ଭଦୋଦରା: ଭଉଣୀ-ଭାଇର ସମ୍ପର୍କ କେବଳ ରକ୍ତର ନୁହେଁ, ଏହା ସ୍ନେହ, ଭଲପାଇବା ଓ ଭାବନାର ଏକ ପବିତ୍ର ବନ୍ଧନ। ଆଉ ଏହି ସୁନ୍ଦର ସମ୍ପର୍କକୁ ଏକ ଉତ୍ସବ ମାଧ୍ୟମରେ ପାଳନ କରାଯାଏ “ରକ୍ଷାବନ୍ଧନ”। ଭାଇ-ଭଉଣୀଙ୍କ ଏହି ପବିତ୍ର ବନ୍ଧନର ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଲୋକଙ୍କ ମନ କିଣୁଛି। ଏହାରି ଭିତରେ ରକ୍ଷାବନ୍ଧନ ଦିନରେ ସାମ୍ନାକୁ ଆସିଛି ଏମିତି ଏକ ହୃଦୟସ୍ପର୍ଶୀ ଦୃଶ୍ୟ, ଯାହା ଦେଖିଲେ ଆପଣଙ୍କ ମୁହଁରେ ବି ହସ ଫୁଟି ଉଠିବ, ଆଉ ଆଖିରେ ଲୁହ ଆସିଯିବ । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ମହିଳା ତାଙ୍କ ଘରକୁ ଡେଲିଭରି ନେଇ ଆସିଥିବା ଜଣେ ଡେଲିଭରି ଏକ୍ଜିକ୍ୟୁଟିଭଙ୍କ ହାତରେ ରାକ୍ଷୀ ବାନ୍ଧୁଥିବା ଦେଖିବାକୁ ମିଳୁଛି। ରାକ୍ଷୀ ବାନ୍ଧିବା ପରେ ମହିଳା ଜଣକ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ମଧ୍ୟ ନେଉଛନ୍ତି। ମାତ୍ର କିଛି ମିନିଟର ଏହି ସାକ୍ଷାତକାର ଦୁଇ ଅଜଣା ମଣିଷଙ୍କ ମଧ୍ୟରେ ଏକ ସୁନ୍ଦର ଭାଇ-ଭଉଣୀର ସମ୍ପର୍କ ଗଢ଼ି ଦେଇଛି। ଆଉ ଏହି ଭାବପ୍ରବଣ ମୁହୂର୍ତ୍ତ ଏବେ ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ ଜିତୁଛି।
ଭଦୋଦରାର ଆକାଂକ୍ଷା ସିଂହ ଏହି ଭିଡିଓଟି ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ସେ ଲେଖିଛନ୍ତି, “ଆମେ ହଠାତ୍ ଆମ ଡେଲିଭରି ପାର୍ଟନରଙ୍କୁ ରାକ୍ଷୀ ବାନ୍ଧିବାକୁ ନିଷ୍ପତ୍ତି ନେଇଥିଲୁ, ଆଉ ସେ ଏହି ମୁହୂର୍ତ୍ତକୁ ସବୁଦିନ ପାଇଁ ମନେ ରହିବା ଭଳି କରିଦେଲେ” । ଭିଡିଓରେ ଆକାଂକ୍ଷା ଘର ଦ୍ୱାର ଖୋଲି ଡେଲିଭରି ଏକ୍ଜିକ୍ୟୁଟିଭଙ୍କୁ ସ୍ୱାଗତ କରୁଛନ୍ତି। ଏହାପରେ ରାକ୍ଷୀ ବାନ୍ଧିବା ପାଇଁ ସେ ହଠାତ୍ ନିଷ୍ପତ୍ତି ନେଉଛନ୍ତି। ଡେଲିଭରି କର୍ମଚାରୀଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ସେ ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଉଛନ୍ତି। ଆଉ ପ୍ରତିକ୍ରିୟାରେ ଡେଲିଭରି ଭାଇ ଜଣଙ୍କ ବି ହସି କରି ମହିଳାଙ୍କ ପାଦ ଛୁଇଁ ଆର୍ଶିବାଦ ଗ୍ରହଣ କରୁଛନ୍ତି । ଏହି ସରଳ ମୁହୂର୍ତ୍ତଟି ଦୁହିଁଙ୍କ ମଧ୍ୟରେ ଏକ ନୂଆ ଭାଇ-ଭଉଣୀର ସମ୍ପର୍କ ତିଆରି କରିଦେଇଥିଲା।
କାହାଣୀର ସବୁଠାରୁ ଭାବପ୍ରବଣ ମୁହୂର୍ତ୍ତ ଥିଲା ଡେଲିଭରି ଏକ୍ଜିକ୍ୟୁଟିଭଙ୍କ ଉପହାର। ରାକ୍ଷୀ ବାନ୍ଧିବା ପରେ ସେ ମହିଳାଙ୍କୁ ୫୦ ଟଙ୍କା ଦେଇଥିଲେ। କିନ୍ତୁ ମହିଳା ଟଙ୍କା ନେବାକୁ ମନା କରିଥିଲେ। ହେଲେ ଡେଲିଭରି କର୍ମଚାରୀ ହସି ହସି ୫୦ ଟଙ୍କା ଦେଇ କହିଥିଲେ, “ଏବେ ଭଉଣୀ ବୋଲି ଡାକିଛି ନା…” । ଏହି ଟଙ୍କାର ମୂଲ୍ୟ ହୁଏତ ମାତ୍ର ୫୦ ଟଙ୍କା, କିନ୍ତୁ ସେଥିରେ ଥିବା ସ୍ନେହ, ସମ୍ମାନ ଓ ଭାଇର ଭାବନା ବାସ୍ତବରେ ଅମୂଲ୍ୟ।
ଖାଲି ସେତିକିରେ ଅଟକି ଯାଇନଥିଲେ, ଏହା ପରେ ଡେଲିଭରି ଭାଇ ଜଣଙ୍କ ଯାହା କହିଥିଲେ, ତାହା ପୂରା ଇଣ୍ଟରନେଟର ମନ କିଣି ନେଇଛି । ଏହାପରେ ଭିଡିଓରେ ଡେଲିଭରି ଭାଇ ଜଣଙ୍କ କହିବାର ଶୁଣିବାକୁ ମିଳୁଛି ଯେ, “କିଛି ବି କାମ ଥିଲେ ମୋତେ ମନେ ପକାଇବେ, ଏବେ ମୁଁ ଆପଣଙ୍କ ଭାଇ।” ଏହି ଛୋଟ କଥାଟି ହିଁ ଦେଖାଇଦେଲା ଯେ ଭାଇ-ଭଉଣୀର ସମ୍ପର୍କ କେବଳ ରକ୍ତ ସମ୍ପର୍କରେ ସୀମିତ ନୁହେଁ। ଅଜଣା ଦୁଇଜଣ ମଣିଷଙ୍କ ମଧ୍ୟରେ ମଧ୍ୟ ଭଲପାଇବା ଓ ସମ୍ମାନ ଏକ ସୁନ୍ଦର ସମ୍ପର୍କ ଗଢ଼ିପାରେ।
ଇନଷ୍ଟାଗ୍ରାମରେ ଭିଡିଓଟିକୁ ୩୧ ଲକ୍ଷରୁ ଅଧିକ ଥର ଦେଖାଯାଇଥିବା ବେଳେ ହଜାର ହଜାର ଲୋକ କମେଣ୍ଟ କରି ଏହି ଭାବପ୍ରବଣ ମୁହୂର୍ତ୍ତର ପ୍ରଶଂସା କରିଛନ୍ତି। କେହି ଲେଖିଛନ୍ତି, ରକ୍ଷାବନ୍ଧନ ହେଉଛି ସବୁଠାରୁ ସୁନ୍ଦର ଓ ପବିତ୍ର ପର୍ବ। ଆଉ କେହି କହିଛନ୍ତି, ଏହା ୫୦ ଟଙ୍କାର କଥା ନୁହେଁ, ବରଂ ସେହି ମଣିଷର ହୃଦୟରେ ଥିବା ଭଲପାଇବାର କଥା। ସତରେ, କିଛି ସମ୍ପର୍କ ଜନ୍ମରୁ ମିଳେ ନାହିଁ… ହଠାତ୍ ଜୀବନରେ ଆସି ହୃଦୟରେ ଜାଗା କରିନିଏ। ଏହି ରାକ୍ଷୀ କେବଳ ଗୋଟିଏ ସୂତା ନୁହେଁ, ଦୁଇ ଅଜଣା ମଣିଷଙ୍କ ମଧ୍ୟରେ ଗଢ଼ିଉଠିଥିବା ଏକ ସୁନ୍ଦର ଭାଇ-ଭଉଣୀର ସମ୍ପର୍କର ପ୍ରତୀକ ହୋଇଛି।

