Monsoon Session: ହଙ୍ଗାମାରେ ଧୋଇଗଲା ସଂସଦର ମୌସୁମୀ ଅଧିବେଶନ, ରାହୁଲଙ୍କ ଟାର୍ଗେଟରେ ମୋଦି-ଶାହ, ବିଜେପି କହିଲା ବିରୋଧୀଙ୍କ କ୍ଷତି…
ନୂଆଦିଲ୍ଲୀ: ଭୀଷଣ ହଙ୍ଗାମା, ନାରାବାଜି ଓ ବିରୋଧ ପ୍ରଦର୍ଶନ ମଧ୍ୟରେ ଶେଷ ହୋଇଛି ସଂସଦର ମୌସୁମୀ ଅଧିବେଶନ। ଶୁକ୍ରବାର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ କରାଯାଇଛି। ପୂରା ଅଧିବେଶନରେ ହଙ୍ଗାମା ଯୋଗୁଁ ଲୋକସଭା ଓ ରାଜ୍ୟସଭାର ନିର୍ଦ୍ଧାରିତ କାର୍ଯ୍ୟ ସମୟର ପ୍ରାୟ ୮୦ ପ୍ରତିଶତ ନଷ୍ଟ ହୋଇଥିବା ଜଣାପଡ଼ିଛି। ତେବେ ଏହା ସତ୍ତ୍ୱେ ସରକାର ୧୨ଟି ବିଲ୍ ପାରିତ କରାଇବାରେ ସଫଳ ହୋଇଛି।
ଅଧିବେଶନରେ ବିରୋଧୀଙ୍କ ଲଗାତାର ହଙ୍ଗାମାକୁ ନେଇ ସରକାର ଓ ବିରୋଧୀ ଦଳ ମଧ୍ୟରେ ତୀବ୍ର ବୟାନବାଜି ହୋଇଛି। ସଂସଦରେ କାର୍ଯ୍ୟ ଚାଲିବାକୁ ଦିଆନଯିବାକୁ ନିଜର ରଣନୀତିର ସଫଳତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିବା ବେଳେ ବିଜେପି ଏହାକୁ ବିରୋଧୀଙ୍କ ରାଜନୈତିକ ଭୁଲ ବୋଲି କହିଛି।
ଅଧିବେଶନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହଙ୍କ ସମେତ ଏନ୍ଡିଏର ଅନେକ ବରିଷ୍ଠ ନେତା ସଂସଦରେ ଉପସ୍ଥିତ ଥିଲେ। ତଥାପି ସଂସଦ ବାହାରେ ବିରୋଧୀ ସାଂସଦଙ୍କ ପ୍ରତିବାଦ ଜାରି ରହିଥିଲା। ଗୁରୁବାର ସକାଳ ୧୧ଟାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସଦନରେ ପହଞ୍ଚିବା ପରେ ବିରୋଧୀ ସାଂସଦମାନେ ପ୍ରାୟ ଏକ ମିନିଟ୍ ଧରି ନାରାବାଜି କରିଥିଲେ। ଏହା ପରେ ସମସ୍ତ ସାଂସଦ ‘ବନ୍ଦେ ମାତରମ୍’ ଗାଇବା ପାଇଁ ଠିଆ ହୋଇଥିଲେ। ପ୍ରାୟ ୩ ମିନିଟ୍ ୧୦ ସେକେଣ୍ଡରେ ୬ଟି ଛନ୍ଦ ଗାନ ଶେଷ ହେବା ପରେ ଲୋକସଭାକୁ ଅନିର୍ଦ୍ଦିଷ୍ଟ ସମୟ ପାଇଁ ମୁଲତବୀ କରି ଦିଆଯାଇଥିଲା।
କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଅଭିଯୋଗ କରିଥିଲେ ଯେ, ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ ଶାହ କେବଳ ‘ବନ୍ଦେ ମାତରମ୍’ ଗାଇବା ପାଇଁ ସଂସଦକୁ ଆସିଥିଲେ। ସରକାର ଯଦି ପୂର୍ବରୁ ସଦନକୁ ଆସି ବୟାନ ଦେଇଥାନ୍ତେ, ତେବେ ହଙ୍ଗାମା ଏତେ ବଢ଼ିନଥାନ୍ତା ବୋଲି ସେ କହିଥିଲେ।
ଶେଷ ଦିନରେ ସଂସଦ କାର୍ଯ୍ୟ ଆରମ୍ଭ ପୂର୍ବରୁ କଂଗ୍ରେସର କିଛି ସାଂସଦ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ପ୍ରଦର୍ଶନ କରିଥିଲେ। ରାଜ୍ୟସଭା ସାଂସଦ ପବନ ଖେଡ଼ା ଏହି ପ୍ରଦର୍ଶନର ନେତୃତ୍ୱ ନେଇଥିଲେ। ତାଙ୍କ ହାତରେ ଏକ ମାଙ୍କଡ ଖେଳନା ଥିବା ବେଳେ ଅନ୍ୟ କିଛି ସାଂସଦ ମଧ୍ୟ ଖେଳନା ଧରି ପ୍ରଦର୍ଶନରେ ସାମିଲ ହୋଇଥିଲେ। ସମାଜବାଦୀ ପାର୍ଟିର କିଛି ସାଂସଦ ମଧ୍ୟ ଏଥିରେ ଯୋଗ ଦେଇଥିଲେ। ଏହି ପ୍ରଦର୍ଶନକୁ ବିଜେପି ସଂସଦର ମର୍ଯ୍ୟାଦା ଓ ରାଜନୈତିକ ଶିଷ୍ଟାଚାର ବିରୋଧୀ ବୋଲି କହିଛି। କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ ଓ ବିଜେପି ନେତା ରବିଶଙ୍କର ପ୍ରସାଦ ମଧ୍ୟ କଂଗ୍ରେସର ଏହି ପ୍ରଦର୍ଶନକୁ ସମାଲୋଚନା କରିଥିଲେ।
ବିଜେପିର ସମାଲୋଚନା ପରେ ମଧ୍ୟ ରାହୁଲ ଗାନ୍ଧୀ ନିଜ ଆଭିମୁଖ୍ୟକୁ ଆହୁରି ତୀବ୍ର କରିଥିଲେ। ଏକ କଂଗ୍ରେସ କାର୍ଯ୍ୟକ୍ରମରେ ସେ ପ୍ରଧାନମନ୍ତ୍ରୀ ମୋଦି, ଗୃହମନ୍ତ୍ରୀ ଅମିତ ଶାହ ଓ ଆରଏସ୍ଏସ୍କୁ ଟାର୍ଗେଟ କରିଥିଲେ। ରାହୁଲ କହିଥିଲେ ଯେ, ବିରୋଧୀମାନେ ମିଶି ମୋଦିଙ୍କ ନିଦ ହଜାଇଦେଇଛନ୍ତି। ଅମିତ ଶାହଙ୍କ ଉପରେ ମଧ୍ୟ ଚାପ ବଢ଼ିଛି ବୋଲି ସେ ଦାବି କରିଥିଲେ। ମୋଦି ଇସ୍ତଫା ନଦେବା ଓ ଅମିତ ଶାହଙ୍କ ପଦ ନଯିବା ପର୍ଯ୍ୟନ୍ତ ବିରୋଧୀ ଚୁପ୍ ରହିବେ ନାହିଁ ବୋଲି ରାହୁଲ କହିଥିଲେ।
ରାହୁଲ ଗାନ୍ଧୀ ଓ କଂଗ୍ରେସର ପ୍ରଦର୍ଶନକୁ ନେଇ ଦଳ ଭିତରୁ ମଧ୍ୟ ଅସନ୍ତୋଷର ସ୍ୱର ଶୁଣିବାକୁ ମିଳିଛି। କଂଗ୍ରେସ ନେତା ତାରିକ ଅନୱର କହିଛନ୍ତି ଯେ ସରକାର ଓ ବିରୋଧୀଙ୍କ ମଧ୍ୟରେ ମତଭେଦ ରହିବା ଗଣତନ୍ତ୍ରରେ ସ୍ୱାଭାବିକ। ବିରୋଧ କରିବାର ଅଧିକାର ମଧ୍ୟ ରହିଛି, କିନ୍ତୁ ଏଥିପାଇଁ ଏକ ନିର୍ଦ୍ଦିଷ୍ଟ ମର୍ଯ୍ୟାଦା ରହିବା ଆବଶ୍ୟକ। ପବନ ଖେଡ଼ାଙ୍କ ‘ମଙ୍କି ଟୟ’ ପ୍ରଦର୍ଶନ ସହ ସେ ସହମତ ନୁହନ୍ତି ବୋଲି ତାରିକ ଅନୱର କହିଛନ୍ତି। ଏନେଇ ସେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବେ ବୋଲି ମଧ୍ୟ କହିଛନ୍ତି।
ମିଳିଥିବା ତଥ୍ୟ ଅନୁସାରେ, ଏହି ଅଧିବେଶନରେ ଲୋକସଭା ଓ ରାଜ୍ୟସଭାରେ ପ୍ରାୟ ୧୧୪ ଘଣ୍ଟା କାର୍ଯ୍ୟ ହେବାର ଥିଲା। କିନ୍ତୁ ଲୋକସଭାରେ ୯୬ ଘଣ୍ଟାରୁ ଅଧିକ ସମୟ ହଙ୍ଗାମା ଯୋଗୁଁ ବାଧାପ୍ରାପ୍ତ ହୋଇଥିଲା। ରାଜ୍ୟସଭାରେ ମଧ୍ୟ ପ୍ରାୟ ୭୭ ଘଣ୍ଟା ବିରୋଧ ଓ ବାଧା ମଧ୍ୟରେ କଟିଥିଲା। ସଂସଦୀୟ କାର୍ଯ୍ୟମନ୍ତ୍ରୀ କିରନ ରିଜିଜୁ କହିଛନ୍ତି ଯେ, ବିରୋଧୀଙ୍କ ହଙ୍ଗାମା ସତ୍ତ୍ୱେ ସରକାର ୧୨ଟି ବିଲ୍ ପାରିତ କରାଇଛି। ତାଙ୍କ ମତରେ, ଏହାଦ୍ୱାରା ସେହି ସାଂସଦମାନେ କ୍ଷତି ସହିଛନ୍ତି, ଯେଉଁମାନେ ନିଜ ନିର୍ବାଚନମଣ୍ଡଳୀର ସମସ୍ୟା ଉଠାଇବା ଓ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବାକୁ ଚାହୁଁଥିଲେ।
ସଂସଦରେ ସରକାରଙ୍କ କାର୍ଯ୍ୟକୁ ବାଧା ଦେବାକୁ ରାହୁଲ ଗାନ୍ଧୀ ବିରୋଧୀଙ୍କ ରଣନୀତିର ସଫଳତା ବୋଲି ଦାବି କରିଛନ୍ତି। ତାଙ୍କ ଅନୁସାରେ, ବିରୋଧୀଙ୍କ ଚାପ ଯୋଗୁଁ ସରକାର ଅନେକ ପ୍ରସଙ୍ଗରେ ଆଗକୁ ବଢ଼ିବାରେ ସମସ୍ୟାର ସମ୍ମୁଖୀନ ହୋଇଛି।
ଅନ୍ୟପକ୍ଷରେ ବିଜେପି ଏହାକୁ ବିଜୟ ନୁହେଁ, ବରଂ ବିରୋଧୀଙ୍କ ରଣନୀତିକ ବିଫଳତା ବୋଲି କହିଛି। ବିଜେପିର ଯୁକ୍ତି ହେଉଛି, ଯଦି ବିଲ୍ଗୁଡ଼ିକ ଉପରେ ଆଲୋଚନା ହେଲା ନାହିଁ, ତେବେ ବିରୋଧୀଙ୍କୁ ସରକାରଙ୍କ ତ୍ରୁଟି ଦେଖାଇବା ଓ ନିଜର ମତ ରଖିବାର ସୁଯୋଗ ମଧ୍ୟ ମିଳିଲା ନାହିଁ। ବିଶେଷକରି ପ୍ରଶ୍ନକାଳ ମାଧ୍ୟମରେ ସାଂସଦମାନେ ନିଜ ଅଞ୍ଚଳର ସମସ୍ୟା ସରକାରଙ୍କ ସମ୍ମୁଖରେ ରଖିପାରନ୍ତି। ହଙ୍ଗାମା ଯୋଗୁଁ ଏହି ସୁଯୋଗ ହାତଛଡ଼ା ହୋଇଥିବାରୁ ଏବେ ସାଂସଦମାନଙ୍କୁ ନିଜ ନିର୍ବାଚନମଣ୍ଡଳୀକୁ ଯାଇ ଲୋକଙ୍କୁ ଜବାବ ଦେବାକୁ ପଡ଼ିପାରେ।
