ନୂଆଦିଲ୍ଲୀ: ହକି ବିଶ୍ୱକପରେ ଭାରତ ସମ୍ପୂର୍ଣ୍ଣ ଷ୍ଟାଇଲରେ ତାର ଅଭିଯାନ ଆରମ୍ଭ କରିଛି । ବେଲଜିୟମ ଓ ନେଦରଲ୍ୟାଣ୍ଡସର ମିଳିତ ଆୟୋଜନରେ ଆରମ୍ଭ ହୋଇଥିବା ପୁରୁଷ ହକି ବିଶ୍ୱକପ ୨୦୨୬ରେ ଭାରତୀୟ ଦଳ ବିଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ୧୫ ଅଗଷ୍ଟ ସ୍ୱାଧୀନତା ଦିବସର ଐତିହାସିକ ଅବସରରେ ଖେଳାଯାଇଥିବା ପ୍ରଥମ ପୁଲ୍-ଡି ମ୍ୟାଚରେ ଟିମ୍ ଇଣ୍ଡିଆ ୱେଲ୍ସକୁ ୩-୧ ଗୋଲରେ ପରାସ୍ତ କରିଛି । ମ୍ୟାଚର ଆରମ୍ଭରୁ ହିଁ ଭାରତୀୟ ଦଳ ନିଜର ଆକ୍ରାମକ ପ୍ରଦର୍ଶନ ଜାରି ରଖିଥିଲା । ଯୁବ ଡିଫେଣ୍ଡର ସଞ୍ଜୟ ୮ମ ମିନିଟରେ ପେନାଲ୍ଟି କର୍ନରକୁ ଗୋଲରେ ରୂପାନ୍ତରିତ କରି ଭାରତକୁ ୧-୦ରେ ଆଗୁଆ କରିଥିଲେ ।
ଅଧିନାୟକ ହରମନପ୍ରୀତ ସିଂହ ଅନ୍ୟ ଏକ ପେନାଲ୍ଟି କୋର୍ନରରୁ ଦମଦାର ଡ୍ରାଗ-ଫ୍ଲିକ୍ ଜରିଆରେ ଗୋଲ୍ ଦେଇ ସ୍କୋର ୨-୦ କରିଥିଲେ । ଦ୍ୱିତୀୟ କ୍ୱାର୍ଟର ଗୋଲଶୂନ୍ୟ ରହିଥିବା ବେଳେ ପ୍ରଥମ ହାଫ୍ ସୁଦ୍ଧା ଭାରତ ୨-୦ରେ ଆଗୁଆ ରହିଥିଲା । ତୃତୀୟ କ୍ୱାର୍ଟରରେ ହରମନପ୍ରୀତ ସିଂହ ଏକ ସୁନ୍ଦର ଫିଲ୍ଡ ଗୋଲ୍ କରି ଦଳର ସ୍କୋର ୩-୦ରେ ପହଞ୍ଚାଇଥିଲେ । ୫୬ତମ ମିନିଟରେ ୱେଲ୍ସ ଏକ ଫିଲ୍ଡ ଗୋଲ୍ ଦେଇ ସ୍କୋର ୩-୧ କରିଥିଲା, ମାତ୍ର ଭାରତୀୟ ଡିଫେନ୍ସର ମଜବୁତ୍ ପ୍ରଦର୍ଶନ ଯୋଗୁଁ ମ୍ୟାଚ୍ ଭାରତ ସପକ୍ଷରେ ୩-୧ରେ ଶେଷ ହୋଇଥିଲା ।
