୧୯୪୭ ସ୍ୱାଧୀନତା ପରଠାରୁ ଭାରତରେ କ୍ରୀଡାର ଉନ୍ନତି ଦ୍ରୁତ ବେଗରେ ହୋଇଥିବା ପରିଲକ୍ଷିତ ହୋଇଛି । ଭାରତ ଏବେ ଗୋଟିଏ କିମ୍ବା ଦୁଇଟି ଖେଳରେ ବାନ୍ଧି ହୋଇ ରହି ନାହିଁ । ଯୁବପିଢ଼ୀ ଏବେ ସମସ୍ତ ଆନ୍ତର୍ଜାତୀୟ କ୍ରୀଡାରେ ନିଜର ଆଧିପତ୍ୟ ବିସ୍ତାର କରିପାରିଛି । ସରକାର ମଧ୍ୟ କ୍ରୀଡାବିତଙ୍କୁ ଆବଶ୍ୟକ ସୁବିଧା ସୁଯୋଗ ଯୋଗାଇଦେବା ଏହି ସଫଳତାର ଆଉ ଏକ କାରଣ ଭାବେ ବିବେଚନା କରାଯାଇପାରେ । ୮୦ ବର୍ଷର ଏହି ଯାତ୍ରାରେ ଭାରତ କେବଳ ପ୍ରତିଯୋଗୀ ନୁହେଁ, ବରଂ ୨୦୩୬ ଅଲିମ୍ପିକ୍ସ ଆୟୋଜନ ପାଇଁ ଦାବିଦାର ସାଜି ଗୋଟିଏ ପ୍ରମୁଖ ଗ୍ଲୋବାଲ୍ ସ୍ପୋର୍ଟସ୍ ପାୱାରହାଉସ୍ ଭାବେ ଉଭା ହୋଇଛି ।
ଅଲିମ୍ପିକ୍ସରେ ଭାରତର ସଫଳତା: ୧୯୨୮ ରୁ ୧୯୫୬ ମଧ୍ୟରେ କ୍ରମାଗତ ୬ଟି ସ୍ୱର୍ଣ୍ଣ ସହ ମୋଟ ୮ଟି ଅଲିମ୍ପିକ୍ ସ୍ୱର୍ଣ୍ଣ ଜିତି ଭାରତୀୟ ହକି ଇତିହାସ ରଚିଥିଲା । ଟୋକିଓ ଓ ପ୍ୟାରିସ୍ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଏହି ପରମ୍ପରା ବଜାୟ ରହିଛି । ହେଲସିଙ୍କି ଅଲିମ୍ପିକ୍ସରେ କୁସ୍ତିଯୋଦ୍ଧା କେ.ଡି. ଯାଦବ (୫୭ କିଗ୍ରା ଫ୍ରିଷ୍ଟାଇଲ୍) ସ୍ୱାଧୀନ ଭାରତର ପ୍ରଥମ ବ୍ୟକ୍ତିଗତ ବ୍ରୋଞ୍ଜ ପଦକ ଜିତିଥିଲେ । ୧୯୯୬ରେ ଲିଆଣ୍ଡର ପେସ୍ ଟେନିସରେ ବ୍ରୋଞ୍ଜ ଏବଂ ୨୦୦୦ ସିଡନୀ ଅଲିମ୍ପିକ୍ସରେ କର୍ଣ୍ଣମ ମାଲେଶ୍ୱରୀ ପ୍ରଥମ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ ପଦକ (ବ୍ରୋଞ୍ଜ) ଜିତିଥିଲେ । ୨୦୦୮ ବେଜିଂ ଅଲିମ୍ପିକ୍ସରେ ସୁଟର ଅଭିନବ ବିନ୍ଦ୍ରା ଭାରତକୁ ପ୍ରଥମ ବ୍ୟକ୍ତିଗତ ସ୍ୱର୍ଣ୍ଣ ଆଣିଦେଇଥିଲେ । ୨୦୨୦ ଟୋକିଓ ଅଲିମ୍ପିକ୍ସରେ ନୀରଜ ଚୋପ୍ରା ଆଥଲେଟିକ୍ସର ଜାଭେଲିନ୍ ଥ୍ରୋରେ ପ୍ରଥମ ସ୍ୱର୍ଣ୍ଣ ଜିତି ଇତିହାସ ରଚିଥିଲେ । ପ୍ୟାରିସ୍ ୨୦୨୪ ଅଲିମ୍ପିକ୍ସରେ ସୁଟର ମନୁ ଭାକର ଗୋଟିଏ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିବା ପ୍ରଥମ ଭାରତୀୟ ହୋଇଥିଲେ । ପ୍ୟାରିସ୍ ପାରାଲିମ୍ପିକ୍ସରେ ଭାରତ ସର୍ବାଧିକ ୨୯ଟି ପଦକ ସହ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲା ।
କ୍ରିକେଟରେ ବିଶ୍ୱ ଆଧିପତ୍ୟ; ୧୯୮୩ରେ କପିଳ ଦେବଙ୍କ ନେତୃତ୍ୱରେ ପ୍ରଥମ ଦିନିକିଆ ବିଶ୍ୱକପ୍ ବିଜୟ । ଏମ.ଏସ. ଧୋନୀଙ୍କ ନେତୃତ୍ୱରେ ୨୦୦୭ ଟି-୨୦ ବିଶ୍ୱକପ୍, ୨୦୧୧ ଦିନିକିଆ ବିଶ୍ୱକପ୍ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି । ସମ୍ପ୍ରତି ୨୦୨୪ ଓ ୨୦୨୬ ଟି୨୦ ବିଶ୍ୱକପ୍ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତି ଭାରତ ନିଜର ଦବଦବା ବଜାୟ ରଖିଛି । ହରମନପ୍ରୀତ କୌରଙ୍କ ନେତୃତ୍ୱରେ ଭାରତୀୟ ମହିଳା ଦଳ ଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫୨ ରନ୍ରେ ହରାଇ ପ୍ରଥମ ଆଇସିସି ମହିଳା ଐତିହାସିକ ବିଶ୍ୱକପ୍ ଟାଇଟଲ୍ ହାସଲ କରିଛି ।
ଅନ୍ୟାନ୍ୟ ଖେଳରେ ବିଶ୍ୱସ୍ତରୀୟ ସଫଳତା; ୧୯୮୦ରେ ପ୍ରକାଶ ପାଦୁକୋନଙ୍କ ଅଲ୍ ଇଂଲଣ୍ଡ ଓପନ୍, ୨୦୧୯ରେ ପି.ଭି. ସିନ୍ଧୁଙ୍କ ବିଶ୍ୱ ଚାମ୍ପିଅନସିପ୍ ସ୍ୱର୍ଣ୍ଣ ଏବଂ ୨୦୨୨ରେ ଭାରତୀୟ ପୁରୁଷ ଦଳର ପ୍ରଥମ ଥୋମାସ୍ କପ୍ ବିଜୟ ବ୍ୟାଡମିଂଟନର ବଡ ସଫଳତା ଥିଲା । ୧୯୮୮ରେ ବିଶ୍ୱନାଥନ ଆନନ୍ଦ ପ୍ରଥମ ଗ୍ରାଣ୍ଡମାଷ୍ଟର ହୋଇଥିବା ବେଳେ ୨୦୨୪ରେ ଡି. ଗୁକେଶ ସବୁଠାରୁ କମ୍ ବୟସର ବିଶ୍ୱ ଚେସ୍ ଚାମ୍ପିଅନ୍ ହୋଇଥିଲେ । ଗ୍ଲାସଗୋ କମନୱେଲଥ୍ ଗେମ୍ସ ୨୦୨୬: ଭାରତ ୧୩ଟି ସ୍ୱର୍ଣ୍ଣ ସହ ମୋଟ ୩୯ଟି ପଦକ ଜିତି ଚତୁର୍ଥ ସ୍ଥାନରେ ରହିଛି । ବକ୍ସିଂରେ ସର୍ବାଧିକ ୧୦ଟି ପଦକ ସହ ଭାରତ ନୂଆ ରେକର୍ଡ ସୃଷ୍ଟି କରିଛି ।
