ଭୁବନେଶ୍ୱର: ରାଜଧାନୀର ହାର୍ଟ କୁହାଯାଉଥିବା ମାଷ୍ଟରକ୍ୟାଣ୍ଟିନ୍ ଛକରେ ଆନ୍ଦୋଳନ ନାଁରେ ରାସ୍ତାରୋକ କରିବା ସହ କ୍ରୁଟ୍ ପରିଚାଳିତ ‘ଆମ ବସ୍’ ଭଙ୍ଗାରୁଜା କରିବା ଘଟଣାରେ ପୋଲିସ ଏବଂ ପରିବହନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସହରରେ ଆଇନଶୃଙ୍ଖଳା ବିପନ୍ନ କରିବା ଏବଂ ବ୍ୟାପକ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ୪୦୦ରୁ ଅଧିକ ଅଟୋକୁ ପୋଲିସ ଚିହ୍ନଟ କରିଛି । ଏବେ ଏହି ସମସ୍ତ ଗାଡ଼ିର ପରମିଟ୍ ରଦ୍ଦ ଅଥବା ନିଲମ୍ବନ କରିବା ପାଇଁ ଆରଟିଓଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି ।
ସୂଚନା ଅନୁଯାୟୀ, ଆପ୍-ଭିତ୍ତିକ କ୍ୟାବ୍ ଏବଂ ଅଟୋ ଚାଳକଙ୍କ ବିକ୍ଷୋଭ ବେଳେ ବ୍ୟାପକ ହିଂସାକାଣ୍ଡ ଦେଖିବାକୁ ମିଳିଥିଲା। ଲୋୟର ପିଏମଜି ଓ ମାଷ୍ଟର କ୍ୟାଣ୍ଟିନ୍ ଛକକୁ ସମ୍ପୂର୍ଣ୍ଣ ଅବରୋଧ କରିବା ପାଇଁ ଉତ୍ତ୍ୟକ୍ତ ଆନ୍ଦୋଳନକାରୀମାନେ ୪୦୦ରୁ ଅଧିକ ଅଟୋର ବ୍ୟବହାର କରିଥିଲେ। କେବଳ ସେତିକି ନୁହେଁ, ସେହି ବାଟ ଦେଇ ଯାତାୟାତ କରୁଥିବା ଏକାଧିକ ‘ଆମ ବସ୍’ର କାଚ ଭାଙ୍ଗି ସେମାନେ ଲଙ୍କାକାଣ୍ଡ ଘଟାଇଥିଲେ, ଯାହା ଫଳରେ ସାଧାରଣ ଯାତ୍ରୀମାନେ ଭୟଭୀତ ହୋଇପଡ଼ିଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ କମିଶନରେଟ୍ ପୋଲିସ ତୁରନ୍ତ ହସ୍ତକ୍ଷେପ କରି ଉକ୍ତ ଅଟୋଗୁଡ଼ିକୁ ଚିହ୍ନଟ କରିବା ସହ ଏକାଧିକ ଗାଡ଼ି ଜବତ କରିଛି ।
ଏହି ଘଟଣାକୁ ଗମ୍ଭୀରତାର ସହ ନେଇ ଭୁବନେଶ୍ୱର-୧ ଆଞ୍ଚଳିକ ପରିବହନ ଅଧିକାରୀ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଚିହ୍ନଟ ହୋଇଥିବା ଅଟୋଗୁଡ଼ିକର ମାଲିକ ତଥା ପରମିଟ୍ ଧାରୀଙ୍କୁ ଆରଟିଓଙ୍କ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ବିଶୃଙ୍ଖଳା ଓ ରାସ୍ତାରୋକ ସମୟରେ ଏହି ଅଟୋଗୁଡ଼ିକ ପ୍ରକୃତରେ କାହା ନିୟନ୍ତ୍ରଣରେ ଥିଲା ଏବଂ କାହିଁକି ଆନ୍ଦୋଳନ ପାଇଁ ବ୍ୟବହାର କରାଗଲା, ସେ ନେଇ ସ୍ପଷ୍ଟୀକରଣ ମଗାଯାଇଛି। ଯଦି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଅଟୋ ମାଲିକମାନେ ସନ୍ତୋଷଜନକ ଉତ୍ତର ପ୍ରଦାନ ନ କରନ୍ତି, ତେବେ ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ ଏକତରଫା ନିଷ୍ପତ୍ତି ନିଆଯିବ ବୋଲି ନୋଟିସ୍ରେ ଉଲ୍ଲେଖ କରାଯାଇଛି ।
ମୋଟର ଯାନ ଆଇନ, ୧୯୮୮ର ଧାରା ୮୬(୧)(ଖ) ଅନୁଯାୟୀ ନିୟମ ଉଲ୍ଲଂଘନ କରିଥିବାରୁ ଏହି ଗାଡ଼ିଗୁଡ଼ିକର ପରମିଟ୍ ବାତିଲ ହେବାର ପୂର୍ଣ୍ଣ ସମ୍ଭାବନା ରହିଛି, ଅଥବା କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ଏହାକୁ ନିଲମ୍ବନ ମଧ୍ୟ କରାଯାଇପାରେ । ଅନ୍ୟପକ୍ଷରେ, ପରମିଟ୍ ରଦ୍ଦ ବ୍ୟତୀତ ହିଂସାକାଣ୍ଡ ଓ ସରକାରୀ ସମ୍ପତ୍ତି ନଷ୍ଟ କରିଥିବା ଅଭିଯୁକ୍ତମାନଙ୍କ ବିରୋଧରେ ପୋଲିସର ଅନ୍ୟାନ୍ୟ ଅପରାଧିକ ତଥା ଆଇନଗତ କାର୍ଯ୍ୟାନୁଷ୍ଠାନ ମଧ୍ୟ ଜାରି ରହିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

