Latest Odisha News

BREAKING NEWS

PM Modi to GenZ: ଯୁବପିଢ଼ିଙ୍କ ପାଇଁ ମୋଦୀଙ୍କ ବଡ଼ ଘୋଷଣା, ମାଗଣା ଅନଲାଇନ୍ କୋଚିଂ ସହ ୧ କୋଟି ଯୁବକ-ଯୁବତୀଙ୍କୁ AI ଟ୍ରେନିଂ

ନୂଆଦିଲ୍ଲୀ: ୮୦ତମ ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲାରୁ ଦେଶର ଯୁବପିଢ଼ି ପାଇଁ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଗାମୀ ଏକ ବର୍ଷ ମଧ୍ୟରେ ଦେଶର ୧ କୋଟି ଯୁବକ-ଯୁବତୀଙ୍କୁ କୃତ୍ରିମ ବୁଦ୍ଧିମତ୍ତା (AI)ରେ ଦକ୍ଷତା ପ୍ରଶିକ୍ଷଣ ଦିଆଯିବ ବୋଲି ସେ ଘୋଷଣା କରିଛନ୍ତି। ଏହାସହ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ କୋଚିଂ ଦିଆଯିବ ବୋଲି ମଧ୍ୟ କହିଛନ୍ତି।

ଲାଲକିଲ୍ଲାରୁ ନିଜ ସ୍ୱାଧୀନତା ଦିବସ ଅଭିଭାଷଣରେ ମୋଦୀ କହିଛନ୍ତି, ଭାରତର ବିକାଶ ଯାତ୍ରାରେ ଯୁବଶକ୍ତିର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ‘ବିକଶିତ ଭାରତ-୨୦୪୭’ ଲକ୍ଷ୍ୟ ପୂରଣ ପାଇଁ ଯୁବପିଢ଼ିଙ୍କୁ ନୂଆ ଦକ୍ଷତା ଓ ପ୍ରଯୁକ୍ତି ସହ ଯୋଡ଼ିବା ଆବଶ୍ୟକ ବୋଲି ସେ କହିଛନ୍ତି।

AIର ଦ୍ରୁତ ବିସ୍ତାରକୁ ଦୃଷ୍ଟିରେ ରଖି ଯୁବପିଢ଼ିଙ୍କୁ ଏହି କ୍ଷେତ୍ରରେ ଆଗୁଆ କରିବା ପାଇଁ ସରକାର ବଡ଼ ପଦକ୍ଷେପ ନେଇଛି। ଆଗାମୀ ଏକ ବର୍ଷରେ ୧ କୋଟି ଯୁବକ-ଯୁବତୀଙ୍କୁ AI ସ୍କିଲ୍‌ରେ ଟ୍ରେନିଂ ଦିଆଯିବ। ଭବିଷ୍ୟତର AI ଯୁଗରେ ଭାରତୀୟ ଯୁବପିଢ଼ି ଯେପରି ବିଶ୍ୱସ୍ତରରେ ନେତୃତ୍ୱ ନେଇପାରିବେ, ସେଥିପାଇଁ ଏହି ପଦକ୍ଷେପ ନିଆଯାଇଥିବା ମୋଦୀ କହିଛନ୍ତି।

ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ପାଇଁ ଆଉ ଏକ ବଡ଼ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ। ବିଭିନ୍ନ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମାଗଣା ଅନଲାଇନ୍ କୋଚିଂ ଯୋଗାଇ ଦିଆଯିବ। ଏହା ଫଳରେ ଦାମୀ କୋଚିଂ ଉପରେ ନିର୍ଭରଶୀଳତା କମିବା ସହ ଅଧିକ ଛାତ୍ରଛାତ୍ରୀ ପ୍ରସ୍ତୁତିର ସୁଯୋଗ ପାଇପାରିବେ।

ଶିକ୍ଷା କ୍ଷେତ୍ରରେ ଦେଶର ଅଗ୍ରଗତି ବିଷୟରେ ମଧ୍ୟ ମୋଦୀ ଉଲ୍ଲେଖ କରିଛନ୍ତି। ଗତ ୧୨ ବର୍ଷରେ ଦେଶରେ ପ୍ରାୟ ୬୫୦ଟି ନୂଆ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଛି ବୋଲି ସେ କହିଛନ୍ତି। ଏହାସହ ଦେଶରେ ଏବେ ୮୫୦ଟି ମେଡିକାଲ କଲେଜ ରହିଛି ବୋଲି ସେ ଦାବି କରିଛନ୍ତି। ବିଦେଶୀ ବିଶ୍ୱବିଦ୍ୟାଳୟର ଡିଗ୍ରୀ ଭାରତରେ ରହି ହାସଲ କରିବା ପାଇଁ ମଧ୍ୟ ଆହୁରି ବ୍ୟବସ୍ଥା କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଯୁବପିଢ଼ି ମଧ୍ୟରେ ନୂଆ ଚିନ୍ତାଧାରା, ନବସୃଜନ ଓ ପ୍ରଯୁକ୍ତି ପ୍ରତି ଆଗ୍ରହ ବଢ଼ାଇବା ପାଇଁ ଦେଶରେ ୧୦ ହଜାରରୁ ଅଧିକ ଅଟଳ ଟିଙ୍କରିଂ ଲ୍ୟାବ୍ ସ୍ଥାପନ କରାଯିବ ବୋଲି ସେ ଘୋଷଣା କରିଛନ୍ତି।

ମୋଦୀ କହିଛନ୍ତି, ଭାରତର ଯୁବ ଉଦ୍ୟୋଗୀମାନଙ୍କ ହାରାହାରି ବୟସ ପ୍ରାୟ ୨୮ ବର୍ଷ। ଏହି ଯୁବ ଉଦ୍ୟୋଗୀମାନେ ନିଜର ପ୍ରଥମ ପ୍ରୟାସରେ ଉପଗ୍ରହ ଓ ରକେଟ୍ ଲଞ୍ଚ କରି ସଫଳତା ହାସଲ କରିଛନ୍ତି। ଦେଶରେ ଏବେ ୨.୫ ଲକ୍ଷରୁ ଅଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍ ରହିଛି ବୋଲି ସେ କହିଛନ୍ତି।

ଚାଲିଥିବା ଜନଗଣନା ପ୍ରକ୍ରିୟାରେ ମଧ୍ୟ ଯୁବପିଢ଼ିଙ୍କୁ ସକ୍ରିୟ ଭାବେ ସାମିଲ ହେବାକୁ ମୋଦୀ ଆହ୍ୱାନ ଦେଇଛନ୍ତି। ପରିବାର ସମ୍ପର୍କିତ ସଠିକ୍ ତଥ୍ୟ ଡିଜିଟାଲ୍ ମାଧ୍ୟମରେ ଦେଇ ଜନଗଣନାକୁ ତ୍ରୁଟିମୁକ୍ତ କରିବାରେ ଯୁବପିଢ଼ି ନେତୃତ୍ୱ ନେବା ଆବଶ୍ୟକ ବୋଲି ସେ କହିଛନ୍ତି। ଅଭିଭାଷଣ ଶେଷରେ ପ୍ରଧାନମନ୍ତ୍ରୀ କହିଛନ୍ତି, ୨୦୪୭ ସୁଦ୍ଧା ବିକଶିତ ଭାରତ ଗଠନ ପାଇଁ ପ୍ରତ୍ୟେକ ନାଗରିକଙ୍କୁ ଦେଶକୁ ନିଜଠାରୁ ଉପରେ ରଖି କାମ କରିବାକୁ ହେବ। ଜାତୀୟ ସ୍ୱାର୍ଥ ଓ କର୍ତ୍ତବ୍ୟବୋଧକୁ ନିଜର ପରିଚୟ କରିବା ପାଇଁ ସେ ଦେଶବାସୀ, ବିଶେଷକରି ଯୁବପିଢ଼ିଙ୍କୁ ଆହ୍ୱାନ ଦେଇଛନ୍ତି।

Leave A Reply

Your email address will not be published.