Latest Odisha News

BREAKING NEWS

ଭାରତ ପାଇଁ ବଢିପାରେ ଚିନ୍ତା: ସାଉଦି-ତୁର୍କୀ-ପାକିସ୍ତାନର ‘ମକ୍କା ଡିଫେନ୍ସ ପ୍ୟାକ୍ଟ’ରେ ସାମିଲ ହୋଇପାରେ ବାଂଲାଦେଶ

ଢାକା: ନିକଟରେ ସାଉଦି ଆରବ, ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ‘ମକ୍କା ପ୍ରତିରକ୍ଷା ଚୁକ୍ତି’ (ମକ୍କା ଡିଫେନ୍ସ ପ୍ୟାକ୍ଟ)ରେ ସାମିଲ ହେବାକୁ ନେଇ ବାଂଲାଦେଶ ସରକାର ଏକ ବଡ଼ ବୟାନ ଦେଇଛନ୍ତି । ଏହି ସାମରିକ ମେଣ୍ଟରେ ଯୋଗଦେବାରେ କୌଣସି ପ୍ରକାର ବିପଦ ନାହିଁ ଏବଂ ଏହା ଦ୍ୱାରା ଅନ୍ୟ ବିକାଶଶୀଳ ତଥା ପଡୋଶୀ ଦେଶଗୁଡ଼ିକ ସହ ଢାକାର ସମ୍ପର୍କ ଆଦୌ ପ୍ରଭାବିତ ହେବ ନାହିଁ ବୋଲି ବାଂଲାଦେଶ ସରକାର ସ୍ପଷ୍ଟ କରିଛନ୍ତି ।

ବାଂଲାଦେଶର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହୁମାୟୁନ କବୀର ରବିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ଏହି ପ୍ରତିରକ୍ଷା ଚୁକ୍ତି ବାଂଲାଦେଶ ପାଇଁ ଏକ ନିଆରା ପଦକ୍ଷେପ ଏବଂ ଏହା ନୂଆ ସୁଯୋଗ ସୃଷ୍ଟି କରିବ। ଢାକାରେ ସାଉଦି ଆରବର ରାଷ୍ଟ୍ରଦୂତ ଆବଦୁଲ୍ଲା ଜାଫର ବିନ ଆବିୟାଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ପରେ ସେ ଏହି ପ୍ରତିକ୍ରିୟା ଦେଇଛନ୍ତି। କବୀର ସୂଚନା ଦେଇଛନ୍ତି ଯେ, ଏହି ପ୍ରସଙ୍ଗରେ ବର୍ତ୍ତମାନ ଆଲୋଚନା ଜାରି ରହିଛି ଏବଂ ସମସ୍ତ ଅଂଶୀଦାରଙ୍କ ସହ ସକାରାତ୍ମକ ଦିଗରେ କଥାବାର୍ତ୍ତା ଆଗେଇଛି। ବର୍ତ୍ତମାନର ଆନ୍ତର୍ଜାତିକ ରାଜନୈତିକ ବ୍ୟବସ୍ଥା ଅନୁଯାୟୀ ଦେଶକୁ ନିଜର ସୁରକ୍ଷା ନୀତିକୁ ନମନୀୟ କରିବାକୁ ପଡିବ ବୋଲି ସେ ମତ ରଖିଛନ୍ତି ।

ଅନ୍ୟପକ୍ଷରେ କିଛି ଦିନ ପୂର୍ବରୁ ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଖଲିଲୁର ରହମାନ ସଂସଦରେ କହିଥିଲେ ଯେ, ଯଦି ବାଂଲାଦେଶକୁ ଏହି ମେଣ୍ଟରେ ସାମିଲ ହେବା ପାଇଁ ଆମନ୍ତ୍ରଣ ମିଳେ, ତେବେ ସରକାର ନିଶ୍ଚିତ ଭାବେ ଏହା ଉପରେ ସକାରାତ୍ମକ ବିଚାର କରିବେ । ଏହି ଚୁକ୍ତିକୁ ‘ଆମ ମୁସଲିମ୍ ପରିବାରର ଏକ ଘରୋଇ ବ୍ୟାପାର’ ବୋଲି ଆଖ୍ୟା ଦେଇ ରହମାନ କହିଥିଲେ ଯେ, ଏଥିରେ ଅନ୍ୟ କୌଣସି ଦେଶ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। ଶାସକ ବିଏନପି ସାଂସଦଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ତାରେକ୍ ରହମାନଙ୍କର ଦୃଢ଼ ତଥା ସଫଳ ବୈଦେଶିକ ନୀତି ଯୋଗୁଁ ଆଜି ବାଂଲାଦେଶ ବିଶ୍ୱସ୍ତରରେ ମୁଣ୍ଡ ଟେକି ଛିଡ଼ା ହୋଇପାରିଛି ଏବଂ ଆଗକୁ କାହା ଆଗରେ ମୁଣ୍ଡ ନୁଆଁଇବ ନାହିଁ ।

ସୂଚନାଯୋଗ୍ୟ ଯେ, ମଧ୍ୟପ୍ରାଚ୍ୟରେ ବଢୁଥିବା ସୁରକ୍ଷା ଚିନ୍ତାଜନକ ପରିସ୍ଥିତିକୁ ନେଇ ଗତ ଅଗଷ୍ଟ ୭ ତାରିଖରେ ମକ୍କା ଠାରେ ସାଉଦି, ତୁର୍କୀ ଏବଂ ପାକିସ୍ତାନ ମଧ୍ୟରେ ଏହି ମକ୍କା ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତିର ସର୍ତ୍ତ ଅନୁଯାୟୀ, ଯଦି କୌଣସି ଗୋଟିଏ ଦେଶ ଉପରେ ଆକ୍ରମଣ ହୁଏ, ତେବେ ତାହାକୁ ସମସ୍ତ ତିନୋଟି ଦେଶ ଉପରେ ଆକ୍ରମଣ ବୋଲି ବିବେଚନା କରାଯିବ ଏବଂ ମିଳିତ ଭାବେ ଏହାର ମୁକାବିଲା କରାଯିବ ।

ତେବେ ବାଂଲାଦେଶର ଏହି ନୂଆ ଆଭିମୁଖ୍ୟକୁ ନେଇ କିଛି ପୂର୍ବତନ କୂଟନୀତିଜ୍ଞ ତଥା ବିଶେଷଜ୍ଞ ଚିନ୍ତା ପ୍ରକଟ କରିଛନ୍ତି । ସେମାନଙ୍କ ମତରେ, ବାଂଲାଦେଶର ପାରମ୍ପରିକ ଗୋଷ୍ଠୀ ନିରପେକ୍ଷ ନୀତିରୁ ଓହରି ଏଭଳି ଏକ ସାମରିକ ମେଣ୍ଟରେ ସାମିଲ ହେବା ଦ୍ୱାରା ଦେଶ ଅଯଥାରେ ବାହ୍ୟ ଯୁଦ୍ଧରେ ଛନ୍ଦି ହୋଇଯିବାର ଆଶଙ୍କା ରହିଛି । ଏହା ସହିତ ପଡ଼ୋଶୀ ଭାରତ ଭଳି ରାଷ୍ଟ୍ରମାନଙ୍କ ସହ ସମ୍ପର୍କରେ ମଧ୍ୟ ଏହା ଆଗାମୀ ଦିନରେ ଜଟିଳତା ସୃଷ୍ଟି କରିପାରେ ବୋଲି ଆଶଙ୍କା ବ୍ୟକ୍ତ କରାଯାଇଛି ।

Leave A Reply

Your email address will not be published.