Latest Odisha News

BREAKING NEWS

ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଜଣେ ମୃତ, ୧୦ରୁ ଅଧିକ ଆକ୍ରାନ୍ତ

ଭୁବନେଶ୍ୱର: ପୁଣି ଡରାଉଛି ସ୍କ୍ରବ୍ ଟାଇଫସ୍। ଓଡ଼ିଶାକୁ ପୁଣି ଫେରିଲାଣି ସ୍କ୍ରବ୍ ଟାଇଫସ୍ ରୋଗ। ରାଜ୍ୟରେ ଏହି ସଂକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ସେହିପରି ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ପାଲଲହଡ଼ା ବ୍ଲକର ପବିତ୍ରପୁର ପଞ୍ଚାୟତରେ ସ୍କ୍ରବ ଟାଇଫସରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣକ ସୁମନ୍ତ ସେଠୀ ବୋଲି ଜଣାପଡ଼ିଛି।

ପ୍ରାରମ୍ଭରେ ତାଙ୍କର ଜ୍ୱର, ମୁଣ୍ଡବିନ୍ଧା ଏବଂ ଦେହହାତ ବିନ୍ଧିବା ଭଳି ଲକ୍ଷଣ ଦେଖାଦେଇଥିଲା । ପରବର୍ତ୍ତୀ ସମୟରେ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ ସେ ସଂକ୍ରମିତ ଚିଗର୍ ନାମ କୀଟ କାମୁଡ଼ିବା କାରଣରୁ ସ୍କ୍ରବ ଟାଇଫସ୍ ସଂକ୍ରମଣର ଶିକାର ହୋଇଥିଲେ। ଏହି ରୋଗରେ ଆକ୍ରାନ୍ତ ହୋଇଥିବା ଦଶରୁ ଅଧିକ ଲୋକଙ୍କୁ ଚିକିତ୍ସା ପାଇଁ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏନେଇ ପାଲଲହଡ଼ା ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପଟେଲ କହିଛନ୍ତି, ଯେ ସ୍ଥିତି ସମ୍ପର୍କରେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀଙ୍କ ସହ କଥା ହୋଇଛନ୍ତି ।

ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି ଯେ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବାବେଳେ ୪ରୁ ୫ ଜଣ ରୋଗୀ ଚିକିତ୍ସାଧୀନ ଅଛନ୍ତି । ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ଏବଂ ସଠିକ୍ ଔଷଧ ଦିଆଯାଉଛି। ଆକ୍ରାନ୍ତମାନଙ୍କୁ ଡାକ୍ତରୀ ଦଳଙ୍କ ତତ୍ତ୍ୱାବଧାନରେ ରଖାଯାଇଛି। ସେ ଆହୁରି ମଧ୍ୟ ଜଣାଇଛନ୍ତି ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଖପାଖ ଗ୍ରାମଗୁଡ଼ିକୁ ସତର୍କ କରାଯାଇଛି ଏବଂ ଆବଶ୍ୟକୀୟ ଡାକ୍ତରୀ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ସ୍କ୍ରବ ଟାଇଫସ୍ (Scrub Typhus) ହେଉଛି ଏକ ଜୀବାଣୁ ଜନିତ ସଂକ୍ରାମକ ରୋଗ, ଯାହା ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଏବେ ଦେଖିବାକୁ ମିଳୁଛି। ଏହା ‘ଓରିଏଣ୍ଟିଆ ସୁସୁଗାମୁସି’ (Orientia tsutsugamushi) ନାମକ ଜୀବାଣୁ ଦ୍ୱାରା ହୋଇଥାଏ ଏବଂ ମଇଳା କିମ୍ବା ବୁଦାଘାସରେ ରହୁଥିବା ଏକ ପ୍ରକାର କ୍ଷୁଦ୍ର ପୋକ କିମ୍ବା ମାଇଟ୍ (Chigger Mite) କାମୁଡ଼ିବା ଦ୍ୱାରା ମଣିଷ ଶରୀରକୁ ବ୍ୟାପିଥାଏ।

Leave A Reply

Your email address will not be published.