Latest Odisha News

BREAKING NEWS

ସଂରକ୍ଷଣ ବିବାଦ ମଧ୍ୟରେ ରାମଦେବଙ୍କ ପ୍ରତିକ୍ରିୟା: ବ୍ରାହ୍ମଣଙ୍କ ଅପମାନକୁ କହିଲେ ଅସାମ୍ବିଧାନିକ

ହରିଦ୍ୱାର: ଦେଶରେ ସଂରକ୍ଷଣ ନୀତିକୁ ନେଇ ଦିଲ୍ଲୀର ଜନ୍ତର-ମନ୍ତରରେ ଚାଲିଥିବା ବିକ୍ଷୋଭ ପ୍ରଦର୍ଶନ ମଧ୍ୟରେ ଯୋଗଗୁରୁ ବାବା ରାମଦେବ ଏକ ବଡ଼ ବୟାନ ଦେଇଛନ୍ତି । ରବିବାର ଉତ୍ତରାଖଣ୍ଡର ହରିଦ୍ୱାରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଯଦି ଦେଶରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କୁ ଅପମାନିତ କରିବା ସମ୍ବିଧାନ ବିରୋଧୀ, ତେବେ ବ୍ରାହ୍ମଣମାନଙ୍କର ଅପମାନ ମଧ୍ୟ ସମ୍ବିଧାନର ସିଧାସଳଖ ଉଲ୍ଲଂଘନ ।

ବାବା ରାମଦେବ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଆଜିକାଲି କିଛି ଲୋକଙ୍କୁ ଲାଗୁଛି ଯେପରି ଦେଶରେ କିଛି ବି ଭଲ ହେଉନାହିଁ। କିନ୍ତୁ ବାସ୍ତବରେ ସମାଜରେ ଛାତ୍ର, ରୋଗୀ, ଯବାନ, କୃଷକ ଏବଂ ଏସି /ଏସଟି ସମ୍ପ୍ରଦାୟ ସହିତ ବ୍ରାହ୍ମଣମାନଙ୍କ ପ୍ରତି ମଧ୍ୟ ଅନେକ ସମୟରେ ଅନ୍ୟାୟ କରାଯାଉଛି। ଯେତେବେଳେ କୌଣସି ଏସି /ଏସଟି ବ୍ୟକ୍ତିଙ୍କର ଅପମାନ ହୁଏ, ସେତେବେଳେ ସମସ୍ତେ ଗଣତନ୍ତ୍ର ଓ ସମ୍ବିଧାନର ଦ୍ୱାହି ଦେଇ ଏହାକୁ ଅସାମ୍ବିଧାନିକ ଦର୍ଶାଇଥାନ୍ତି। ଠିକ୍ ସେହିପରି, ଜଣେ ବ୍ରାହ୍ମଣଙ୍କ ପ୍ରତି ହେଉଥିବା ଅପମାନକୁ ମଧ୍ୟ ଅସାମ୍ବିଧାନିକ ବୋଲି ବିବେଚନା କରାଯିବା ଉଚିତ ବୋଲି ସେ ଦୃଢ଼ ମତ ରଖିଛନ୍ତି ।

ଏହି ଅବସରରେ କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ନୀତିକୁ ସେ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ପ୍ରତିବର୍ଷ ଦେଶର ବିଭିନ୍ନ ସ୍ଥାନରେ ନିର୍ବାଚନ ଲାଗି ରହିବା ଫଳରେ ବିକାଶମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଏକାସାଙ୍ଗରେ ନିର୍ବାଚନ ହେଲେ ଦେଶର ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସିବା ସହ ବିକାଶର ଗତି ଦ୍ରୁତ ହେବ। ସେ ଚେତାବନୀ ଦେଇଛନ୍ତି ଯେ ରାସ୍ତାଘାଟ କିମ୍ବା ସଂସଦ ଭବନରେ ହଙ୍ଗାମା କରି କେହି ବି ଗଣତନ୍ତ୍ରକୁ ବନ୍ଧକ ବନାଇ ପାରିବେ ନାହିଁ । ନିଜର ନ୍ୟାଯ୍ୟ ଅଧିକାର ପାଇଁ ଅଠର ବର୍ଷରୁ ଊର୍ଦ୍ଧ୍ୱ ସାବାଳକମାନେ ଶାନ୍ତିପୂର୍ଣ୍ଣ ତଥା ଗଣତାନ୍ତ୍ରିକ ଉପାୟରେ ସ୍ୱର ଉତ୍ତୋଳନ କରିବା ଆବଶ୍ୟକ ।

ଆନ୍ଦୋଳନରେ ଛୋଟ ପିଲାମାନଙ୍କୁ ସାମିଲ କରିବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ, ବିଜେପି ସାଂସଦ ତଥା ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ଚାଲିଥିବା ତାଙ୍କର ବାକ୍ ଯୁଦ୍ଧ ସମ୍ପର୍କରେ ପଚରାଯିବାରୁ ସେ ପ୍ରସଙ୍ଗକୁ ଏଡ଼ାଇ ଯାଇଥିଲେ। ସେ ସିଧାସଳଖ କହିଥିଲେ ଯେ ସେ ଛୋଟ ମାନସିକତା ରଖୁଥିବା ବ୍ୟକ୍ତିବିଶେଷଙ୍କ ଉପରେ କୌଣସି ଟିପ୍ପଣୀ କରି ବିବାଦକୁ ବଢ଼ାଇବାକୁ ଚାହାନ୍ତି ନାହିଁ, ଦେଶବାସୀ ତାଙ୍କର ଅବଦାନ ସମ୍ପର୍କରେ ବେଶ୍ ଅବଗତ ଅଛନ୍ତି । ସେହିପରି ‘ବନ୍ଦେ ମାତରମ୍’କୁ ନେଇ ସେ କହିଥିଲେ ଯେ ଭାରତ ମାତା ଆମ ସମସ୍ତଙ୍କ ପାଇଁ ଦୁର୍ଗା ଓ ଲକ୍ଷ୍ମୀଙ୍କ ସ୍ୱରୂପ, ଯିଏ ଦେଶବାସୀଙ୍କୁ ଶକ୍ତି ଏବଂ ସୁରକ୍ଷା ପ୍ରଦାନ କରୁଛନ୍ତି।

Leave A Reply

Your email address will not be published.