ଆଳି:ପୁଣି ରାଜ୍ୟରେ ବନ୍ୟା ସ୍ଥିତି ଦେଖାଦେଇଛି । ବ୍ରାହ୍ମଣୀ,ଖରସ୍ରୋତା ଓ କାଣୀ ନଦୀରେ ତୃତୀୟ ବନ୍ୟା ଆସିଛି । କେନ୍ଦ୍ରାପଡା ଜିଲ୍ଲା ଆଳିର ବ୍ରାହ୍ମଣୀ, ଖରସ୍ରୋତା ଓ କାଣୀ ନଦୀରେ ବନ୍ୟା ଆସି ୧୬ ପଞ୍ଚାୟତ ଜଳମଗ୍ନ ହୋଇଥିବା ସୂଚନା ରହିଛି । ଫଳରେ ଆଳି ଧୋୟା ଅଞ୍ଚଳର ୧୦ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି ।
ଏପଟେ ମାନପୁର-ଗୋବିନ୍ଦପୁର ରାସ୍ତା ଉପରେ ୪ରୁ ୫ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି । ଯାତାୟତର ମୁଖ୍ୟ ମାଧ୍ୟମ ପାଲଟିଛି ଡଙ୍ଗା।
ସୂଚନାଥାଉକି, ବଙ୍ଗୋପସାଗର ଓ ସଂଲଗ୍ନ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ ରୂପ ନେଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହି ଅବପାତ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଗାଙ୍ଗେୟ ପଶ୍ଚିମବଙ୍ଗ ଦେଇ ଝାଡ଼ଖଣ୍ଡ ଆଡ଼କୁ ଅଗ୍ରସର ସମ୍ଭାବନା ରହିଛି। ଅବପାତର ପରବର୍ତ୍ତୀ ଗତିବିଧି ଉପରେ ପାଣିପାଗ ବିଭାଗ ନଜର ରଖିଛି। ତେବେ ଏହା ପ୍ରଭାବରେ ୩ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ପକ୍ଷରୁ ସତର୍କ କରାଯାଇଛି।
ଆଜି ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ । ଏହି ୩ ଜିଲ୍ଲା ପାଇଁ ପାଣିପାଗ ବିଭାଗ ରେଡ୍ ୱାର୍ଣ୍ଣିଂ ଜାରି କରିଛି । କିଛି ସ୍ଥାନରେ ଅତି ଭୀଷଣ ବର୍ଷାର ଆଶଙ୍କା ରହିଛି । ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳରେ ପ୍ରବଳ ବର୍ଷା ହୋଇପାରେ ।
