Latest Odisha News

BREAKING NEWS

ମାଛ ଧରିବାକୁ ଯାଇ ବନ୍ୟାଜଳରେ ଭାସିଗଲେ ଯୁବ ଶିକ୍ଷକ

ବୈଶିଙ୍ଗା: ମାଛ ଧରିବାକୁ ଯାଇ ବନ୍ୟାଜଳରେ ଭାସିଗଲେ ଯୁବ ଶିକ୍ଷକ । ମୃତକ ହେଲେ ବୈଶିଙ୍ଗା ଥାନା ଅଧୀନ ଗଣ୍ଡର୍ଦା ଗ୍ରାମର ମନୋରଞ୍ଜନ ରାଉତଙ୍କ ୨୮ ବର୍ଷୀୟ ପୁଅ ପଙ୍କଜ ରାଉତ । ସେ ବାଲେଶ୍ୱରସ୍ଥିତ ଏକ ଘରୋଇ କଲେଜରେ ଶିକ୍ଷକତା କରୁଥିବା ଜଣାପଡ଼ିଛି ।

ବନ୍ୟାଜଳର ପ୍ରଖର ସ୍ରୋତରେ ଭାସିଯାଇ ନିଖୋଜ ହେବାର ପ୍ରାୟ ଘଣ୍ଟାଏ ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ବାଲେଶ୍ବର ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ତେବେ ସେଠାରେ କାର୍ଯ୍ୟରତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ସୂଚନାନୁଯାୟୀ, ଆଜି ଶନିବାର ପ୍ରାୟ ସାଢ଼େ ୯ଟା ସମୟରେ ବୈଶିଙ୍ଗା-ଗଣ୍ଡର୍ଦା ରାସ୍ତାର କଷିପଦା ନିକଟରେ ଥିବା ଏକ ନିର୍ମାଣଧୀନ ପୋଲ ପାଖରେ କିଛି ସ୍ଥାନୀୟ ଲୋକ ମାଛ ଧରୁଥିଲେ। ପଙ୍କଜ ମଧ୍ୟ ସେମାନଙ୍କ ସହ ମାଛ ଧରିବାକୁ ପାଣି ମଧ୍ୟକୁ ପଶିଥିଲେ। ପୋଲ ନିକଟରେ ସୃଷ୍ଟି ହୋଇଥିବା ଗଭୀର ଖାଲରେ ତାଙ୍କ ଗୋଡ଼ ଖସିଯାଇଥିଲା । ଫଳରେ ବନ୍ୟାଜଳର ପ୍ରଖର ସ୍ରୋତରେ ସେ ଭାସି ଯାଇଥିଲେ ।

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଖୋଜାଖୋଜି ଆରମ୍ଭ କରିଥିଲେ। ପ୍ରାୟ ଏକ ଘଣ୍ଟାର ଉଦ୍ୟମ ପରେ ପଙ୍କଜଙ୍କୁ ପାଣିରୁ ଉଦ୍ଧାର କରାଯାଇ ପ୍ରାଥମିକ ଚିକତ୍ସା ପୂର୍ବକ ସିପିଆର ଦିଆଯିବା ପରେ ବାଲେଶ୍ବର ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ସେତେବେଳକୁ ତାଙ୍କ ଜୀବନ ଚାଲିଯାଇଥିବା ଡାକ୍ତର କହିଥିଲେ ।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଘଟଣା ସମ୍ପର୍କରେ ୧୧୨କୁ ଫୋନ୍ କରାଯାଇଥିଲେ ମଧ୍ୟ ଦୀର୍ଘ ସମୟ ପର୍ଯ୍ୟନ୍ତ ପ୍ରଶାସନ କିମ୍ବା ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲେ। ଫଳରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ବୈଶିଙ୍ଗା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.