ଭୁବନେଶ୍ୱର: କେନ୍ଦ୍ର ସରକାର ଦେଶର ସମସ୍ତ କ୍ରୀଡ଼ା ସଂସ୍ଥାଗୁଡ଼ିକୁ ସ୍ୱଚ୍ଛତା ଓ ସୁପରିଚାଳନା ପାଇଁ ‘ରାଷ୍ଟ୍ରୀୟ ଖେଳ ପ୍ରଶାସନ ଅଧିନିୟମ-୨୦୨୫’ ଅଧୀନକୁ ଆଣିବାକୁ ଉଦ୍ୟମ କରୁଛନ୍ତି। ତେବେ ବର୍ତ୍ତମାନର ପରିସ୍ଥିତିରେ ଭାରତୀୟ କ୍ରିକେଟ ବୋର୍ଡ ଉପରେ ଏହି ଆଇନ ଲାଗୁ ହେବ ନାହିଁ। ଓଡ଼ିଶା କ୍ରିକେଟ ସଂଘର ନିର୍ବାଚନ ଓ କର୍ମକର୍ତ୍ତାଙ୍କ କାର୍ଯ୍ୟକାଳକୁ ନେଇ ଓଡ଼ିଶା ହାଇକୋର୍ଟରେ ଚାଲିଥିବା ଏକ ମାମଲାର ଶୁଣାଣି ସମୟରେ ବିସିସିଆଇ ନିଜର ଆଫିଡେଭିଟ୍ ଦାଖଲ କରି ଏହି ସ୍ପଷ୍ଟୀକରଣ ଦେଇଛି।
ବିସିସିଆଇର ଏହି ଆଫିଡେଭିଟ୍ରେ କୁହାଯାଇଛି ଯେ, କେବଳ ସଂସଦରେ ରାଷ୍ଟ୍ରୀୟ ଖେଳ ପ୍ରଶାସନ ଅଧିନିୟମ ପାରିତ ହୋଇ ଲାଗୁ ହୋଇଗଲେ ତାହା ସ୍ୱୟଂଚାଳିତ ଭାବେ କ୍ରିକେଟ କିମ୍ବା ବିସିସିଆଇ ଉପରେ ଲାଗୁ ହୋଇଯିବ ନାହିଁ। ଏଥିପାଇଁ କ୍ରିକେଟକୁ ଏହି ଆଇନ ଅଧୀନରେ ଏକ ‘ନିର୍ଦ୍ଧାରିତ କ୍ରୀଡ଼ା’ଭାବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅଧିସୂଚିତ କରାଯିବା ଆବଶ୍ୟକ। ସୁପ୍ରିମକୋର୍ଟଙ୍କ ନିୟମାନୁସାରେ ପରିଚାଳନା ଯେପର୍ଯ୍ୟନ୍ତ ଏହି ଆଇନ କ୍ରିକେଟ ପାଇଁ ବିଜ୍ଞପ୍ତି ପ୍ରକାଶ ନପାଇଛି, ସେପର୍ଯ୍ୟନ୍ତ ବିସିସିଆଇ ଏବଂ ଏହାର ରାଜ୍ୟ କ୍ରିକେଟ ସଂଘଗୁଡ଼ିକ ଯେପରି ଓସିଏ ଜଷ୍ଟିସ ଲୋଧା କମିଟିର ସୁପାରିଶ ଆଧାରରେ ସୁପ୍ରିମକୋର୍ଟଙ୍କ ଦ୍ୱାରା ଅନୁମୋଦିତ ସମ୍ବିଧାନ ଅନୁସାରେ ହିଁ କାର୍ଯ୍ୟ କରିବେ।
ଲୋଧା କମିଟି ନିୟମ ଅନୁସାରେ କୌଣସି ବି କର୍ମକର୍ତ୍ତା ସର୍ବାଧିକ ୩ ବର୍ଷ ଲେଖାଏଁ ୩ଟି ଟର୍ମ ପଦବୀରେ ରହିପାରିବେ। ତେବେ ଲଗାତାର ୨ଟି ଟର୍ମ (୬ ବର୍ଷ) ପରେ ତାଙ୍କୁ ୩ ବର୍ଷର ‘କୁଲିଂ ଅଫ୍ ପିରିୟଡ୍’ (ବିଶ୍ରାମ ସମୟ) ଦେଇ ବାହାରେ ରହିବାକୁ ପଡ଼ିବ। ବିସିସିଆଇ ହାଇକୋର୍ଟଙ୍କୁ ଜଣାଇଛି ଯେ ଓସିଏର ନିର୍ବାଚନ ତୁରନ୍ତ କରାଯିବା ଉଚିତ, କାରଣ ଦୀର୍ଘଦିନ ଧରି କର୍ମକର୍ତ୍ତାମାନେ ପଦବୀରେ ରହିବା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ସଂଘର ନିଜସ୍ୱ ନିୟମର ବିରୋଧୀ ଅଟେ।

