Latest Odisha News

BREAKING NEWS

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବ: ଅଧିକାରୀଙ୍କୁ ସଜାଗ ରହିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗର ପରାମର୍ଶ

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଏକ ସ୍ପଷ୍ଟ ଲଘୁଚାପ କ୍ଷେତ୍ରକୁ ଦୃଷ୍ଟିରେ ରଖି ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜନିତ ସମ୍ଭାବ୍ୟ ଜଳବନ୍ଦୀ, ରାସ୍ତାଘାଟ ଜଳମଗ୍ନ ହେବା ଏବଂ ଅନ୍ୟାନ୍ୟ ଜରୁରୀ ପରିସ୍ଥିତିର ମୁକାବିଲା କରିବା ପାଇଁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସମସ୍ତ ସହରାଞ୍ଚଳ କର୍ତ୍ତୃପକ୍ଷଙ୍କୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ ସମସ୍ତ ସହରାଞ୍ଚଳ ସଂସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣ ସଜାଗ ଏବଂ ହାଇ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁଯାୟୀ, ଲଘୁଚାପ ପ୍ରଭାବରେ ଆଗାମୀ ଦିନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଜନସାଧାରଣଙ୍କ ସୁରକ୍ଷା ଓ ଅସୁବିଧାକୁ ଦୂର କରିବା ସରକାରଙ୍କ ପ୍ରାଥମିକତା ରହିଛି। ଅତିରିକ୍ତ ମୁଖ୍ୟ ସଚିବ ଉଷା ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ସ୍ଥାନରେ ମାନବ ସମ୍ବଳ, ଆବଶ୍ୟକୀୟ ମେସିନାରୀ ଏବଂ ଜରୁରୀକାଳୀନ ପମ୍ପ୍ ସମେତ ବିଭିନ୍ନ ଉପକରଣଗୁଡ଼ିକୁ ସର୍ବଦା ପ୍ରସ୍ତୁତ ଅବସ୍ଥାରେ ରଖାଯାଉ । ଏଥିସହ କ୍ଷେତ୍ରସ୍ତରରେ ରାପିଡ୍ ରେସ୍ପନ୍ସ ଟିମ୍ କୁ ସକ୍ରିୟ ଭାବେ ମୁତୟନ କରାଯିବାକୁ କୁହାଯାଇଛି, ଯାହାଦ୍ୱାରା ଘଟଣାସ୍ଥଳରେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ।

ଜନସାଧାରଣଙ୍କଠାରୁ ମିଳୁଥିବା ସମସ୍ତ ଅଭିଯୋଗ ଓ ଜଳବନ୍ଦୀ ସମସ୍ୟାଗୁଡ଼ିକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ତୁରନ୍ତ ସମାଧାନ କରିବାକୁ ଅଧିକାରୀମାନଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପ୍ରଶାସନିକ ପ୍ରସ୍ତୁତି ଏବଂ କ୍ଷେତ୍ରସ୍ତରୀୟ କାର୍ଯ୍ୟାନୁଷ୍ଠାନଗୁଡ଼ିକୁ ପ୍ରେସ୍ ବିବୃତ୍ତି ତଥା ସୋସିଆଲ ମିଡିଆ ମାଧ୍ୟମରେ ନିୟମିତ ଭାବେ ସର୍ବସାଧାରଣଙ୍କୁ ଅବଗତ କରାଇବାକୁ କୁହାଯାଇଛି।

ଆବଶ୍ୟକ ପଡ଼ିଲେ ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବାକୁ ପରାମର୍ଶ ଦିଆଯାଇଛି ।

Leave A Reply

Your email address will not be published.