Latest Odisha News

BREAKING NEWS

Pakistan High Commission: ୩ ଦିନରେ ପାକିସ୍ତାନକୁ ଭାରତର କଡ଼ା ଜବାବ, ବୁଲିଲା ବୁଲଡୋଜର…ହାଇ କମିଶନ ବାହାରୁ ହଟିଲା ଅବୈଧ ନିର୍ମାଣ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣିଥରେ କୂଟନୈତିକ ତିକ୍ତତା ବଢ଼ିଛି। ଇସଲାମାବାଦରେ ଭାରତୀୟ ହାଇ କମିଶନ୍‌ ବାହାରେ ଥିବା ସୁରକ୍ଷା ବ୍ୟବସ୍ଥା ହଟାଯିବାର ମାତ୍ର ୩ ଦିନ ପରେ ନୂଆଦିଲ୍ଲୀରେ ପାକିସ୍ତାନ ହାଇ କମିଶନ୍‌ ବାହାରେ ଭାରତ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି। ପାକିସ୍ତାନ ହାଇ କମିଶନ୍‌ ବାହାରେ ଥିବା କିଛି ଅନଧିକୃତ ନିର୍ମାଣ ଓ ଅତିକ୍ରମଣକୁ ହଟାଇ ଦିଆଯାଇଛି। ଅଧିକାରୀମାନେ ବୁଲଡୋଜର ଚଳାଇ ପାକିସ୍ତାନୀ ମିଶନ୍‌ର ଭିସା ବିଭାଗ ନିକଟରେ ନିର୍ମାଣ ହୋଇଥିବା ଅନଧିକୃତ ଢାଞ୍ଚାଗୁଡ଼ିକୁ ସଫା କରିଛନ୍ତି। ଏହି ନିର୍ମାଣଗୁଡ଼ିକ ହାଇ କମିଶନ୍‌ର ନିର୍ଦ୍ଧାରିତ ପରିସର ବାହାରେ ଥିବା କୁହାଯାଇଛି।

ଏହି କାର୍ଯ୍ୟକୁ ଭାରତର ‘ଟିଟ୍‌-ଫର୍-ଟ୍ୟାଟ୍‌’ ବା ‘ଯେମିତି କାର୍ଯ୍ୟ, ସେମିତି ଜବାବ’ ଭାବେ ଦେଖାଯାଉଛି। ତିନି ଦିନ ପୂର୍ବରୁ ଇସ୍ଲାମାବାଦରେ ଭାରତୀୟ ହାଇ କମିଶନ୍‌ ବାହାରେ ପାକିସ୍ତାନୀ କର୍ତ୍ତୃପକ୍ଷ କିଛି ସୁରକ୍ଷା ଢାଞ୍ଚା ହଟାଇଥିଲେ। ଭାରତୀୟ ମିଶନ୍‌ ବାହାରେ ଥିବା ପାର୍କିଂ ପୋଲ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ମଧ୍ୟ ହଟାଯାଇଥିଲା। ଏହାପରେ ନୂଆଦିଲ୍ଲୀରେ ପାକିସ୍ତାନ ହାଇ କମିଶନ୍‌ ବାହାରେ ଥିବା ଅନଧିକୃତ ନିର୍ମାଣ ଓ ଅତିକ୍ରମଣ ଉପରେ ପଦକ୍ଷେପ ନିଆଯାଇଛି। ଏହାକୁ ଦୁଇ ଦେଶର କୂଟନୈତିକ ପରିସର ବାହାରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କିତ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଭାବେ ଦେଖାଯାଉଛି।

କୂଟନୈତିକ ସୂତ୍ର ଅନୁସାରେ, ଭାରତର ଏହି ପଦକ୍ଷେପ ଏକ ଯୋଜନାବଦ୍ଧ ଓ ସନ୍ତୁଳିତ ଜବାବ। ପାକିସ୍ତାନ ପକ୍ଷରୁ ଏଭଳି କୌଣସି ପଦକ୍ଷେପ ନିଆଗଲେ ଭାରତ ତୁରନ୍ତ ଜବାବ ଦେବାକୁ ପ୍ରସ୍ତୁତ ବୋଲି ଏହା ଏକ ସଙ୍କେତ ଦେଉଛି।

ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ-ପାକିସ୍ତାନ ସମ୍ପର୍କରେ ତିକ୍ତତା ଆହୁରି ବଢ଼ିଥିଲା। ଏହା ପରଠାରୁ ଦୁଇ ଦେଶ ମଧ୍ୟରେ ଔପଚାରିକ କୂଟନୈତିକ କାର୍ଯ୍ୟକଳାପ ପ୍ରାୟ ଠପ୍‌ ରହିଛି। ଏଭଳି ପରିସ୍ଥିତିରେ ଦୁଇ ଦେଶର ହାଇ କମିଶନ୍‌ ବାହାରେ ହେଉଥିବା ସୁରକ୍ଷା ସମ୍ପର୍କିତ ପଦକ୍ଷେପ ଉପରେ ଏବେ ନଜର ରହିଛି।

ଏହି ଘଟଣା ମଧ୍ୟରେ ଭାରତରେ ଆମେରିକାର ରାଜଦୂତ ସର୍ଗିଓ ଗୋରଙ୍କ ଜମ୍ମୁ-କଶ୍ମୀର ଗସ୍ତ ଓ ତାଙ୍କ ବୟାନ ମଧ୍ୟ ଚର୍ଚ୍ଚାରେ ରହିଛି। ଜମ୍ମୁ-କଶ୍ମୀର ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି ସେ କହିଥିବା ନେଇ ପାକିସ୍ତାନ ଆପତ୍ତି ଜଣାଇଛି। ଏହି ବୟାନକୁ ବିରୋଧ କରି ପାକିସ୍ତାନ ଇସଲାମାବାଦରେ ଆମେରିକାର କାର୍ଯ୍ୟବାହୀ ରାଜଦୂତଙ୍କୁ ତଲବ କରିଥିଲା। ଏପଟେ ନୂଆଦିଲ୍ଲୀ ଓ ଇସଲାମାବାଦରେ ଦୁଇ ଦେଶର କୂଟନୈତିକ ପରିସର ବାହାରେ ହୋଇଥିବା ଏହି ଦୁଇଟି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତାକୁ ଆହୁରି ସ୍ପଷ୍ଟ କରିଛି।

Leave A Reply

Your email address will not be published.