Latest Odisha News

BREAKING NEWS

ହୋମୱାର୍କ କରିଲେନି ବୋଲି ମାଡ଼ ମାରିଲେ ଶିକ୍ଷୟିତ୍ରୀ, ପ୍ରାଣ ହରାଇଲା ୬ ବର୍ଷର ଶିଶୁ!

ବିଶାଖାପାଟଣା: ପଡ଼ୋଶୀ ରାଜ୍ୟରୁ ଆସିଲା ସ୍ତବ୍ଧ କଲାଭଳି ଘଟଣା। ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ସମସ୍ତଙ୍କୁ ଚକିତ କରିଛି। ହୋମୱାର୍କ ଶେଷ କରିନଥିବା ଅଭିଯୋଗରେ ଜଣେ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦୟ ମାଡ଼ ଯୋଗୁଁ ୬ ବର୍ଷର ପ୍ରାଥମିକ ଛାତ୍ର ପ୍ରଣୟ ତେଜାଙ୍କର ମୃତ୍ୟୁ ଘଟିଛି। ଏହା ଏକ ବେସରକାରୀ ବିଦ୍ୟାଳୟର ଘଟଣା।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୱାନ ଟାଉନ୍ ଅଞ୍ଚଳରେ ଥିବା ‘ଲିଟିଲ୍ ଗାର୍ଡେନ୍ ସ୍କୁଲ’ରେ ପଢ଼ୁଥିବା ପ୍ରଣୟ ସକାଳେ ସମ୍ପୂର୍ଣ୍ଣ ସୁସ୍ଥ ଅବସ୍ଥାରେ ସ୍କୁଲକୁ ଯାଇଥିଲା। ମାତ୍ର ସ୍କୁଲରେ ଶିକ୍ଷୟିତ୍ରୀ ଜଣକ ତାକୁ ବାଡ଼ିରେ ପ୍ରହାର କରିବା ପରେ ସେ ଭୟ ଓ ଆଘାତରେ ସେଠାରେ ହିଁ ଅଚେତ ହୋଇ ଟଳି ପଡ଼ିଥିଲେ। ତାଙ୍କୁ ତୁରନ୍ତ କିଙ୍ଗ ଜୋର୍ଜ ହସ୍ପିଟାଲ ନିଆଯାଇଥିଲେ ବି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସ୍କୁଲର ସିସିଟିଭି ଫୁଟେଜରୁ ଶିକ୍ଷୟିତ୍ରୀ ଜଣକ ଶିଶୁଟିକୁ ବାଡ଼ାଉଥିବା ଏବଂ ତା’ପରେ ସେ ଅଚେତ ହୋଇ ପଡ଼ିଯାଉଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି। ଏହି ଘଟଣା ପରେ ମୃତ ଶିଶୁର ପରିବାର ଓ ସମ୍ପର୍କୀୟମାନେ ହସ୍ପିଟାଲ ପରିସରରେ ଗହଳି କରି ଦୋଷୀ ଶିକ୍ଷୟିତ୍ରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ଘଟଣାକୁ ଆନ୍ଧ୍ରପ୍ରଦେଶ ସ୍କୁଲ ଶିକ୍ଷା ବିଭାଗ ଗମ୍ଭୀରତାର ସହ ନେଇଛି। ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ବିଶାଖାପାଟଣା ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଆରଡିଓ ଙ୍କୁ ନେଇ ଏକ ୩ ଜଣିଆ ତଦନ୍ତ କମିଟି ଗଠନ କରାଯାଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ସଠିକ୍ କାରଣ ସ୍ପଷ୍ଟ ହେବ।

Leave A Reply

Your email address will not be published.