ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ନିଜର କୋଟି କୋଟି ସଦସ୍ୟଙ୍କ ପାଇଁ ଏକ ବଡ଼ ସୁବିଧା ଘୋଷଣା କରିଛି। ଏବେ ଇପିଏଫଓ ଖାତାଧାରୀମାନେ ସେମାନଙ୍କର ପ୍ରୋଭିଡେଣ୍ଟ ଫଣ୍ଡ ବାଲାନ୍ସ ଚେକ୍ କରିବା ଏବଂ ପାସବୁକ୍ ଡାଉନଲୋଡ୍ କରିବା ଭଳି ଗୁରୁତ୍ୱପୂର୍ଣ୍ଣ ସେବା ଗୁଡ଼ିକୁ ସରକାରୀ ‘ଉମଙ୍ଗ ଆପ୍’ ମାଧ୍ୟମରେ ଅତି ସହଜରେ ପାଇପାରିବେ। ଏହା ସହିତ ନୂଆ ୟୁନିଭର୍ସାଲ ଆକାଉଣ୍ଟ ନମ୍ବର ଜେନେରେଟ୍ କରିବା ଏବଂ ଆକ୍ଟିଭେଟ୍ କରିବା ପ୍ରକ୍ରିୟାକୁ ମଧ୍ୟ ଅଧିକ ସରଳ ଓ ଡିଜିଟାଲ୍ କରାଯାଇଛି ।
ସାମ୍ପ୍ରତିକ ସମୟରେ ଇପିଏଫଓ ପକ୍ଷରୁ ଏହି ପ୍ରକ୍ରିୟାରେ ଏକ ବଡ଼ ଧରଣର ବୈଷୟିକ ପରିବର୍ତ୍ତନ ଅଣାଯାଇଛି। କର୍ମଚାରୀମାନେ ଏବେ ‘ଆଧାର ଭିତ୍ତିକ ଫେସ୍ ଅଥେଣ୍ଟିକେସନ୍ ଟେକ୍ନୋଲୋଜି’ ବ୍ୟବହାର କରି ଉମଙ୍ଗ ଆପ୍ରେ ନିଜର ୟୁଏଏନ୍ ସୃଷ୍ଟି ଏବଂ ଆକ୍ଟିଭେଟ୍ କରିପାରିବେ । ଏହି ନୂତନ ଜ୍ଞାନକୌଶଳ ଯୋଗୁଁ କର୍ମଚାରୀଙ୍କ ପରିଚୟ ସତ୍ୟାପନ କେବଳ ଚେହେରା ଓ ଆଧାର ସହିତ ସଂଯୁକ୍ତ ତଥ୍ୟ ମାଧ୍ୟମରେ ସୁରକ୍ଷିତ ଭାବେ କରାଯାଇପାରିବ। ଏହା ଫଳରେ ଅତୀତରେ ଭୁଲ ତଥ୍ୟ ଯୋଗୁଁ ୟୁଏଏନ୍ ସୃଷ୍ଟି ହେବାରେ ଦେଖାଦେଉଥିବା ସମସ୍ୟା ଗୁଡ଼ିକ ବହୁ ମାତ୍ରାରେ ହ୍ରାସ ପାଇବ। ପୂର୍ବରୁ ଏହିସବୁ କାମ ପାଇଁ କର୍ମଚାରୀଙ୍କୁ କେବଳ ଇପିଏଫଓ ୱେବସାଇଟ୍ କିମ୍ବା ପୋର୍ଟାଲ ଉପରେ ନିର୍ଭର କରିବାକୁ ପଡ଼ୁଥିଲା, କିନ୍ତୁ ଏବେ ଏହାକୁ ନିଜ ମୋବାଇଲ ମାଧ୍ୟମରେ ନିମିଷକେ କରାଯାଇପାରିବ ।
ଥରେ ୟୁଏଏନ୍ ଆକ୍ଟିଭ୍ ହୋଇଗଲେ, ସଦସ୍ୟମାନେ ଉମଙ୍ଗ ଆପ୍ର ‘ଇପିଏଫଓ’ ବିଭାଗକୁ ଯାଇ ନିଜ ଆକାଉଣ୍ଟର ରିଏଲ-ଟାଇମ୍ ପିଏଫ୍ ବାଲାନ୍ସ ଏବଂ ସମସ୍ତ ଟ୍ରାଞ୍ଜାକ୍ସନ୍ ହିଷ୍ଟ୍ରି ଦେଖିପାରିବେ। କେବଳ ସେତିକି ନୁହେଁ, ଆପ୍ ଜରିଆରେ ନିଜର ପାସବୁକ୍ ମଧ୍ୟ ଡାଉନଲୋଡ୍ କରାଯାଇପାରିବ, ଯେଉଁଥିରେ ପ୍ରତି ମାସରେ କର୍ମଚାରୀ ଏବଂ ନିଯୁକ୍ତିଦାତାଙ୍କ ପକ୍ଷରୁ ଖାତାରେ କେତେ ଟଙ୍କା ଜମା କରାଯାଇଛି ତାହାର ସମ୍ପୂର୍ଣ୍ଣ ଓ ସ୍ୱଚ୍ଛ ହିସାବ ଉପଲବ୍ଧ ରହିବ ।
ୟୁଏଏନ୍ ହେଉଛି ଏକ ସ୍ୱତନ୍ତ୍ର ନମ୍ବର ଯାହା ଜଣେ କର୍ମଚାରୀଙ୍କ ଚାକିରି ବଦଳିଲେ ମଧ୍ୟ ତାଙ୍କର ବିଭିନ୍ନ ପିଏଫ୍ ଖାତାକୁ ଏକାଠି ଯୋଡ଼ିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ତେଣୁ ଏହି ନମ୍ବରକୁ ଆକ୍ଟିଭ୍ ରଖିବା ନିହାତି ଜରୁରୀ । ଇପିଏଫଓର ଏହି ଡିଜିଟାଲ୍ ପଦକ୍ଷେପ ଯୋଗୁଁ ଏବେ ଶ୍ରମିକ ଓ କର୍ମଚାରୀଙ୍କୁ ପିଏଫ୍ ଅଫିସ୍ ଦୌଡ଼ିବାକୁ ପଡ଼ିବ ନାହିଁ କିମ୍ବା ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡ଼ିବ ନାହିଁ ।

