ନୂଆଦିଲ୍ଲୀ: ବିହାରର ଲଖିସରାଇ ଜିଲ୍ଲାରେ ସୋମବାର ଏକ ବଡ଼ ଘଟଣା ଘଟିଛି। ପ୍ରସିଦ୍ଧ ଅଶୋକ ଧାମ ମନ୍ଦିରରେ ସକାଳେ ପ୍ରବଳ ଭିଡ଼ ଥିଲା। ଶ୍ରାବଣ ମାସର ତୃତୀୟ ସୋମବାର ହୋଇଥିବାରୁ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିଲା। ଯାହା ଫଳରେ ଦଳାଚକଟା ସ୍ଥିତି ଉପୁଜିଥିଲା।
ସାତ ଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା ବେଳେ ଅନେକ ଆହତ ହୋଇଥିଲେ। ଲଖିସରାଇ ଜିଲ୍ଲା ମାଜିଷ୍ଟ୍ରେଟ୍ କହିଛନ୍ତି ଯେ ମନ୍ଦିରରେ ଭିଡ଼ ଅପ୍ରତ୍ୟାଶିତ ଭାବରେ ବୃଦ୍ଧି ପାଇବାରୁ ଏହି ଦୁର୍ଘଟଣା ଘଟିଥିଲା। ଯାହା ଫଳରେ ବିଶୃଙ୍ଖଳା ଏବଂ ଦଳାଚକଟା ସୃଷ୍ଟି ହୋଇଥିଲା।
ଲଖିସରାଇ ଜିଲ୍ଲା ମାଜିଷ୍ଟ୍ରେଟ୍ ଶୈଳେନ୍ଦ୍ର କୁମାର କହିଛନ୍ତି ଯେ ସକାଳଠାରୁ ମନ୍ଦିରରେ ଭିଡ଼ ବଢ଼ିବାରେ ଲାଗିଛି। ସେ ନିଜେ ଭୋର ୩ଟାରୁ ସେଠାରେ ଥିଲେ। ଷ୍ଟେସନରେ ଦୁଇଟି ଟ୍ରେନ୍ ଏକକାଳୀନ ପହଞ୍ଚିଥିଲା। ଯାହା ଫଳରେ ମନ୍ଦିରକୁ ଆସୁଥିବା ଭକ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇଥିଲା। ସକାଳ ୬:୩୦ ପରେ ଭିଡ଼ ଦ୍ରୁତ ଗତିରେ ବଢ଼ିବାରେ ଲାଗିଥିଲା। ବ୍ୟାରିକେଡ୍ ଭାଙ୍ଗି ଯିବାରୁ ଦଳାଚକଟା ହୋଇଥିଲା। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତୁରନ୍ତ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିଥିଲେ।
ଶ୍ରାବଣ ମାସର ତୃତୀୟ ସୋମବାର ଥିବାରୁ ଜଳାଭିଷେକ ପାଇଁ ଭୋରରୁ ବହୁ ସଂଖ୍ୟକ ଭକ୍ତ ଅଶୋକ ଧାମ ମନ୍ଦିରରେ ପହଞ୍ଚିଥିଲେ। ଯେଉଁଥିରେ ଅଧିକାଂଶ ମହିଳାମାନେ ଥିଲେ। ଲଖିସରାଇ ଜିଲ୍ଲା ମାଜିଷ୍ଟ୍ରେଟ କହିଛନ୍ତି ଯେ ମନ୍ଦିର ପ୍ରଶାସନ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି କିନ୍ତୁ ଭିଡ଼ ଦ୍ରୁତ ଗତିରେ ବୃଦ୍ଧି ପାଉଥିଲା।
