Latest Odisha News

BREAKING NEWS

ଗଭୀର ଅବପାତରେ ପରିଣତ ହେଲା ସୃଷ୍ଟ ଲଘୁଚାପ, ଓଡ଼ିଶାରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଏବେ ଘନୀଭୂତ ହୋଇ ଏକ ‘ଗଭୀର ଅବପାତ’ର ରୂପ ନେଇଛି। ଅନ୍ୟପଟେ ଲଗାଣ ବର୍ଷା କାରଣରୁ ରାଜ୍ୟର କିଛି ଜିଲ୍ଲାରେ ହଠାତ୍ ‘ଆକସ୍ମିକ ବନ୍ୟା’ ଆସିବାର ଆଶଙ୍କା ଦେଖାଦେଇଛି। ପରିସ୍ଥିତିର ଭୟାବହତାକୁ ଆଖିଆଗରେ ରଖି ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲା ପାଇଁ ସର୍ବୋଚ୍ଚ ସତର୍କତା ବା ‘ରେଡ୍ ଆଲର୍ଟ’ ଜାରି କରାଯାଇଛି। ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆଜି ସକାଳ ସାଢ଼େ ୮ଟା ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୨ ଜିଲ୍ଲା ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ତେବେ ଆଜି ସାଢେ ୮ଟାରୁ ଆସନ୍ତାକାଲି ସାଢେ ୮ଟା ପର୍ଯ୍ୟନ୍ତ ପାଇଁ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ବରଗଡ଼ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୯ଟି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ରହିଛି । ସେପଟେ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି । ଏ ନେଇ ପାଣିପାଗ ବିଭାଗ ଆକଳନ କରିଛି । ୧୯ ଅଗଷ୍ଟ ସୁଦ୍ଧା ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ରହିଛି । ୨୦ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଫଳରେ ରାଜ୍ୟରେ ୨୦ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗିରହିବାର ସମ୍ଭାବନା ରହିଛି ।

ସେହିପରି ଆଜି ପାଇଁ ୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି । ସମୁଦ୍ର ଅଶାନ୍ତ ରହିଥିବାରୁ ୧୫ ଯାଏ ମତ୍ସ୍ୟଜୀବୀଙ୍କୁ ବଙ୍ଗୋପସାଗରକୁ ବାରଣ କରାଯାଇଛି। ୯୦୦ ମିମି ଅତିକ୍ରମ କଲା ମୌସୁମୀ ବର୍ଷା। ଚଳିତ ବର୍ଷ ଜୁନ ୧ରୁ ୧୩ ଅଗଷ୍ଟ ସୁଦ୍ଧା ରାଜ୍ୟରେ ୯୦୧.୮ମିମି ବର୍ଷା ରେକର୍ଡ ହୋଇଛି ଯାହାକି ସ୍ୱାଭାବିକ ବୃଷ୍ଟିପାତ ୭୧୩.୩ ମିମି ତୁଳନାରେ ୨୬ ପ୍ରତିଶତ ଅଧିକ ରହିଛି।

 

Leave A Reply

Your email address will not be published.