Latest Odisha News

BREAKING NEWS

Vande Mataram: ‘ବନ୍ଦେ ମାତରମ୍‌’ର କେବଳ ୨ଟି ଛନ୍ଦ କାହିଁକି ଗାଉଛି କଂଗ୍ରେସ? ୮୯ ବର୍ଷ ପୁରୁଣା ନିଷ୍ପତ୍ତି ଶୁଣାଇଲା, ଘେରିଲା ବିଜେପି

ନୂଆଦିଲ୍ଲୀ: ଜାତୀୟ ଗୀତ ‘ବନ୍ଦେ ମାତରମ୍‌’କୁ ନେଇ ପୁଣିଥରେ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ ୱାର୍କିଂ କମିଟି (CWC) ବୁଧବାର ବୈଠକରେ ସ୍ପଷ୍ଟ କରିଛି ଯେ, ଦଳୀୟ କାର୍ଯ୍ୟକ୍ରମରେ ‘ବନ୍ଦେ ମାତରମ୍‌’ର କେବଳ ପ୍ରଥମ ଦୁଇଟି ଛନ୍ଦ ହିଁ ଗାନ କରାଯିବ। ଏଥିପାଇଁ କଂଗ୍ରେସ ୧୯୩୭ ମସିହାରେ ନିଆଯାଇଥିବା ଐତିହାସିକ ନିଷ୍ପତ୍ତିକୁ ଆଧାର କରିଛି।

ନିକଟରେ ଦକ୍ଷିଣ ଗୋଆରେ କଂଗ୍ରେସର ଏକ ସମ୍ମିଳନୀରେ ଦଳୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ଉପସ୍ଥିତିରେ ‘ବନ୍ଦେ ମାତରମ୍‌’ର ପ୍ରଥମ ଦୁଇଟି ଛନ୍ଦ ଗାନ କରାଯାଇଥିଲା। ଏହାକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ କରିଥିଲା ଏବଂ ‘ଅସମ୍ପୂର୍ଣ୍ଣ’ ଜାତୀୟ ଗୀତ ଗାଇବା ନେଇ ପ୍ରଶ୍ନ ଉଠାଇଥିଲା। ବିଜେପିର ଆକ୍ରମଣର ଜବାବରେ ଖଡଗେ କହିଥିଲେ ଯେ, ସେ ଯେଉଁ ‘ବନ୍ଦେ ମାତରମ୍‌’ ଗାଇଛନ୍ତି, ତାହା ମହାତ୍ମା ଗାନ୍ଧୀ, ଜବାହରଲାଲ ନେହରୁ, ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଏବଂ ଅଟଳ ବିହାରୀ ବାଜପେୟୀଙ୍କ ସମୟରୁ ଗାନ କରାଯାଇ ଆସୁଛି। ତାଙ୍କ କହିବା ଅନୁସାରେ, ଏହା ନେଇ କଂଗ୍ରେସ ବହୁ ଦଶନ୍ଧି ପୂର୍ବରୁ ନିଜର ନିଷ୍ପତ୍ତି ନେଇଥିଲା।

ତେବେ ‘ବନ୍ଦେ ମାତରମ୍‌’ ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ରଚନା। ଏହା ପରେ ତାଙ୍କ ଉପନ୍ୟାସ ‘ଆନନ୍ଦମଠ’ରେ ସ୍ଥାନ ପାଇଥିଲା। ଗୀତର ପ୍ରଥମ ଦୁଇଟି ଛନ୍ଦରେ ମାତୃଭୂମିର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ତାହାର ବନ୍ଦନାର ବର୍ଣ୍ଣନା ରହିଛି। କିନ୍ତୁ ପରବର୍ତ୍ତୀ ଛନ୍ଦଗୁଡ଼ିକରେ ନିର୍ଦ୍ଦିଷ୍ଟ ଧାର୍ମିକ ଓ ପୌରାଣିକ ସନ୍ଦର୍ଭ ରହିଛି।

କଂଗ୍ରେସର ଦାବି ଅନୁଯାୟୀ, ୧୯୩୭ ମସିହାରେ ଏହି ପ୍ରସଙ୍ଗରେ ଜବାହରଲାଲ ନେହରୁ ରବୀନ୍ଦ୍ରନାଥ ଠାକୁରଙ୍କ ସହ ପରାମର୍ଶ କରିଥିଲେ। ଠାକୁରଙ୍କ ମତ ଥିଲା ଯେ ପ୍ରଥମ ଦୁଇଟି ଛନ୍ଦ ଏକ ସମାବେଶୀ ଜାତୀୟ ଗୀତ ଭାବେ ଉପଯୁକ୍ତ। ପରବର୍ତ୍ତୀ ଅଂଶଗୁଡ଼ିକ ସମସ୍ତ ସମ୍ପ୍ରଦାୟର ଯୁକ୍ତ ଜାତୀୟ ସମାବେଶ ପାଇଁ ସମାନ ଭାବେ ଉପଯୁକ୍ତ ନ ହୋଇପାରେ ବୋଲି ମତ ଦିଆଯାଇଥିଲା। ଏହା ପରେ ଅକ୍ଟୋବର ୧୯୩୭ରେ କଂଗ୍ରେସ ୱାର୍କିଂ କମିଟି ସର୍ବସମ୍ମତିକ୍ରମେ ସାର୍ବଜନୀନ ଓ ଜାତୀୟ ମଞ୍ଚରେ ‘ବନ୍ଦେ ମାତରମ୍‌’ର କେବଳ ପ୍ରଥମ ଦୁଇଟି ଛନ୍ଦ ଗାନ କରିବାକୁ ସୁପାରିଶ କରିଥିଲା। ଏବେ ୮୯ ବର୍ଷ ପରେ ସେହି ପୁରୁଣା ନିଷ୍ପତ୍ତିକୁ ଆଧାର କରି କଂଗ୍ରେସ ନିଜର ଆଭିମୁଖ୍ୟ ପୁଣିଥରେ ସ୍ପଷ୍ଟ କରିଛି।

ଏହି ନିଷ୍ପତ୍ତିକୁ ନେଇ ବିଜେପି କଂଗ୍ରେସକୁ ଟାର୍ଗେଟ୍‌ କରିଛି। ବିଜେପି ଏହାକୁ ମୁସଲିମ ତୁଷ୍ଟୀକରଣ ରାଜନୀତି ବୋଲି ଅଭିହିତ କରିଛି। ଦଳର ଦାବି ହେଉଛି, ପ୍ରଧାନମନ୍ତ୍ରୀ ମୋଦିଙ୍କ ସରକାର ବଙ୍କିମଚନ୍ଦ୍ର ଚଟ୍ଟୋପାଧ୍ୟାୟଙ୍କ ଅମର ରଚନା ‘ବନ୍ଦେ ମାତରମ୍‌’ର ଗାନକୁ ସରକାରୀ କାର୍ଯ୍ୟକ୍ରମରେ ଅନିବାର୍ଯ୍ୟ କରିବା ପାଇଁ ଆଇନ ଆଣିଛନ୍ତି। ଏହା ସତ୍ତ୍ୱେ କଂଗ୍ରେସ କେବଳ ଦୁଇଟି ଛନ୍ଦ ଗାଇବାର ନିଷ୍ପତ୍ତି ନେଇ ସରକାରଙ୍କ ଆଇନକୁ ଅବହେଳା କରୁଛି ବୋଲି ବିଜେପି କହିଛି।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କଂଗ୍ରେସ ଉପରେ ଦେଶ ବିଭାଜନର ଅଭିଯୋଗ ଆଣିଛନ୍ତି। ଶାହ କହିଛନ୍ତି ଯେ, ୧୯୩୭ରେ କଂଗ୍ରେସ ହିଁ ଦେଶ ବିଭାଜନର ମୂଳଦୁଆ ପକାଇଥିଲା। ଏବେ ପୁଣି ‘ବନ୍ଦେ ମାତରମ୍‌’ର କେବଳ ଦୁଇଟି ଛନ୍ଦ ଗାଇବାର ନିଷ୍ପତ୍ତି ନେଇ କଂଗ୍ରେସ ଦେଶବିରୋଧୀ ପଦକ୍ଷେପ ନେଇଛି ବୋଲି ସେ ଅଭିଯୋଗ କରିଛନ୍ତି। ଶାହଙ୍କ ଅଭିଯୋଗ ଅନୁସାରେ, ୧୯୩୭ରେ ମଧ୍ୟ କଂଗ୍ରେସ ତୁଷ୍ଟୀକରଣ ରାଜନୀତି କରି ‘ବନ୍ଦେ ମାତରମ୍‌’କୁ ଦୁଇ ଭାଗରେ ବିଭକ୍ତ କରିଥିଲା। ତାଙ୍କ ଦାବି ହେଉଛି, ଏହି ପ୍ରକ୍ରିୟା ଦୁଇ-ରାଷ୍ଟ୍ର ସିଦ୍ଧାନ୍ତକୁ ଶକ୍ତି ଦେଇଥିଲା ଏବଂ ପରେ ଭାରତ-ପାକିସ୍ତାନ ଦୁଇଟି ଦେଶରେ ବିଭକ୍ତ ହୋଇଥିଲା। ଅମିତ ଶାହ କହିଛନ୍ତି ଯେ, ଜାତୀୟ ଏକତାକୁ ମଜବୁତ କରିବା ପାଇଁ ମୋଦି ସରକାର କଂଗ୍ରେସର ‘ବନ୍ଦେ ମାତରମ୍‌’କୁ ଦୁଇ ଭାଗ କରିବାର ପୁରୁଣା ଭୁଲ୍‌କୁ ସୁଧାରିଛି ଏବଂ ଏହାର ଗାନକୁ ଅନିବାର୍ଯ୍ୟ କରିବା ପାଇଁ ଆଇନ ଆଣିଛି। ଶାହଙ୍କ ଅଭିଯୋଗ ହେଉଛି, କଂଗ୍ରେସ ନିଜର ୧୯୩୭ର ପ୍ରସ୍ତାବକୁ ପୁଣି ଲାଗୁ କରି ସଂସଦରେ ପ୍ରଣୀତ ଆଇନକୁ ଅସ୍ୱୀକାର କରୁଛି। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ପୁଣିଥରେ ତୁଷ୍ଟୀକରଣ ରାଜନୀତିକୁ ଆଗକୁ ବଢ଼ାଉଛି ବୋଲି ସେ କହିଛନ୍ତି। ଶାହ ଆହୁରି କହିଛନ୍ତି, ଥରେ ‘ବନ୍ଦେ ମାତରମ୍‌’କୁ ବିଭକ୍ତ କରିବାର ଭୁଲ୍‌ର ପରିଣାମ ଦେଶ ଭୋଗିଛି। ଏବେ କଂଗ୍ରେସର ଏହି ନିଷ୍ପତ୍ତି ବିରୋଧରେ ଦେଶବାସୀ ଏକଜୁଟ ହେବା ଦରକାର ଏବଂ ‘ତୁଷ୍ଟୀକରଣର ରାଜନୀତି ଆଉ ଚାଲିବ ନାହିଁ’ ବୋଲି ସ୍ପଷ୍ଟ ବାର୍ତ୍ତା ଦେବା ଉଚିତ ବୋଲି ଅମିତ ଶାହ କହିଛନ୍ତି।

Leave A Reply

Your email address will not be published.