Latest Odisha News

BREAKING NEWS

୨୮ ନବଗଠିତ NAC ପାଇଁ ୫୬୦ କୋଟିର ସ୍ବତନ୍ତ୍ର ଉନ୍ନୟନ ପ୍ୟାକେଜ;ପ୍ରତ୍ୟେକ NAC ପାଇଁ ୨୦ କୋଟି

ଭୁବନେଶ୍ବର: ରାଜ୍ୟର ନବଗଠିତ NACଗୁଡ଼ିକର ସାମଗ୍ରିକ ବିକାଶ ଏବଂ ନାଗରିକଙ୍କ ପାଇଁ ଉନ୍ନତ ମୌଳିକ ସୁବିଧା ସୁନିଶ୍ଚିତ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ନବଗଠିତ ୨୮ଟି NACରେ ବିଭିନ୍ନ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ୫୬୦ କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ପ୍ରତ୍ୟେକ NAC ପାଇଁ ୨୦ କୋଟି ଟଙ୍କା ଲେଖାଏଁ ଯୋଗାଇ ଦିଆଯିବ। ଏଥିରେ ସମ୍ପୃକ୍ତ ଅଞ୍ଚଳ ଗୁଡିକରେ ରାସ୍ତା, ଡ୍ରେନ୍, ମାର୍କେଟ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି କାର୍ଯ୍ୟ ସମ୍ପନ୍ନ ହେବ ।

ଏହି ସ୍ୱତନ୍ତ୍ର ପ୍ୟାକେଜ୍ ମାଧ୍ୟମରେ ନବଗଠିତ ସହରାଞ୍ଚଳଗୁଡ଼ିକରେ ଆବଶ୍ୟକୀୟ ନାଗରିକ ସୁବିଧା ଓ ଆଧୁନିକ ଭିତ୍ତିଭୂମି ସୃଷ୍ଟି କରାଯିବ। ପୌର କାର୍ଯ୍ୟାଳୟ ଭବନ ପାଇଁ ୬.୪୦ କୋଟି, ରାସ୍ତା ଓ ଡ୍ରେନ୍ ପାଇଁ ୩ କୋଟି, ମଡେଲ୍ ମାର୍କେଟ୍ କମ୍ପ୍ଲେକ୍ସ ପାଇଁ ୨ କୋଟି ଏବଂ ମଡେଲ୍ ସହରୀ ହାଟ ପାଇଁ ୧ କୋଟି ଟଙ୍କା ଲେଖାଏଁ ବ୍ୟବସ୍ଥା ରହିଛି।

ସେହିପରି ଶ୍ମଶାନ ପାଇଁ ୬୦ ଲକ୍ଷ , EV ଚାର୍ଜିଂ ଷ୍ଟେସନ୍ ୫୦ଲକ୍ଷ , ପାର୍କ ଓ ଖୋଲା ସ୍ଥାନ, କମ୍ୟୁନିଟି ଟଏଲେଟ୍ ଅନ୍ୟନା ସମୁଦାୟିକ ଭିତିଭୂମି ପାଇଁ ୩ କୋଟି, କାଞ୍ଜିଆ ହୁଡା ଓ ବୁଲା ପ୍ରାଣୀ କଲ୍ୟାଣ ଭିତ୍ତିଭୂମି୫୦ ଲକ୍ଷ, ଜଳାଶୟର ଉନ୍ନୟନ ଓ ସୌନ୍ଦର୍ଯ୍ୟୀକରଣ୧କୋଟି, ଷ୍ଟ୍ରିଟ୍ ଲାଇଟ୍ ପାଇଁ ୧କୋଟି ଏବଂ ସ୍ୱଚ୍ଛତା ଭିତ୍ତିଭୂମି ପାଇଁ ମଧ୍ୟ ୧କୋଟି ଏହି ପ୍ୟାକେଜ୍‌ରେ ବ୍ୟୟବରାଦ କରାଯାଇଛି। ମୋଟ ନବଗଠିତ ଏନଏସି ପାଇଁ ୨୦ କୋଟି ଟଙ୍କା ଲେଖାଏଁ ବ୍ୟବସ୍ଥା କରାଯାଇଛି ।

ଏ ସମ୍ପର୍କରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, “ନୂତନ ଭାବେ ଗଠିତ NACଗୁଡ଼ିକର ବିକାଶ ଆମ ସରକାରଙ୍କ ପ୍ରାଥମିକତା। କେବଳ ପ୍ରଶାସନିକ ପରିସର ବୃଦ୍ଧି ନୁହେଁ, ଏହି ଅଞ୍ଚଳଗୁଡ଼ିକରେ ଗୁଣାତ୍ମକ ନାଗରିକ ସୁବିଧା ପହଞ୍ଚାଇବା ହେଉଛି ଆମର ଲକ୍ଷ୍ୟ। ଏହି ସ୍ୱତନ୍ତ୍ର ଉନ୍ନୟନ ପ୍ୟାକେଜ୍ ମାଧ୍ୟମରେ ପ୍ରତ୍ୟେକ ନୂତନ NACରେ ଆବଶ୍ୟକୀୟ ଭିତ୍ତିଭୂମି ସୃଷ୍ଟି କରାଯିବ। ରାସ୍ତା, ଡ୍ରେନେଜ୍, ପରିମଳ, ହାଟ, ପାର୍କ, ଆଲୋକୀକରଣ ଏବଂ ଅନ୍ୟାନ୍ୟ ନାଗରିକ ସୁବିଧାକୁ ଗୁରୁତ୍ୱ ଦେଇ ଏହି ସହରାଞ୍ଚଳଗୁଡ଼ିକୁ ସୁନ୍ଦର, ସ୍ୱଚ୍ଛ ଓ ସୁବିଧାସମ୍ପନ୍ନ କରାଯିବ।”

Leave A Reply

Your email address will not be published.