କାଠମାଣ୍ଡୁ: ‘ରଖେ ହରି ତ ମାରେ କିଏ’, ଓଡ଼ିଆ ଭାଷାର ଏହି ଲୋକପ୍ରିୟ ପ୍ରବାଦ ପୁଣିଥରେ ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି । ପ୍ରକୃତିର କରାଳ ରୂପ ଓ ମୃତ୍ୟୁର ତାଣ୍ଡବ ଭିତରେ ନେପାଳରୁ ଏକ ହୃଦୟସ୍ପର୍ଶୀ ତଥା ଚମତ୍କାର ଖବର ସାମ୍ନାକୁ ଆସିଛି । ପ୍ରଳୟଙ୍କରୀ ବନ୍ୟା ଏବଂ ଭୂସ୍ଖଳନର ଭଗ୍ନାବଶେଷ ତଳେ ଦୀର୍ଘ ୩ ଦିନ ଧରି ଚାପି ହୋଇ ରହିବା ପରେ ବି ଜଣେ ୬ ବର୍ଷର କୁନି ପିଲା ମୃତ୍ୟୁକୁ ମାତ୍ ଦେଇ ଜୀବିତ ଅବସ୍ଥାରେ ଫେରିଆସିଛି । ନେପାଳର ରସୁୱା ଜିଲ୍ଲାରେ ଘଟିଥିବା ଏହି ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଛି ଏବଂ ସମଗ୍ର ଦେଶବାସୀଙ୍କ ପାଇଁ ଏକ ନୂଆ ଆଶାର କିରଣ ସାଜିଛି ।
ଗତ କିଛି ଦିନ ହେବ ନେପାଳରେ ହିମସ୍ଖଳନ ଓ ଲଗାଣ ବର୍ଷା ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଅତ୍ୟନ୍ତ ସଙ୍ଗିନ ରୂପ ନେଇଛି। ଶତାଧିକ ଲୋକଙ୍କ ଜୀବନ ଯାଇଥିବା ବେଳେ ହଜାର ହଜାର ଲୋକ ଏବେ ବି ନିଖୋଜ ଅଛନ୍ତି । ଏଭଳି ଏକ ହାହାକାରମୟ ସ୍ଥିତିରେ ରସୁୱା ଅଞ୍ଚଳରେ ଏକ ବିରାଟ କାଦୁଅ ଅତଡ଼ା ତଳୁ ଉଦ୍ଧାରକାରୀ ଦଳ ଏହି ୬ ବର୍ଷର ଶିଶୁକୁ ଜୀବନ୍ତ ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ, ଗାଁରେ ବନ୍ୟା ପାଣି ମାଡ଼ି ଆସିବା ବେଳେ ଘରଦ୍ୱାର ଭାଙ୍ଗିରୁଜି ମାଟିରେ ମିଶିଯାଇଥିଲା। ପ୍ରାୟ ୭୨ ଘଣ୍ଟା ଧରି ବିନା ଖାଦ୍ୟ ଓ ପାନୀୟରେ, ଘୋର ଅନ୍ଧକାର ଏବଂ କାଦୁଅ ଭିତରେ ଫସି ରହିଥିଲା ଏହି ନିଷ୍ପାପ ଜୀବନ । ଉଦ୍ଧାରକାରୀ ଦଳ ଯେତେବେଳେ ଭଗ୍ନାବଶେଷ ହଟାଇବା କାମ ଜାରି ରଖିଥିଲେ, ସେତେବେଳେ ହଠାତ୍ ଭିତରୁ ଏକ କ୍ଷୀଣ ଶବ୍ଦ ଶୁଣିବାକୁ ପାଇଥିଲେ । ତୁରନ୍ତ ଅତ୍ୟନ୍ତ ସତର୍କତାର ସହ ମାଟି ଖୋଳିବା ପରେ ପିଲାଟିକୁ ସୁରକ୍ଷିତ ଭାବେ ବାହାରକୁ ଅଣାଯାଇଥିଲା। ଟିକିଏ ବି ବିଳମ୍ବ ହୋଇଥିଲେ ପିଲାଟିର ଜୀବନ ଯାଇପାରିଥାନ୍ତା । ଏହି ଦୃଶ୍ୟ ଦେଖି ସେଠାରେ ଉପସ୍ଥିତ ଥିବା ଲୋକମାନେ ଏବଂ ଖୋଦ୍ ଉଦ୍ଧାରକାରୀମାନେ ନିଜ ଆଖିରୁ ଲୁହ ରୋକି ପାରିନଥିଲେ ।
ଦୀର୍ଘ ସମୟ ଧରି ମାଟି ତଳେ ଚାପି ହୋଇ ରହିଥିବାରୁ ପିଲାଟି ଅତ୍ୟନ୍ତ ଦୁର୍ବଳ ହୋଇଯାଇଥିଲା। ତେଣୁ ତାକୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତରମାନଙ୍କର ଏକ ସ୍ୱତନ୍ତ୍ର ଟିମ୍ ତା’ର ଚିକିତ୍ସା କରୁଛନ୍ତି ଏବଂ ବର୍ତ୍ତମାନ ତା’ର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ଚାରିଆଡ଼େ ମୃତ୍ୟୁର ଶୋକାକୁଳ ପରିବେଶ ଭିତରେ, ରସୁୱାର ଏହି ଘଟଣା ଉଦ୍ଧାର ଅଭିଯାନରେ ଲାଗିଥିବା କର୍ମଚାରୀଙ୍କ ମନୋବଳକୁ ଦ୍ୱିଗୁଣିତ କରିଛି । ଜୀବନ ଓ ମୃତ୍ୟୁର ଏହି ଲଢ଼େଇରେ ଶେଷରେ ଈଶ୍ୱରଙ୍କ ଆଶୀର୍ବାଦର ହିଁ ବିଜୟ ହୋଇଛି ବୋଲି ସ୍ଥାନୀୟ ଲୋକେ ମତ ପ୍ରକାଶ କରିଛନ୍ତି ।

