Latest Odisha News

BREAKING NEWS

୧୯୦୬ ରୁ ୧୯୪୭: ଜାଣନ୍ତୁ କେତେ ଥର ବଦଳିଛି ଆମ ଜାତୀୟ ପତାକା? ଚରଖାରୁ ଅଶୋକ ଚକ୍ର ପର୍ଯ୍ୟନ୍ତ ରୋଚକ କାହାଣୀ

ନୂଆଦିଲ୍ଲୀ: ପ୍ରତ୍ୟେକ ଭାରତୀୟ ଯେତେବେଳେ ଖୋଲା ଆକାଶରେ ଉଡ଼ୁଥିବା ତ୍ରିରଙ୍ଗାକୁ ଦେଖନ୍ତି, ସେତେବେଳେ ହୃଦୟରେ ଗର୍ବ ଓ ଶାନ୍ତିର ଏକ ଅଦ୍ଭୁତ ଭାବନା ଜାଗ୍ରତ ହୁଏ । କିନ୍ତୁ ଆପଣ ଜାଣନ୍ତି କି ଆମ ଦେଶର ଏହି ଗର୍ବର ପ୍ରତୀକ ସ୍ୱାଧୀନତା ପୂର୍ବରୁ ଅନେକ ଥର ନିଜର ରୂପ ବଦଳାଇଛି? ଆସନ୍ତୁ ଜାଣିବା ଆମ ଜାତୀୟ ପତାକାର ସେହି ଐତିହାସିକ ତଥା ରୋଚକ ଯାତ୍ରା ସମ୍ପର୍କରେ।

ଆମ ଜାତୀୟ ପତାକାର ପ୍ରଥମ ଯାତ୍ରା ୭ ଅଗଷ୍ଟ ୧୯୦୬ ମସିହାରେ କଲିକତାର ପାର୍ସୀ ବାଗାନ ଛକରୁ ଆରମ୍ଭ ହୋଇଥିଲା। ଶଚୀନ୍ଦ୍ର ପ୍ରସାଦ ବୋଷ ଓ ସୁକୁମାର ମିତ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏହି ପତାକାରେ ସବୁଜ, ହଳଦିଆ ଓ ନାଲି ରଙ୍ଗର ତିନୋଟି ପଟି ଥିଲା।

ଏହା ଉପରେ ‘ବନ୍ଦେ ମାତରମ୍’, ୮ଟି ପଦ୍ମ ଏବଂ ତଳ ଭାଗରେ ଚାନ୍ଦ ଓ ସୂର୍ଯ୍ୟଙ୍କ ଚିତ୍ର ରହିଥିଲା। ପରବର୍ତ୍ତୀ ସମୟରେ ୧୯୦୭ ମସିହାରେ ମାଡାମ୍ ଭିକାଜୀ କାମା ବିଦେଶ ମାଟିରେ ଆଉ ଏକ ପତାକା ଉଡ଼ାଇଥିଲେ, ଯେଉଁଥିରେ କିଛି ସାମାନ୍ୟ ପରିବର୍ତ୍ତନ କରାଯାଇଥିଲା। ଏହାପରେ ୧୯୧୭ ମସିହାରେ ଆନି ବେସାନ୍ତ ଏବଂ ବାଲ ଗଙ୍ଗାଧର ତିଳକଙ୍କ ହୋମ ରୁଲ୍ ଆନ୍ଦୋଳନ ସମୟରେ ଏକ ନୂତନ ପତାକା ସାମ୍ନାକୁ ଆସିଲା। ଏଥିରେ ନାଲି-ସବୁଜ ପଟି ସହ ୟୁନିୟନ୍ ଜ୍ୟାକ୍ ଏବଂ ଚାନ୍ଦ-ତାରା ରହିଥିଲା।

ପତାକାର ରୂପରେଖରେ ସବୁଠାରୁ ବଡ଼ ପରିବର୍ତ୍ତନ ଆସିଥିଲା ୧୯୨୧ ମସିହାରେ। ବିଜୟୱାଡ଼ାଠାରେ ଆୟୋଜିତ କଂଗ୍ରେସ ଅଧିବେଶନ ବେଳେ ପିଙ୍ଗଲି ଭେଙ୍କେୟା ମହାତ୍ମା ଗାନ୍ଧୀଙ୍କୁ ଏକ ନୂଆ ଡିଜାଇନ୍ ଦେଇଥିଲେ ଯେଉଁଥିରେ ଦେଶର ଆତ୍ମନିର୍ଭରଶୀଳତାର ପ୍ରତୀକ ଭାବେ ‘ଚରଖା’ ସ୍ଥାନ ପାଇଥିଲା। ପରେ ୧୯୩୧ ମସିହାରେ ଜାତୀୟ କଂଗ୍ରେସ ପକ୍ଷରୁ କେଶରୀ, ଧଳା ଓ ସବୁଜ ରଙ୍ଗ ସହ ମଝିରେ ଚରଖା ଥିବା ପତାକାକୁ ବିଧିବଦ୍ଧ ମଞ୍ଜୁରୀ ମିଳିଲା।

ଶେଷରେ, ଆମକୁ ସ୍ୱାଧୀନତା ମିଳିବାର ଠିକ୍ କିଛି ସପ୍ତାହ ପୂର୍ବରୁ ଅର୍ଥାତ୍ ୨୨ ଜୁଲାଇ ୧୯୪୭ ମସିହାରେ ସମ୍ବିଧାନ ସଭା ବର୍ତ୍ତମାନର ତ୍ରିରଙ୍ଗାକୁ ଗ୍ରହଣ କଲା। ପୂର୍ବର ତିନି ରଙ୍ଗ ବଜାୟ ରହିଲା, କିନ୍ତୁ ଚରଖା ସ୍ଥାନରେ ୨୪ଟି ଅର ଥିବା ନୀଳ ରଙ୍ଗର ‘ଅଶୋକ ଚକ୍ର’କୁ ସ୍ଥାନ ଦିଆଗଲା। ଆଜି ଏହି ତ୍ରିରଙ୍ଗା ସମଗ୍ର ବିଶ୍ୱରେ ପ୍ରତ୍ୟେକ ଭାରତୀୟଙ୍କ ସାହସ, ଶାନ୍ତି, ସମୃଦ୍ଧି ଏବଂ ପ୍ରଗତିର ମୁଖ୍ୟ ବାର୍ତ୍ତା ବହନ କରୁଛି।

Leave A Reply

Your email address will not be published.