Latest Odisha News

BREAKING NEWS

କୃଷି ଅଧିକାରୀଙ୍କ ଉପରେ ରାଗିଲେ ଉପମୁଖ୍ୟମନ୍ତ୍ରୀ: ବିଦେଶ ବୁଲି କଣ ଶିଖିଲେ, ୭ ଦିନ ମଧ୍ୟରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ଉଦ୍ୟାନକୃଷି ଅଧିକାରୀଙ୍କୁ କଡା ତାଗିଦ୍। ବାହାର ରାଜ୍ୟ ଗସ୍ତ କଲେ। ହେଲେ ସେଠାରୁ ଫେରି ସରକାରଙ୍କୁ ଦେଲେ ନାହିଁ ରିପୋର୍ଟ। କୃଷି ଅଧିକାରୀଙ୍କ ବାହାର ରାଜ୍ୟ ଓ ବିଦେଶ ଗସ୍ତକୁ ନେଇ ତାଗିଦ୍‌ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ। ଅଧିକାରୀଙ୍କ ଉପରେ ବର୍ଷିଲେ ଏବଂ ଉପମୁଖ୍ୟମନ୍ତ୍ରୀ କହିଲେ- ସରକାର ରବର ଷ୍ଟାମ୍ପ ନୁହଁନ୍ତି, ମୁଁ ରବର ଷ୍ଟାମ୍ପ୍‌ ନୁହେଁ। ମୋତେ ଫୁଲତୋଡ଼ା ନୁହେଁ ରିପୋର୍ଟ ଦରକାର। ବାହାର ରାଜ୍ୟ ଗସ୍ତର ୭ ଦିନ ମଧ୍ୟରେ ଦେବାକୁ ପଡ଼ିବ ରିପୋର୍ଟ। ସରାକରଙ୍କ ପାଖକୁ ରିପୋର୍ଟ ଆସୁ ନଥିବାରୁ ଉଦବେଗ ପ୍ରକାଶ କଲେ ଉପମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର କୃଷି ଭବନ ପରିସରରେ ଆୟୋଜିତ ରାଜ୍ୟସ୍ତରୀୟ ଉଦ୍ୟାନ କୃଷି ଅଧିକାରୀ ସମ୍ମିଳନୀରେ ସେ ଅଧିକାରୀମାନଙ୍କୁ କାମର ହିସାବ ମାଗିଛନ୍ତି। ସରକାରୀ ଖର୍ଚ୍ଚରେ ବିଦେଶ କିମ୍ବା ଅନ୍ୟ ରାଜ୍ୟକୁ ଗସ୍ତ କରିଥିବା ଅଧିକାରୀମାନେ କ’ଣ ଶିଖିଲେ, କ’ଣ ଦେଖିଲେ ଏବଂ ତାହା ଓଡ଼ିଶାରେ କିପରି ପ୍ରୟୋଗ କରିବେ, ସେନେଇ ୭ ଦିନ ମଧ୍ୟରେ ରିପୋର୍ଟ ଦେବେ। ଗସ୍ତ ପରେ ରିପୋର୍ଟ ନଦେଇ ଚୁପ୍ ବସିଲେ ଆଉ ଚଳିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ଉପମୁଖ୍ୟମନ୍ତ୍ରୀ।

ଉପମୁଖ୍ୟମନ୍ତ୍ରୀ ପୁଣି ପ୍ରଶ୍ନ କରିଛନ୍ତି, “ଆମୋଦ ପ୍ରମୋଦ ପାଇଁ କ’ଣ ବାହାର ରାଜ୍ୟକୁ ଯାଉଛନ୍ତି? ଯଦି ଯାଉଛନ୍ତି, ତେବେ ରାଜ୍ୟରେ ଏହାର ପ୍ରତିଫଳନ କାହିଁକି ଦେଖାଯାଉନାହିଁ?” ସରକାରୀ ଅର୍ଥରେ ହେଉଥିବା ପ୍ରତ୍ୟେକ ଗସ୍ତର ଖର୍ଚ୍ଚ ଓ ଫଳାଫଳର ହିସାବ ଦେବାକୁ ସେ କହିଛନ୍ତି। କେବଳ ବାହାର ଗସ୍ତ ନୁହେଁ, ପ୍ରତି ମାସରେ କରାଯାଉଥିବା ଫିଲ୍ଡ ଗସ୍ତର ରିପୋର୍ଟ ମଧ୍ୟ ଦାଖଲ କରିବେ କୃଷି ଅଧିକାରୀ। ଏଥିରେ ଅବହେଳା କଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଚେତାବନୀ ଦିଆଯାଇଛି। ମନ୍ତ୍ରୀଙ୍କ ଜିଲ୍ଲା ଗସ୍ତ ସମୟରେ ଅଞ୍ଚଳର କୃଷି ସମସ୍ୟା, ଫିଲ୍ଡ ରିପୋର୍ଟ ଓ ତଥ୍ୟ ପ୍ରଦାନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ରାଜ୍ୟରେ ଶିଥିଳ ପଡ଼ିଥିବା ଶୀତଳ ଭଣ୍ଡାର ପ୍ରକଳ୍ପକୁ ନେଇ ମଧ୍ୟ ଉଦ୍ୟାନ କୃଷି ଅଧିକାରୀଙ୍କୁ ତାଗିଦ୍ କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ପ୍ରକଳ୍ପଗୁଡ଼ିକୁ ଗତି ଦେଇ କୃଷକଙ୍କ ପାଖରେ ଏହାର ଲାଭ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

Leave A Reply

Your email address will not be published.