ଖାଲି ‘ସୁଭଦ୍ରା ଯୋଜନା’ ନୁହେଁ, ସୁରକ୍ଷିତ ଯାତ୍ରା ଦରକାର: ଆମ ବସ୍ରେ ମହିଳା ଯାତ୍ରୀଙ୍କ ନିରାପତ୍ତା ନେଇ ଉଠିଲା ବଡ଼ ପ୍ରଶ୍ନବାଚୀ
ଭୁବନେଶ୍ୱର: କଟକ ଭୁବନେଶ୍ୱର ଯାତାୟାତ ପାଇଁ ଲୋକପ୍ରିୟ ହୋଇଥିବା ‘ଆମ ବସ୍’ ରେ ଯାତ୍ରା କରୁଥିବା ମହିଳା ଓ ଛାତ୍ରୀମାନେ ପ୍ରତିଦିନ ଅସଦାଚରଣ ଓ ନିର୍ଯାତନାର ଶିକାର ହେଉଛନ୍ତି। ଅସମ୍ଭାଳ ଭିଡ଼ର ସୁଯୋଗ ନେଇ କିଛି ଅସାମାଜିକ ପୁରୁଷ ଯାତ୍ରୀ ମହିଳାଙ୍କ ପ୍ରତି ଅଶାଳୀନ ବ୍ୟବହାର କରୁଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। ଏହି ଦୈନନ୍ଦିନ ମାନସିକ ତଥା ଶାରୀରିକ ନିର୍ଯାତନାରୁ ମୁକୁଳିବା ପାଇଁ ଏବଂ ଏକ ନିରାପଦ ଯାତ୍ରା ନିମନ୍ତେ ମହିଳା ଯାତ୍ରୀମାନେ ବର୍ତ୍ତମାନ ସ୍ୱତନ୍ତ୍ର ‘ମହିଳା ବସ୍’ ଚଳାଚଳ କରିବାକୁ ଦାବି କରିଛନ୍ତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ହସ୍ତକ୍ଷେପ କରିବାକୁ ସେମାନେ ନିବେଦନ କରିଛନ୍ତି।
ବିଶେଷକରି ସକାଳ ୮ଟାରୁ ୧୦ଟା ଏବଂ ସନ୍ଧ୍ୟା ୫ଟାରୁ ୭ଟା ଯାଏଁ ଅଫିସ୍ ଓ କଲେଜ୍ ସମୟରେ ଭୁବନେଶ୍ୱରରୁ କଟକ ରୁଟ୍ରେ ଚାଲୁଥିବା ବସ୍ଗୁଡ଼ିକରେ ଖଚାଖଚ୍ ଭିଡ଼ ରହୁଛି। ଏହି ଅତ୍ୟଧିକ ଭିଡ଼ର ଫାଇଦା ଉଠାଇ କିଛି ଦୁର୍ବୃତ୍ତ ଲୋକ ମହିଳାମାନଙ୍କୁ ଅସଦାଚରଣ କରୁଛନ୍ତି। କେହି ପ୍ରତିବାଦ କଲେ ଭିଡ଼ ଯୋଗୁଁ ଅଜାଣତରେ ବାଜିଯାଇଥିବା ସଫେଇ ଦେଇ ସେମାନେ ଖସିଯିବାକୁ ଚେଷ୍ଟା କରୁଛନ୍ତି। ଜଣେ କର୍ମଜୀବୀ ମହିଳା ଏହି ଦୈନନ୍ଦିନ ନିର୍ଯାତନା ସହି ନପାରି ଶେଷରେ ନିଜ ଅଫିସ୍ ସମୟ ପରିବର୍ତ୍ତନ କରିବାକୁ ବାଧ୍ୟ ହୋଇଥିବା କ୍ଷୋଭର ସହ ପ୍ରକାଶ କରିଛନ୍ତି। ସେହିପରି ଆଉ ଜଣେ ଛାତ୍ରୀ ନିଜର ଦୁର୍ବିସହ ଅନୁଭୂତି ବର୍ଣ୍ଣନା କରି କହିଛନ୍ତି ଯେ, ସେ ପୋଲିସ କଣ୍ଟ୍ରୋଲ ରୁମ୍କୁ ଫୋନ୍ କରିଥିଲେ ମଧ୍ୟ ସେଠାରୁ ତାଙ୍କୁ ସାହାଯ୍ୟ ବଦଳରେ ଓଲଟା ପ୍ରଶ୍ନ କରାଯାଇଥିଲା।
କ୍ଷମତାରେ ଥିବା ବିଜେପି ସରକାର ସବୁବେଳେ ମହିଳା ସୁରକ୍ଷାର କଥା କହୁଥିଲେ ମଧ୍ୟ ବାସ୍ତବରେ ଏହା ବିଫଳ ହୋଇଛି ବୋଲି ଯାତ୍ରୀମାନେ ଅଭିଯୋଗ କରିଛନ୍ତି। କେବଳ ‘ସୁଭଦ୍ରା ଯୋଜନା’ ଲାଗୁ କରିଦେଲେ ମହିଳା ସଶକ୍ତୀକରଣ ହୋଇଯିବ ନାହିଁ, ବରଂ ଝିଅବୋହୂମାନେ କିପରି ସମ୍ମାନର ସହ ନିରାପଦରେ ଯାତାୟାତ କରିପାରିବେ, ତାହା ସୁନିଶ୍ଚିତ କରିବା ନିହାତି ଜରୁରୀ। ଏହାକୁ ଦୃଷ୍ଟିରେ ରଖି କ୍ରୁଟ୍ କର୍ତ୍ତୃପକ୍ଷ ଉକ୍ତ ବ୍ୟସ୍ତବହୁଳ ସମୟରେ ଅତିକମରେ ୨ ରୁ ୩ ଯୋଡ଼ା ସ୍ୱତନ୍ତ୍ର ମହିଳା ବସ୍ ଚଳାଇବାକୁ ଦାବି ଜୋର୍ ଧରିଛି। ଏହାଛଡ଼ା ବସ୍ରେ ପକେଟମାରଙ୍କ ପ୍ରାଦୁର୍ଭାବ ରହୁଥିବାରୁ ଝିଅମାନଙ୍କ ସୁରକ୍ଷା ନେଇ ଅଭିଭାବକମାନେ ମଧ୍ୟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ତେଣୁ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ନିମନ୍ତେ ପ୍ରତ୍ୟେକ ବସ୍ରେ ଜଣେ ଲେଖାଏଁ ମହିଳା କନେଷ୍ଟବଳ ନିଯୁକ୍ତ କରିବାକୁ ସାଧାରଣରେ ମତ ପ୍ରକାଶ ପାଇଛି।
