ନୂଆଦିଲ୍ଲୀ: ଶ୍ରୀଲଙ୍କା ବଦଳରେ ଭାରତରେ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଉଦଘାଟନୀ ସଂସ୍କରଣ ଆୟୋଜିତ ହେବ । ଅନ୍ତର୍ଜାତୀୟ କ୍ରିକେଟ୍ କାଉନ୍ସିଲ ଶ୍ରୀଲଙ୍କାରେ ପ୍ରଶାସନିକ ଏବଂ ସରକାରୀ ହସ୍ତକ୍ଷେପ କାରଣରୁ ପ୍ରଥମ ଆଇସିସି ମହିଳା ଚାମ୍ପିୟନ୍ସ ଟ୍ରଫିର ଆୟୋଜନ ଅଧିକାର ଶ୍ରୀଲଙ୍କାଠାରୁ କାଢ଼ି ନେଇ ଭାରତକୁ ପ୍ରଦାନ କରିଛି । ୧୪ ରୁ ୨୮ ଫେବୃଆରୀ ୨୦୨୭ ମଧ୍ୟରେ ଏହି ଟୁର୍ନାମେଣ୍ଟ ଟି୨୦ ଫର୍ମାଟରେ ଖେଳାଯିବ । କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ(ମୁମ୍ବାଇ), ଭଦୋଦରା ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ମ୍ୟାଚଗୁଡିକ ଆୟୋଜିତ ହେବ । ଭାରତ, ଅଷ୍ଟ୍ରେଲିଆ, ଇଂଲଣ୍ଡ, ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ସମେତ ୬ଟି ଟିମ ଏଥିରେ ଅଂଶଗ୍ରହଣ କରିବେ ।
୬ଟି ଯୋଗ୍ୟତା ହାସଲକାରୀ ଦଳ ମଧ୍ୟରେ ରାଉଣ୍ଡ-ରବିନ୍ ଲିଗ୍ ପଦ୍ଧତିରେ ମ୍ୟାଚ୍ ଖେଳାଯିବ ଏବଂ ଶୀର୍ଷ ଦୁଇଟି ଟିମ୍ ୨୮ ଫେବୃଆରୀରେ ହେବାକୁ ଥିବା ଫାଇନାଲ୍ରେ ପ୍ରତିଦ୍ୱନ୍ଦ୍ୱିତା କରିବେ । ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ଏବେ ସରକାରଙ୍କ ଦ୍ୱାରା ନିଯୁକ୍ତ ‘ଟ୍ରାନ୍ସଫର୍ମେସନ୍ କମିଟି’ ପରିଚାଳନା କରୁଛି । ଆଇସିସି ନିୟମାନୁସାରେ ସରକାରୀ ବା ରାଜନୈତିକ ହସ୍ତକ୍ଷେପ ଥିବା ବୋର୍ଡକୁ ସ୍ୱୀକୃତି ଦିଆଯାଏ ନାହିଁ । ଏହି ପ୍ରଶାସନିକ ବିବାଦ ହେତୁ ଆଇସିସି ବୋର୍ଡ ବୈଠକରେ ଭାରତକୁ ବିକଳ୍ପ ଆୟୋଜକ ଭାବେ ଅନୁମୋଦନ କରାଯାଇଛି ।

