌ଗୁଡ଼ିକ ଶିଶୁ ଚିକିତ୍ସା (Paediatrics), ପ୍ରସୂତି ଓ ସ୍ତ୍ରୀରୋଗ (Obstetrics & Gynaecology), ଚକ୍ଷୁ ରୋଗ (Ophthalmology), ଟି.ବି. ଓ ଛାତି ରୋଗ (T.B. & C.D.) ଏବଂ ନିଶ୍ଚେତନ ବିଜ୍ଞାନ (Anaesthesiology) ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଅନୁମୋଦନ ମିଳିଛି । ପୁରୀ ସ୍ଥିତ ଶ୍ରୀ ଜଗନ୍ନାଥ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ , ବଲାଙ୍ଗୀର ସ୍ଥିତ ଭୀମଭୋଇ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲ, କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଏବଂ ହସ୍ପିଟାଲରେ ଏହି ସିଟକୁ ମାନ୍ୟତା ପ୍ରଦାନ କରାଯାଇଛି ।

ମୋଟ ୧୧ଟି ସିଟ୍‌ ମଧ୍ୟରୁ ୦୫ଟି ସିଟ୍‌ ଓଡ଼ିଶାର ଚାକିରିରେ ଥିବା ଡାକ୍ତରମାନଙ୍କ ପାଇଁ ସଂରକ୍ଷିତ ରହିବ ଏବଂ ୦୬ଟି ସିଟ୍‌ ସର୍ବଭାରତୀୟ କୋଟା ଅଧୀନରେ ଉପଲବ୍ଧ ହେବ। ଏହି ନୂତନ ପୋଷ୍ଟ-ଡିପ୍ଲୋମା ଡିଏନବି ପ୍ରଶିକ୍ଷଣ ସୁଯୋଗ ରାଜ୍ୟରେ ବିଶେଷଜ୍ଞ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରିବ। ଏହା ଫଳରେ ରାଜ୍ୟବାସୀଙ୍କୁ ଉନ୍ନତମାନର ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଅଧିକ ସହଜରେ ଉପଲବ୍ଧ କରାଇବାରେ ସହାୟତା ମିଳିବ। ଏହି ପଦକ୍ଷେପ ମାଧ୍ୟମରେ ରାଜ୍ୟର ଡାକ୍ତରମାନଙ୍କୁ ନିଜ ସରକାରୀ ସେବା ଜାରି ରଖିବା ସହିତ ଉଚ୍ଚତର ପୋଷ୍ଟଗ୍ରାଜୁଏଟ୍ ପ୍ରଶିକ୍ଷଣ ଓ ବିଶେଷଜ୍ଞତା ହାସଲ କରିବାର ଅଧିକ ସୁଯୋଗ ମିଳିବ। ଏହା ଓଡ଼ିଶାର ଚିକିତ୍ସା ଶିକ୍ଷାର ବିକାଶ ଯାତ୍ରାରେ ଏକ ନୂତନ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କୃତଜ୍ଞତା ଜଣାଇ କହିଛନ୍ତି ଯେ, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାର୍ଗଦର୍ଶନ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ଵରେ ଯୋଗୁଁ ଏହା ସମ୍ଭବ ହୋଇଛି। ରାଜ୍ୟରେ ଚିକିତ୍ସା ଶିକ୍ଷାର ବିସ୍ତାର, ଡାକ୍ତରମାନଙ୍କ ପାଇଁ ଅଧିକ ପ୍ରଶିକ୍ଷଣ ସୁଯୋଗ ସୃଷ୍ଟି ଏବଂ ଓଡ଼ିଶାବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ପ୍ରଦାନ ଦିଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିରନ୍ତର ସହଯୋଗ ଓ ମାର୍ଗଦର୍ଶନ ସ୍ବାସ୍ଥ୍ୟ କ୍ଷେତ୍ରରେ ନୂତନ କିରଣ ଆଣିଦେଉଛି। ଏହି ସିଟ ଅନୁମୋଦନ ଫଳରେ ପୋଷ୍ଟ-ଡିପ୍ଲୋମା ଡିଏନବିର ସ୍ପେସିଆଲିଷ୍ଟ ଡାକ୍ତର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଉପଖଣ୍ଡ ହସ୍ପିଟାଲଗୁଡିକର ସେବା ଯୋଗାଇଦେବା ସହଜ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.