Latest Odisha News

BREAKING NEWS

ଗାଜାରେ ଖାଦ୍ୟ ସଙ୍କଟ: ସାତ ଜଣଙ୍କ ପାଇଁ ଗୋଟିଏ ଓଳିର ଆହାର

ଗାଜା: ଇସ୍ରାଏଲ-ହମାସ ସଂଘର୍ଷ ଏବଂ ନିରନ୍ତର ଅବରୋଧ ଯୋଗୁଁ ଗାଜା ଷ୍ଟ୍ରିପ୍‌ରେ ଖାଦ୍ୟ ସଙ୍କଟ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ ରିପୋର୍ଟ ଅନୁସାରେ, ଅଲ-ବାଲା ର ସରଣାର୍ଥୀ ଶିବିରରେ ରହୁଥିବା ମେରଭାଟ୍ ରାଦୱାନ୍ ଙ୍କ ପରିବାର ଏବେ ମାତ୍ର ଗୋଟିଏ ଓଳିର ଖାଦ୍ୟ ଯୋଗାଡ଼ ପାଇଁ କଠିନ ସଂଗ୍ରାମ କରୁଛନ୍ତି।

ମେରଭାଟ୍‌ଙ୍କ ସମେତ ତାଙ୍କର ୭୦ ବର୍ଷୀୟ ବୃଦ୍ଧ ପିତା, ଭଉଣୀ ଏବଂ ଇସ୍ରାଏଲୀ ଆକ୍ରମଣରେ ପିତାମାତାଙ୍କୁ ହରାଇଥିବା ୩ ଜଣ ନାବାଳକ ପୁତୁରାଙ୍କୁ ମିଶାଇ ମୋଟ ୭ ଜଣ ସଦସ୍ୟ ଗୋଟିଏ ଟେଣ୍ଟରେ ଦିନ କାଟୁଛନ୍ତି। ନିୟମିତ ଆୟର କୌଣସି ପନ୍ଥା ନଥିବାରୁ ଏହି ପରିବାର ସମ୍ପୂର୍ଣ୍ଣ ଭାବେ କମ୍ୟୁନିଟି କିଚେନ ଏବଂ ସାହାଯ୍ୟ ସାମଗ୍ରୀ ଉପରେ ନିର୍ଭରଶୀଳ। ତବେ ଅର୍ଥାଭାବ ଓ ରୋଷେଇ ସାମଗ୍ରୀର ଅଭାବ ଯୋଗୁଁ ଗାଜାରେ ଏହି କମ୍ୟୁନିଟି କିଚେନ୍ ଗୁଡ଼ିକର ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଛି। ଜାତିସଂଘର ତଥ୍ୟାନୁସାରେ, ମାର୍ଚ୍ଚ ମାସରେ ଦୈନିକ ୧୫ ଲକ୍ଷ ମିଲ୍ ପରିବେଷଣ କରାଯାଉଥିବା ବେଳେ ଜୁଲାଇ ସୁଦ୍ଧା ତାହା ହ୍ରାସ ପାଇ ୭ ଲକ୍ଷରୁ କମ୍‌ରେ ପହଞ୍ଚିଛି।

ପରିବାରର କୁନି ପିଲାମାନଙ୍କ ପେଟ ଭରିବା ପାଇଁ ବୟସ୍କ ସଦସ୍ୟମାନେ ନିଜେ ନଖାଇ ଭୋକିଲା ରହୁଛନ୍ତି। କେବଳ ଶୁଖିଲ ଖାଦ୍ୟ ଉପରେ ନିର୍ଭର କରିବା ଯୋଗୁଁ ଛୋଟ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବେ ପ୍ରଭାବିତ ହେଉଛି। ତାଜା ପନିପରିବା ଓ ପ୍ରୋଟିନ୍‌ଯୁକ୍ତ ଖାଦ୍ୟର ଅତ୍ୟାଧିକ ଦରବୃଦ୍ଧି ଯୋଗୁଁ ସାଧାରଣ ନାଗରିକଙ୍କ ପାଇଁ ତାହା କିଣିବା ଅସମ୍ଭବ ହୋଇପଡ଼ିଛି। ଗାଜାର ପ୍ରାୟ ୭୭ ପ୍ରତିଶତ ପରିବାର ବର୍ତ୍ତମାନ ଆବଶ୍ୟକୀୟ ଖାଦ୍ୟ ପାଇବାରୁ ବଞ୍ଚିତ ହୋଇ ଅପପୋଷଣ ଓ ରୋଗର ଶିକାର ହେଉଛନ୍ତି।

ଅନ୍ତର୍ଜାତୀୟ ସହାୟତା ସଂଗଠନଗୁଡ଼ିକ ତୁରନ୍ତ ରିଲିଫ୍ ସାମଗ୍ରୀ ପଠାଇବା ପାଇଁ ସୀମା ଖୋଲିବାକୁ ନିବେଦନ କରୁଥିଲେ ସୁଦ୍ଧା ସ୍ଥିତିରେ କୌଣସି ସୁଧାର ଆସୁନାହିଁ। ଫଳରେ ଗାଜାର ଲକ୍ଷ ଲକ୍ଷ ନିରୀହ ନାଗରିକ ଏବେ ଭୟଙ୍କର ଦୁର୍ଭିକ୍ଷ ମୁହଁକୁ ଠେଲି ହୋଇଯାଉଛନ୍ତି।

Leave A Reply

Your email address will not be published.