ଭଦ୍ରକ: ଲଗାଣ ବର୍ଷା ଯୋଗୁଁ ଭଦ୍ରକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଗମ୍ଭୀର ରୂପ ଧାରଣ କରିଛି। ବନ୍ୟା ବିପନ୍ନ ଅଞ୍ଚଳରେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି। ବୁଧବାର ଜିଲ୍ଲାର ସର୍ବାଧିକ ପ୍ରଭାବିତ ତିନୋଟି ବ୍ଲକ୍ ଯଥା ଭଦ୍ରକ ସଦର, ଧାମନଗର ଏବଂ ଭଣ୍ଡାରିପୋଖରୀ ଅଧୀନରେ ଆସୁଥିବା ମୋଟ ୨୯୭ଟି ସରକାରୀ ଓ ବେସରକାରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ଜିଲ୍ଲା ଶିକ୍ଷା ଅଧିକାରୀ ଘୋଷଣା କରିଛନ୍ତି।
ଗତ କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଜିଲ୍ଲାର ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ନଦୀବନ୍ଧ ଟପି ବନ୍ୟା ଜଳ ଆଖପାଖ ଅଞ୍ଚଳରେ ପ୍ରବେଶ କରିବା ଫଳରେ ବ୍ୟାପକ ଚାଷ ଜମି ସମ୍ପୂର୍ଣ୍ଣ ରୂପେ ଜଳମଗ୍ନ ହୋଇଯାଇଛି। ବିଶେଷ କରି ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ୍ର ଅନେକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି। ବନ୍ୟା ପାଣି ପଶିବା କାରଣରୁ ଲୋକଙ୍କ ଘରଦ୍ୱାର ଓ ଫସଲର ବ୍ୟାପକ କ୍ଷୟକ୍ଷତି ଘଟିଛି।
ବର୍ତ୍ତମାନର ସ୍ଥିତି ସମ୍ପର୍କରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦାର ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲା ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବା ସହ ସେମାନଙ୍କ ପାଇଁ ରିଲିଫ୍ କ୍ୟାମ୍ପ ଖୋଲାଯାଇ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। କିଛି ସ୍ଥାନରେ ଜଳସ୍ତର ସାମାନ୍ୟ କମିବା ଆରମ୍ଭ କରିଥିଲେ ମଧ୍ୟ ପ୍ରଶାସନ ସମ୍ପୂର୍ଣ୍ଣ ସତର୍କ ଅଛି ଏବଂ ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି ।
ଆଗକୁ ପାଗ ଖରାପ ରହିବା ସହ ସମୁଦ୍ର ଅଶାନ୍ତ ଥିବାରୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ଏହା ସହିତ ନଦୀକୂଳିଆ ଏବଂ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ପରିସ୍ଥିତି ସ୍ୱାଭାବିକ ନହେବା ପର୍ଯ୍ୟନ୍ତ ନିରାପଦ ଓ ଉଚ୍ଚ ସ୍ଥାନକୁ ଚାଲିଯିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି।

