Latest Odisha News

BREAKING NEWS

Heavy Rain: ଲଘୁଚାପ ପ୍ରଭାବରେ ମୂଷଳ ଧାରାରେ ବର୍ଷୁଛି, ୩ ଜିଲ୍ଲାକୁ ରେଡ୍‌ ଓ ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର: ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ମୂଷଳ ଧାରାରେ ବର୍ଷା ଜାରି ରହିଛି। ଲଘୁଚାପ ପ୍ରଭାବରେ ଆଜି ଉତ୍ତର ଓଡ଼ିଶାରେ ବର୍ଷାର ପ୍ରକୋପ ଆହୁରି ବଢ଼ିପାରେ।

ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ବାଲେଶ୍ୱର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। କିଛି ସ୍ଥାନରେ ଅତି ଭୀଷଣ ବର୍ଷା ମଧ୍ୟ ହୋଇପାରେ। ଏହି ୩ ଜିଲ୍ଲା ପାଇଁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଛି।

ସେହିପରି ଭଦ୍ରକ, ଯାଜପୁର, କଟକ, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ଥିବାରୁ ଏହି ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଦିଆଯାଇଛି।

ଏହାବ୍ୟତୀତ କେନ୍ଦ୍ରାପଡ଼ା, ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ନବରଙ୍ଗପୁର, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ମଧ୍ୟ ରବିବାର ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ଲଘୁଚାପ ପ୍ରଭାବରେ ରବିବାର ଉତ୍ତର ଓଡ଼ିଶା ସହ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ମଧ୍ୟ ବର୍ଷା ଆଶଙ୍କା ରହିଛି। ଅଗଷ୍ଟ ୩୧ ତାରିଖରେ ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇପାରେ। ସେହିପରି ସେପ୍ଟେମ୍ବର ୨ ଓ ୩ ତାରିଖରେ ପଶ୍ଚିମ ଓଡ଼ିଶାର ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଅର୍ଥାତ୍, ଲଘୁଚାପ ପ୍ରଭାବରେ ଆଗାମୀ କିଛି ଦିନ ଧରି ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷାର ପ୍ରଭାବ ଜାରି ରହିପାରେ। ବିଶେଷକରି ଉତ୍ତର ଓଡ଼ିଶା ପରେ ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷାର ପ୍ରକୋପ ବଢ଼ିବା ଆଶଙ୍କା ଥିବାରୁ ସମ୍ପୃକ୍ତ ଅଞ୍ଚଳବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।

Leave A Reply

Your email address will not be published.